
ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦୨୦ବର୍ଷର ପ୍ରଥମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହା ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କର ୩୨ତମ ବୈଠକ । ପ୍ରଗତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସକ୍ରିୟ ପ୍ରଶାସନ ଓ ସମୟବଦ୍ଧ କାର୍ୟ୍ୟାନ୍ଵୟନ ଲାଗି ଏକ ଆସିଟି ଆଧାରିତ ବହୁମୂଖୀ ମଞ୍ଚ । ଆଜି ପ୍ରଗତି ବୈଠକରେ ପ୍ରଧାନମନ୍ତ୍ରୀ ୧୧ ଟି ବିଷୟ ଉପରେ ଆଲୋଚନା କରିଥିଲେ । ଏଥିରେ ୯ ଟି ବିଳମ୍ବିତ ପ୍ରକଳ୍ପ ସାମିଲ ଥିଲା । ୨୪,୦୦୦ କୋଟି ଟଙ୍କାର ଏହି ୯ ଟି ପ୍ରକଳ୍ପ ଓଡିଶା, ତେଲଙ୍ଗାନା, ମହାରାଷ୍ଟ୍ର, ଝାଡଖଣ୍ଡ, ବିହାର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, କେରଳ ଓ ଉତ୍ତରପ୍ରଦେଶ ସହିତ ୩ ଟି କେନ୍ଦ୍ରଶାସିତ ଅଞ୍ଚଳ ସହ ଜଡିତ । ଏହିସବୁ ପ୍ରକଳ୍ପ ମଧ୍ୟରେ ୩ ଟି ରେଳ ମନ୍ତ୍ରଣାଳୟ, ୫ ଟି ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଗୋଟିଏ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପ୍ରକଳ୍ପ ରହିଛି ।
ବୀମା ଯୋଜନା ଅନ୍ତର୍ଗତ ଅଗ୍ରଗତି – ପିଏମଜେଜେବିୱାଇ ଏବଂ ପିଏମଏସବିୱାଇ ଯୋଜନାର ସମୀକ୍ଷା-
ଏହି ବୈଠକରେ ପ୍ରଧାନମନ୍ତ୍ରୀ ଆର୍ଥିକ ସେବା ବିଭାଗ ଅନ୍ତର୍ଗତ ବୀମା ଯୋଜନା ଯେପରିକି, “ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା” (ପିଏମଜେଜେବିୱାଇ) ଏବଂ “ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା” (ପିଏମଏସବିୱାଇ) ସହ ଜଡିତ ଅଭିଯୋଗ ବିଷୟରେ କାର୍ୟ୍ୟ ସମ୍ପାଦନର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଅପରାଧ ଓ ଅପରାଧୀ ଟ୍ରାକିଂ ନେଟୱାର୍କ ଓ ପ୍ରଣାଳୀ (ସିସିଟିଏନଏସ) ପ୍ରକଳ୍ପ ଅନ୍ତର୍ଗତ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପ ଇ-ପ୍ରଶାସନ ମାଧ୍ୟମରେ ପ୍ରଭାବୀ ପୁଲିସ ବ୍ୟବସ୍ଥା ଲାଗି ଏକ ବ୍ୟାପକ ଓ ସମନ୍ଵିତ ପ୍ରଣାଳୀ ଅଟେ । ଗତ ୩୧ ଟି ପ୍ରଗତି ଆଲୋଚନାରେ ପ୍ରଧାନମନ୍ତ୍ରୀ ୧୨.୩୦ ଲକ୍ଷ କୋଟି ଟଙ୍କାର ମୋଟ ନିବେଶ ସହିତ ୨୬୯ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସେ ବିଶେଷ କ୍ଷେତ୍ରର ୪୭ ଟି ସରକାରୀ କାର୍ୟ୍ୟକ୍ରମ ଓ ଯୋଜନା ସହ ଜଡିତ ଅଭିଯୋଗ ସମାଧାନର ସମୀକ୍ଷା ମଧ୍ୟ କରିଛନ୍ତି ।



