Tuesday, October 13, 2026
Home ଆଞ୍ଚଳିକ ମହିଳାଙ୍କ ଘର ଉପରକୁ ବୋମା ମାଡ଼ ଘଟଣାରେ ତିନି ଜଣଙ୍କୁ ଗିରଫ କରି ଖଣ୍ଡା ଏବଂ...

ମହିଳାଙ୍କ ଘର ଉପରକୁ ବୋମା ମାଡ଼ ଘଟଣାରେ ତିନି ଜଣଙ୍କୁ ଗିରଫ କରି ଖଣ୍ଡା ଏବଂ ବୁଲେଟ୍ ଜବତ କଲା ଗାଙ୍ଗପୁର ପୋଲିସ୍

17

ବେଲଗୁଣ୍ଠା,20/06, ଗତ ସୋମବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଳା ଧରାକୋଟ ବ୍ଳକ୍ ଅନ୍ତର୍ଗତ ଡ଼ି. ସିଙ୍ଗିପୁର ଗ୍ରାମରେ ହୋଇଥିବା ଏକ ବୋମାମାଡ଼ ଘଟଣାରେ ଗାଙ୍ଗପୁର ପୋଲିସ୍ ତିନିଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଗାଙ୍ଗପୁର ଥାନା ଅଧିକାରୀ ରାଜେଶ କୁମାର ନାୟକ I କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ କ୍ରିଷ୍ଣା ମୁନି(23), କୃଷ୍ଣ ମହାରଣା(19) ଏବଂ ବିନାୟକ ଦାସ(21) I ସୂଚନା ପ୍ରକାରେ ଗତ ସପ୍ତାହରେ ଡି.ସିଙ୍ଗିପୁର ଗ୍ରାମରେ ଶୀତଳ ଷଷ୍ଠୀ ଯାତ୍ରା ଚାଲିଥିବା ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ I ଏହି ଘଟଣାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ସୋମବାର ବିଳମ୍ବିତ ରାତିରେ ଗ୍ରାମର ପ୍ରମିଳା ମୁନୀଙ୍କ ଘରକୁ ବୋମାମାଡ଼ କରିଥିଲେ I ଅଭିଯୁକ୍ତମାନେ ପ୍ରମିଳାଙ୍କ ଘର ଉପରକୁ ଦୁଇଟି ବୋମା ହୋଇପଡିଥିବା ବେଳେ ସେଥିରୁ ଗୋଟିଏ ବୋମା ଫୁଟି ପ୍ରମିଳାଙ୍କ ଘରର ଆସବାବପତ୍ର ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ବୋମାଟି ଫୁଟି ନଥିଲା I ଘଟଣା ସମ୍ପର୍କରେ ଗାଙ୍ଗପୁର ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଥିବା ବେଳେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗନମୋହନ୍ ମୀନାଙ୍କ ନିର୍ଦ୍ଦେଶକ୍ରମେ ବୋମା ନିଷ୍କ୍ରିୟକାରୀ ଦଳ ଡି.ସିଙ୍ଗିପୁର ଗ୍ରାମରେ ପହଞ୍ଚି ଅଫୁଟା ବୋମାକୁ ନିଷ୍କ୍ରିୟ କରିଥିଲେ I ଏନେଇ ପ୍ରମିଳାଙ୍କ ଅଭିଯୋଗକୁ ଭିତ୍ତିକରି ଗାଙ୍ଗପୁର ପୋଲିସ୍ 326/2024 ରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ କ୍ରିଷ୍ଣା, କୃଷ୍ଣ ଏବଂ ବିନାୟକକୁ ଗିରଫ କରି ଆସିକା କୋର୍ଟଚାଲାଣ କରିଥିଲେ I ଏହା ସହିତ ପୋଲିସ୍ ଅଭିଯୁକ୍ତଙ୍କ ନିକଟରୁ ତିନୋଟି ଖଣ୍ଡା, OD05BQ2540 ନମ୍ବର୍ ବିଶିଷ୍ଟ ଏକ ବୁଲେଟ୍ ଜବତ କରିବା ସହ ଘଟଣା ସ୍ଥଳରୁ ଏକ ଅଫୁଟା ବୋମା ଏବଂ ଫୁଟା ବୋମାର କ୍ଷତାଂଶ ପାଇଥିବା ସୂଚନା ମିଳିଛି I