ଲୋକସେବକ ମଣ୍ଡଳ ପକ୍ଷରୁ ଦୁର୍ଗମ ଗ୍ରାମର ଆଦିବାସୀଙ୍କୁ କମ୍ବଳ ବଣ୍ଟନ

18

ପାତ୍ରପୁର,୫/୦୧(ଜିଲ୍ଲା ଖବର) : ଗତ କିଛିଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଇଛି । ପାତ୍ରପୁର ବ୍ଳକ ଦୁର୍ଗମ ଆଦିବାସୀ ଗ୍ରାମ ମାନଙ୍କରେ ଶୀତର ପ୍ରକୋପ ଦ୍ୱିଗୁଣିତ ହୋଇଛି । ଏହାକୁ ଦେଖି ପାତ୍ରପୁର ବ୍ଲକ ଦୁର୍ଗମ ପାହାଡ଼ ଉପରେ ଥିବା ଆଙ୍କୁଲି, ବୁରାତାଲ, ତୁରୁବୁଡ଼ି ପଂଚାୟତ ସମେତ ସୀମାନ୍ତ ଗଜପତି ଜିଲ୍ଲାର ସମୁଦାୟ ସତର ଗୋଟି ଗ୍ରାମର ଆଦିବାସୀ ଲୋକଙ୍କୁ ଲୋକସେବକ ମଣ୍ଡଳ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । ଏହି ସବୁ ଆଦିବାସୀ ଗ୍ରାମ ମଧ୍ୟରୁ ଆଙ୍କୁଲି ପଞ୍ଚାୟତ ଏଲଗଲ , ଶିରିସିଗଣ୍ଡ , ଫରୁଆସିଙ୍ଗି, ବୁରାତାଲ ପଞ୍ଚାୟତ ମହଲିମ୍ବ, ହରଡାପାଟୁ, ନୂଆସାହି ଗ୍ରାମର ୪୫ ଜଣ ଗରୀବ ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ଲୋକଙ୍କୁ ବାଘଲଟି ଜଳଭଣ୍ଡାର ପଠାରେ କମ୍ବଳ ବଣ୍ଟନ କରାଯାଇ ଥିଲା । ଏହାପରେ ତୁରୁବୁଡ଼ି ପଞ୍ଚାୟତ ଝଗଡା ପଲ୍ହୀ ନୂଆ ସାହି ଠାରେ ଗ୍ରାମ ଛାଡି ଚଳିତ ବର୍ଷ ନୂତନ ଭାବେ ଘର କରି ରହୁଥିବା ବେହେରା ପଟୁ, ଏଲଗଲ ଗ୍ରାମର ତେର ଆଦିବାସୀ ପରିବାରଙ୍କୁ କମ୍ବଳ ବଣ୍ଟନ କରାଯାଇ ଥିଲା । ନିକଟରେ ଥିବା ସମସ୍ତ ଆଦିବାସୀ ଗ୍ରାମ ଢ଼ଉବଡ଼ ଏବଂ ପାର୍ଶ୍ଵରେ ଗଜପତି ଜିଲ୍ଲାରୁ ଆସି ରହୁଥିବା ଅନ୍ତନାଳି, ପାଇଣ୍ଡା, ପୂଜାରୀ କୁଲୁ, ଧାନବାଡ, ଦୟାରୀ ଗଣ୍ଡ, କୈଠଢେପା, ପ୍ରଭୁତି ଗ୍ରାମର ତିରିଶିରୁ ଉର୍ଦ୍ଧ୍ବ ଗରୀବ ଆଦିବାସୀଙ୍କୁ କମ୍ବଳ ବଣ୍ଟନ କରାଯାଇ ଥିଲା । ପୂର୍ବରୁ ଖାରିଆଗୁଡ଼ା ଠାରେ ଜଣେ ଦଳିତ ବିଧବା ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇ ଥିଲା । ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ତଥା ସମାଜ ରିଲିଫ ସଂଗଠନର ସମ୍ପାଦକ ରାଜେନ୍ଦ୍ର କୁମାର ଜେନା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତେକ ପରିବାରକୁ କମ୍ବଳ ବଣ୍ଟନ କରିଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମ ବେଳେ ସମାଜସେବୀ ତଥା ଅବସର ପ୍ରାପ୍ତ ସେନା ଅଧିକାରୀ ଅଶୋକ କୁମାର ସାମନ୍ତଙ୍କ ସହିତ ପାତ୍ରପୁର ସମାଜ ସମ୍ବାଦ ଦାତା ରବୀନ୍ଦ୍ର କୁମାର ମିଶ୍ର ଯୋଗଦେଇ ବଣ୍ଟନ କାର୍ଯ୍ୟରେ ସହାୟତା କରିଥିଲେ । ବଣ୍ଟନ ବେଳେ ସାମ୍ବାଦିକ ରାଜେଶ କୁମାର ସେଠୀ, ସମାଜ ସେବୀ ସହଦେବ ନାୟକ, ନରସିଂହ କାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ । ଲୋକମାନେ ଶୀତ ସମୟରେ ସମାଜ ତଥା ଲୋକସେବକ ମଣ୍ଡଳର ଏହିଭଳି ପ୍ରୟାସକୁ ସାଧୁବାଦ ଜଣାଇଥିଲେ ।