
ଧରାକୋଟ ୬/୨ : ସରକାରୀ ସହାୟତା ରୁ ବଞ୍ଚିତ ଜଣେ ପକ୍ଷାଘାତ ରୋଗୀ ମଦନ ଏବେ ଦଇବ ସାହା ଭରଷା କୁ ପାଥେୟ କରି ବଞ୍ଚିଛନ୍ତି।ଘରେ ଆଠ ପ୍ରାଣୀ କୁଟୁମ୍ବ। ରୋଜଗାର କହିଲେ ସାଇକେଲ ମାର୍ଟରୁ ଯାହାକିଛି ଆଦାୟ । ଦୁଃଖ କଷ୍ଟ ମଧ୍ୟରେ ନିଜର ସଂସାର କୁ ଚଳାଇ ନେଉଥିବା ମଦନ ଦାସ ଙ୍କ ଜୀବନରେ ଅଚାନକ କଳା ବାଦଲ ଘୋଟି ଆସିବା ଭଳି ଘଟଣା ଘଟିଲା । ଅଚାନକ ମଦନ ପକ୍ଷାଘାତ ରୋଗରେ ପୀଡିତ ହେବା ପରେ ପରିବାରର ସ୍ଥିତି ବଦଳି ଯାଇଥିଲା । ସ୍ତ୍ରୀ ଶାନ୍ତିଲତା,ପୁଅ ମିଟୁ,ହୃଷୀକେଶ,ସୁନିଲ,ଝିଅ ମମତା, ଗୀତା ଓ ତୁଳସୀ ନେଇ ମଦନ ଙ୍କ ପରିବାର । ବାପା ରୋଗରେ ପୀଡିତ ହେବା ପରେ ବଡ଼ପୁଅ ମିଟୁ ବାହାର ରାଜ୍ୟକୁ କାମ ଧନ୍ଦା ପାଇଁ ଯାଇଥିବା ବେଳେ ସାନ ପୁଅ ସୁନିଲ ସାଇକେଲ ମାର୍ଟ ଚଳାଉଛି । ହୃଷୀକେଶ ତାଙ୍କୁ ସାହାଯ୍ୟ କରୁଛନ୍ତି । ଜମି ହିନ ଏହି ପରିବାର ଧରାକୋଟ ବ୍ଲକର ବାହାର ପୁର ପଞ୍ଚାୟତ ନିକଟସ୍ଥ ଚରିଛକ ରେ ଏକ ଝାଟି ମାଟି ଘରେ ବାସ କରୁଛନ୍ତି । ସରକାରଙ୍କ ତରଫରୁ ମିଳିଥିବା ରାସନ କାର୍ଡ ରୁ ମିଳୁଥିବା ଚାଉଳ ଓ ମାର୍ଟ ରୁ ହେଉଥିବା ସୀମିତ ରୋଜଗାର ଚଳିବା ପାଇଁ ଯଥେଷ୍ଟ ହେଉନାହିଁ । ସୀମିତ ରୋଜଗାର ସହ ଧାର କରଜ କରି ପରିବାର ଲୋକେ ମଦନଙ୍କ ଚିକିତ୍ସା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ବାମ ପାଖ ହାତ ଓ ଗୋଡ଼ ସମ୍ପୂର୍ଣ ଅଚଳ। ଅଧିକ ଚିକିତ୍ସା ପାଇଁ ଅର୍ଥ ନାହିଁ । ବହୁ କଷ୍ଟରେ ମଦନଙ୍କୁ ପରିବାର ଲୋକେ ବ୍ରହ୍ମପୁର ସିଟି ହସ୍ପିଟାଲ କୁ ଭିନ୍ନ କ୍ଷମ ପ୍ରମାଣ ପତ୍ର ପାଇଁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ନିରାଶ କରିବାରୁ ସେଠାରୁ ଫେରିଛନ୍ତି । ସରକାର ସ୍ବାସ୍ଥ୍ୟସେବା ପାଇଁ ସମସ୍ତ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ କିଛି ଅସାଧୁ ଅଧିକାରୀଙ୍କ ପାଇଁ ମଦନ ପ୍ରମାଣ ପତ୍ର ପାଇ ପାରି ନାହାଁନ୍ତି। ଏଣୁ ମଧୁବାବୁ ପେନସନ ଯୋଜନାରୁ ସେ ବଞ୍ଚିତ ହୋଇରହିଛନ୍ତି । ଏଣୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି।




