Monday, October 12, 2026
Home ଆଞ୍ଚଳିକ କାମରେ ଆସୁନି ଚେକ ଡେମ, ଭାଙ୍ଗିବା ପାଇଁ ଚାଷୀଙ୍କ ଦାବୀ

କାମରେ ଆସୁନି ଚେକ ଡେମ, ଭାଙ୍ଗିବା ପାଇଁ ଚାଷୀଙ୍କ ଦାବୀ

36

ଧରାକୋଟ,୨୮/୦୭(ଜିଲ୍ଲା ଖବର) : କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ବେଳେ ବିଭାଗୀୟ ବାବୁ ମାନଙ୍କ ଆନ୍ତରିକତା ର ଅଭାବ ଯୋଗୁଁ ତାହା କାର୍ଯ୍ୟରେ ଲାଗୁନାହିଁ । ବିଶେଷ କରି ଜଳସେଚନ ବ୍ୟବସ୍ଥା ପାଇଁ ସରକାର ଜଳସେଚନ,କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ ଓ ଡ୍ରେନେଜ ବିଭାଗ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ହେଲେ ପାରିପାର୍ଶ୍ବିକ ସ୍ଥିତି ଓ ବୈଷୟିକ ଜ୍ଞାନ କୌଶଳର ଦୁରୁପଯୋଗ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଡ୍ରେନେଜ ବିଭାଗ ତରଫରୁ ନିର୍ମିତ ହୋଇଥିବା ଏକ ଚେକ ଡେମ ରେ ପାଣି ରହୁନଥିବା ବେଳେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଗେଟ ଓ ଭିତର ପଟୁ ପାଣି ଲିକ ହେଉଛି । ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ ବେଠୁଆର ଗାଁର ଶିବ ମନ୍ଦିର ନିକଟରେ ଡ୍ରେନେଜ ବିଭାଗ ତରଫରୁ ନିର୍ମିତ ଚେକ ଡେମ କାମରେ ଆସୁନି। ଯାହା ଫଳରେ ଚାଷ ଜମିକୁ ନିର୍ଧାରଣ ଅନୁଯାୟୀ ପାଣି ମାଡୁନି। ଆଗୁଳ ନାଳ ଉପରେ ନିର୍ମିତ ଏହି ଚେକ ଡେମ ପ୍ରଥମତଃ ଏକ ଭୁଲ ସ୍ଥାନ ନଦୀର ବଙ୍କା ରେ ନିର୍ମାଣ କରାଯାଇଛି । ଏଣୁ ଏହାର ଦୁଇପଟ ହିଡ ନଦୀର ସ୍ରୋତ ରେ କ୍ଷତିଗ୍ରସ୍ତ ହେଉଛି । ଯାହା ଫଳରେ ଚେକଡେମ ର ଗାର୍ଡ ୱାଲ ନଷ୍ଟ ହୋଇଯାଇଛି । ନିର୍ମାଣ ଜନିତ ତ୍ରୁଟି ଯୋଗୁଁ ଏହାର ତଳ ପଟରୁ ପାଣି ଗଳି ଯାଉଥିବା ବେଳେ ଦୁଇ ପାଖ ଗେଟ ଦେଇ ପାଣି ଲିକ କରୁଛି । ଚେକଡେମ ର ଉଭୟ ପଟର ଜମିକୁ ପାଣି ମାଡ଼ିବା ପାଇଁ ଯେଉଁ ପାଇପ ଦିଆଯାଇଥିଲା ତାହା ଚୋକ ହୋଇଗଲାଣି । ଏଣୁ ଉଭୟ ପଟର ଶହ ଶହ ଏକର ଜମିରେ ଧାନ ଓ ପନିପରିବା ଚାଷ ପାଇଁ ପାଣି ମିଳିନାହିଁ । ଯାହା ଫଳରେ ଚାଷୀମାନେ ଖର୍ଚ୍ଚାନ୍ତ ହୋଇ ନିଜସ୍ଵ ଖର୍ଚ୍ଚରେ ପମ୍ପ ଦ୍ବାରା ପାଣି ମଡାଉଛନ୍ତି । ଦ୍ବିତୀୟତଃ ବୈଷୟିକ ତୃଟି ଯୋଗୁଁ ବନ୍ୟା ନିୟନ୍ତ୍ରଣ ପାଇଁ ଏହା ବିଫଳ ହେଉଛି। ଯାହା ଫଳରେ ପ୍ରତିବର୍ଷ ଦୁଇପଟ ହିଡ଼ ଭାଙ୍ଗିଯାଇ ଏକର ଏକର ଜମି ବାଲିଚର ହେଉଛି । ଯାହାକି ଚାଷୀ ମାନଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହେଉଛି ।

ସବୁଠାରୁ ପରିତାପ ର ବିଷୟ ଡ୍ରେନେଜ ବିଭାଗର କାର୍ଯ୍ୟାଳୟ ବ୍ରହ୍ମପୁର ନିକଟ ଜଗନ୍ନାଥ ପୁର ଠାରେ ଥିବା ଯୋଗୁଁ ଚାଷୀମାନେ ସହଜରେ ବିଭାଗୀୟ ଅଧିକାରୀ ମାନଙ୍କୁ ଦେଖାକରିପାରୁ ନାହାଁନ୍ତି ଓ ଅଭିଯୋଗ ମଧ୍ୟ କରି ପାରୁ ନାହାଁନ୍ତି ।ଅନ୍ୟ ପଟରେ ବିଭାଗୀୟ ଅଧିକାରୀ ମାନେ ମଧ୍ୟ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ଉପରେ ଦୃଷ୍ଟି ଦେଉ ନାହାଁନ୍ତି । ଏଣୁ ସମସ୍ୟା କମିବା ପରିବର୍ତେ ଦିନକୁ ଦିନ ବଢୁଥିବା ଦେଖାଯାଉଛି । E ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ବେଳେ ଅଗୁଳ ନାଳ ଉପରେ ବର୍ତ୍ତମାନ ଜଳସେଚନ ଓ କ୍ଷୁଦ୍ର ଜଳସେଚନ ବିଭାଗ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ କରୁଛନ୍ତି । ପୂର୍ବେ ଆମ ବିଭାଗ କେବଳ ଏହି ନାଳ ର ନିର୍ମାଣ ପାଇଁ ପଦକ୍ଷେପ ନେଉଥିଲା କହି ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି । ବର୍ତ୍ତମାନର ପରିସ୍ଥିତି ରେ ଏହି ଚେକଡେମ ଚାଷୀଙ୍କ କାମରେ ଆସୁନାହିଁ ବରଂ ଚାଷୀଙ୍କ ପାଇଁ ଏହା ଏକ ବୋଝ ପାଲଟିଛି। ଏଣୁ ଏହି ଅଲୋଡ଼ା ଚେକ ଡେମ କୁ ଭାଙ୍ଗି ଏହାର ତଳମୁଣ୍ଡରେ ଉପଯୁକ୍ତ ସ୍ଥାନରେ ଏକ ନୂତନ ଚେକଡେମ ନିର୍ମାଣ ପାଇଁ ଚାଷୀକୁଳ ଦାବୀ କରିଛନ୍ତି।