ସ୍ୱାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ

8

ଧରାକୋଟ ୪/୦୧(ଜିଲ୍ଲା ଖବର) : ରାଜ୍ୟର ସମସ୍ତ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରୁଛନ୍ତି । କର୍ମଚାରୀ ନିଯୁକ୍ତି ସହ ଭିତ୍ତିଭୂମି ର ବିକାଶ ପାଇଁ ପଦକ୍ଷେପ ନେଉଛନ୍ତି ସରକାର । ଏଥିପାଇଁ ଆରମ୍ଭ ହୋଇଛି ମୋ ହସ୍ପିଟାଲ ଯୋଜନା । ଧରାକୋଟ ବ୍ଲକର ଜନ ସାଧାରଣ ଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଧରାକୋଟ ରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଏହାର ପରିସରରେ ଅବସ୍ଥିତ କର୍ମଚାରୀ କ୍ୱାର୍ଟର ଗୁଡ଼ିକ ବହୁ ପୁରାତନ ହୋଇଥିବାରୁ ସଂପ୍ରତି ସରକାର ଚାରି କୋଟି ଟଙ୍କା ବ୍ୟୟରେ ନୂତନ କ୍ୱାର୍ଟର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଏହି କୋଠା ନିର୍ମାଣ କରାଯିବ । ଧରାକୋଟ ରାଜସ୍ବ ନିରୀକ୍ଷକ ଯଜ୍ଞ ନାରାୟଣ ନାୟକ,ପୂର୍ତ୍ତ ବିଭାଗ ଯନ୍ତ୍ରୀ ଚିରଞ୍ଜିବୀ ସାହୁ, ଏନ୍ ହେଚ ଏମ ଯନ୍ତ୍ରୀ ସ୍ୱାଗତିକା ସାହୁ ପ୍ରମୁଖ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ସ୍ଥାନ ପରିଦର୍ଶନ କରିବା ସହ ନୂତନ କୋଠା ନିର୍ମାଣ ପାଇଁ ଚିହ୍ନଟ କରିଥିଲେ । ଏହି ସ୍ଥାନରେ ଚାରିଗୋଟି ଡି ଟାଇପ , ଚାରିଗୋଟି ଇ ଟାଇପ ଓ ଛଅ ଗୋଟି ଏଫ୍ ଟାଇପ କ୍ୱାର୍ଟର ନିର୍ମାଣ କରାଯିବ। ବର୍ତ୍ତମାନ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା କୋଠା ଗୁଡ଼ିକ ଅସୁରକ୍ଷିତ ଅବସ୍ଥାକୁ ଆସି ଯାଇଥିବାରୁ ସରକାର ନୂତନ କୋଠା ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।