Monday, October 12, 2026
Home ଆଞ୍ଚଳିକ ପୌର ଅତିଥି ଭବନ ପରିସରରେ ମଦ ଦୋକାନ କାହା ସ୍ବାର୍ଥରେ

ପୌର ଅତିଥି ଭବନ ପରିସରରେ ମଦ ଦୋକାନ କାହା ସ୍ବାର୍ଥରେ

15

ବ୍ରହ୍ମପୁର, 30/6(ଜ଼ିଲ୍ଲାଖବର ) : ବ୍ରହ୍ମପୁର ସହରର ପେଣ୍ଠସ୍ଥଳୀ ରେ ଥିବା ମୁନିସପାଲିଟ ଅତିଥି ଭବନ ଓ କଲ୍ୟାଣ ମଣ୍ଡପକୁ ଗତ ପ୍ରାୟ ତିନି ବର୍ଷ ତଳେ ଏକ ଘରୋଇ ସଂସ୍ଥା କୁ ମହାନଗର ନିଗମ ଲିଜ୍ ଆକାରରେ ଦେଇଥିଲା । ଲିଜ୍ ଧାରି ମାଲିକ ପୌର ଅତିଥି ଭବନକୁ ସୁନ୍ଦର କରିବା ନାଁରେ ସେ ସମୟରେ ଏହାର ମୂଳ ଉଦ୍ଦେଶ୍ୟ ସେବା ବଦଳି ଏହାକୁ ବ୍ୟବସାୟିକ ଉଦ୍ଦେଶ୍ୟ ରେ ପରିଣତ କରିଦେଲେ । ସହର ବାସୀଙ୍କୁ ଲିଜର ସତ୍ତାବଳୀକୁ ଅନ୍ଧାରରେ ରଖି ତତ୍କାଳିନ ବିଜେଡି ସରକାର ଓ ପ୍ରାଶାସନିକ ଅଧିକାରୀ ମାନେ ଏହାକୁ ମହାନଗର ନିଗମର ପ୍ରଚଳିତ ଆଇନ ବ୍ୟବସ୍ଥାର ବିରୁଦ୍ଧ ରେ ଯାଇ କାହିଁକି ଓ କଣ ପାଇଁ ଏକ ଘରୋଇ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଲୀଜ୍ ଦିଆଗଲା ତାହାର ତଦନ୍ତ କରିବା ପାଇଁ ବିଜେପି ନେତା ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଶ୍ରୀ ପୀତବାସ ପଣ୍ଡା ଦାବୀ କରିଛନ୍ତି। ବ୍ରହ୍ମପୁର ସହରରେ ମହାନଗର ନିଗମ ର ପ୍ରାୟ ଶହ ଶହ ଘର ଲୋକଙ୍କୁ ଲିଜ ଦିଆଯାଇଛି ।ଲୋକେ ଏଠାରେ ବ୍ୟବସାୟ କରି ବଞ୍ଚନ୍ତି।

ଦୁଇ ବର୍ଷ ତଳେ ଯେଉଁ ଲିଜ ଧାରି ମାନେ ମ୍ୟୁନିସିପାଲଟି ରୁମରେ ମଦ ଦୋକାନ ଖୋଲିଥିଲେ ସେମାନଙ୍କୁ ପୌର ସଂସ୍ଥା ତରଫରୁ ନୋଟିସ୍ ଦିଆଯାଇ ମଦ ଦୋକାନ, ଲଟେରୀ ବ୍ୟବସାୟ ପୌର ସଂସ୍ଥା ଦ୍ଵାରା ନିର୍ମିତ ଗୃହରେ ଲିଜଧାରୀ ମାନେ ଖୋଲି ପାରିବେ ନାହିଁ , ଏଣୁ ଏହାକୁ ତୁରନ୍ତ ବନ୍ଦ କର ନଚେତ୍ ଲିଜ ରଦ୍ଦ ହେବ ବୋଲି ନୋଟିସ୍ ଦିଆଯାଇଥିଲା । ବର୍ତମାନ ପୌର ଅତିଥି ଭବନ ପରିସରରେ ମଦ ଦୋକାନ ଖୋଲିବା ଏହା ମହାନଗର ନିଗମର ଲିଜ ସତ୍ତାବଳିର ନିୟମ ଉଲଙ୍ଘନ କରୁନାହିଁ କି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ଅତିଥି ଭବନ କୁ ଲାଗି ଐତିହାସିକ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଅବସ୍ଥିତ । ତାର ପାଖରେ ଏକ ଖୋଲା ମଦ ଦୋକାନ ଖୋଲିବା ପାଇଁ ମହାନଗର ନିଗମ ଅନୁମତି ଦେବା କେବଳ ଅନ୍ୟାୟ କରି ନାହିଁ ଏହା ଅକ୍ଷମଣୀୟ ଅପରାଧ ମଧ୍ୟ । ଶିକ୍ଷାନୁଷ୍ଠାନ ପାଖରେ ଏକ ବାର୍ ଖୋଲିବା ଦ୍ବାରା ଐତିହାସିକ ଖଲ୍ଲିକୋଟ କଲେଜର ଗାରିମା ନଷ୍ଟ ହେବା ସହିତ କୋମଳମତି ଛାତ୍ର ଛାତ୍ରୀଙ୍କ ଉପରେ କୁ-ପ୍ରଭାବ ମଧ୍ୟ ପକାଇବ । ମୁନିସପାଲିଟ କଲ୍ୟାଣ ମଣ୍ଡପ ଯେଉଁ ଉଦ୍ଦେଶ୍ୟରେ ତିଆରି ହୋଇଥିଲା , ସେହି ଉଦ୍ଦେଶ୍ୟକୁ ବର୍ତ୍ତମାନର ଲିଜ ସଂସ୍ଥା ଭଣ୍ଡୁର କରିବା ସହ ଏହାକୁ ଏକ ରଙ୍ଗ ମଞ୍ଚ ରେ ପରିଣତ କରିଦେଇଛନ୍ତି ।କୋଟି କୋଟି ଟଙ୍କା ର ମୂଲ୍ୟବାନ ଅତିଥି ଭବନ ଓ କଲ୍ୟାଣ ମଣ୍ଡପ ତାହାକୁ କେଉଁ ପରିସ୍ଥିତିରେ କେତେ ଟଙ୍କାରେ କଣ ସବୁ ସତ୍ତାବଳୀ ରଖି ମହାନଗର ନିଗମ ଲିଜ ଦେଇଥିଲା ତାହା ତୁରନ୍ତ ପ୍ରକାଶ କରୁ ନଚେତ୍ ଏହା ବିରୁଦ୍ଧରେ ନ୍ୟାୟୀକ ଲଢେଇ ହେବ ବୋଲି ଆଇନଜୀବୀ ପୀତବାସ ପଣ୍ଡା କହିଛନ୍ତି ।