ଶ୍ରାବଣ ମାସରେ ଶୁଖିଲା ପଡ଼ିଛି ଋଷିକୂଲ୍ୟା ନଦୀ

11

ଧରାକୋଟ,୩/୦୮(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାର ଲାଇଫ ଲାଇନ ହେଉଛି ଋଷିକୂଲ୍ୟା ନଦୀ। କନ୍ଧମାଳ ଜିଲ୍ଲାର ଋଷୀମାଳ ପର୍ବତ ଏହାର ଉତ୍ପତ୍ତି ସ୍ଥଳ । ଏହା ଗଞ୍ଜାମ ଜିଲ୍ଲାର ସୋରଡ଼ା,ଧରାକୋଟ,ଶେରଗଡ଼, କବିସୂର୍ଯ୍ୟ ନଗର,ପୁରୁଷୋତ୍ତମ ପୁର ଓ ଗଞ୍ଜାମ ବ୍ଲକ ଦେଇ ପ୍ରବାହିତ ହୋଇ ବଙ୍ଗୋପ ସାଗର ରେ ମିଶିଛି । ଜଳସେଚନ ହେଉ କିମ୍ବା ପିଇବା ପାଣି ପାଇଁ ଏହାର ଗୁରୁତ୍ଵ ଯେତିକି ଧାର୍ମିକ କାର୍ଯ୍ୟ ପାଇଁ ଏହାର ଗୁରୁତ୍ଵ ତାହାଠାରୁ ଅଧିକ। ଏହାକୁ ଗଙ୍ଗା ନଦୀ ଠାରୁ ଆହୁରି ପୁରୁଣା ବୋଲି ଲୋକେ ମନୁଥିବାରୁ ବିଭିନ୍ନ ଧର୍ମ କାର୍ଯ୍ୟ ପାଇଁ ଏହାର ଜଳ ବ୍ୟବହୃତ ହେଉଛି। ସମ୍ପ୍ରତି ଧାରା ଶ୍ରାବଣ ମାସ ଚାଲୁଥିବା ବେଳେ ନଦୀ ଗର୍ଭ ଶୁଖିଲା ପଡ଼ିଛି। ଜଳବାୟୁ ପରିବର୍ତ୍ତନ ହେତୁରୁ ବୃଷ୍ଟିପାତ ରେ ଅନିୟମିତତା ସାଙ୍ଗକୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି। ଯାହାର ପ୍ରଭାବ ଜିଲ୍ଲାର ଗାଁ ଅଞ୍ଚଳର ଲୋକ ଓ ଚାଷୀଙ୍କ ଉପରେ ସିଧା ପଡୁଛି। ପ୍ରତିକୂଳ ପରିସ୍ଥିତି ରେ ଶହ ଶହ ଏକର ଜମିରେ ଧାନ ରୁଆ ବିଳମ୍ବିତ ହେବା ସହ ପିଇବା ପାଣି ଯୋଗାଣରେ ଅନିୟମିତତା ଦେଖାଦେଉଛି । ଚଳିତ ବର୍ଷା ଋତୁରେ ଯାହାକିଛି ଉପର ମୁଣ୍ଡରେ ବର୍ଷା ହୋଇଥିଲା ସେହି ଅନୁଯାୟୀ ନଦୀରେ ଅଳ୍ପ ପାଣି ଆସିଥିଲା । ଧରାକୋଟ ବ୍ଲକର ଜାନବିଲି ଠାରୁ ବ୍ରହ୍ମପୁର ସହରକୁ ପିଇବା ପାଣି ଯୋଗାଣ ହେଉଛି । ଏଣୁ ନଦୀର ସିଂହ ଭାଗ ପାଣି ବ୍ରହ୍ମପୁର ସହରକୁ ଯାଉଥିବା ବେଳେ ଚଳିତ ମାସରେ ଋଷିକୂଲ୍ୟା ମୁଖ୍ୟ କେନାଲ ରେ ପାଣି ଛଡ଼ାଯାଇଛି । ଏଣୁ ଜାନବିଲି ଠାରୁ ତଳ ଅଞ୍ଚଳ ନଦିଗର୍ଭ ଶୁଖିଲା ପଡ଼ିଛି। ଯାହାଦ୍ବାରା ନଦୀର ଉଭୟ କୁଳର ଲୋକେ ଗଭୀର ଭାବରେ ପ୍ରଭାବିତ ହୋଉଛନ୍ତି। ନିତିଦିନିଆ ସ୍ନାନ ଶୌଚ ଠାରୁ ଶ୍ରାବଣ ମାସରେ ମହାଦେବ ଙ୍କୁ ଜଳାଭିଷେକ କାର୍ଯ୍ୟରେ ବାଧା ଦେଖା ଦେଇଛି। ଏଣୁ ରାଜ୍ୟ ସରକାର ତୁରନ୍ତ ଜାନବିଲି ଠାରେ ପ୍ରସ୍ତାବିତ ବ୍ୟରେଜ କାର୍ଯ୍ୟ ଆରମ୍ଭ କରି ବନ୍ୟାଜଳ ସଂରକ୍ଷଣ ବ୍ୟବସ୍ଥା କରିବା ସହ ଆବଶ୍ୟକ ମୁତାବକ ପାଣି ତଳମୁଣ୍ଡକୁ ଛାଡ଼ିଲେ ଜିଲ୍ଲାବାସୀ ଉଭୟ ଜଳସେଚନ ଓ। ପିଇବା ପାଣି ଦୃଷ୍ଟିରୁ ଉପକୃତ ହୋଇପାରିବେ ।