ଗ୍ରାମଦେବତୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

15

ପାତ୍ରପୁର,୪/୦୧(ଜିଲ୍ଲା ଖବର) : ପାତ୍ରପୁର ବ୍ଲକ ମନ୍ଦରଡ଼ା ପଞ୍ଚାୟତ ଅନ୍ତର୍ଗତ ତିନିଘରିଆ ଗ୍ରାମର ଯୁବ ଗୋଷ୍ଠୀ ତରଫରୁ ୧୬ଟି ଦଳକୁ ନେଇ ଅନୁଷ୍ଠିତ ଗ୍ରାମଦେବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦ୍‌ଘାଟିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ଚିକିଟୀ ଯୁବରାଜ ତଥା ମନ୍ତ୍ରୀ ଉଷାଦେବୀଙ୍କ ପୁତ୍ର ଶ୍ରୀରୂପ ଦେଓ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ରାଜନେତା ସୁରେନ୍ଦ୍ର ମଣ୍ଡଳ, ମହନ୍ତ ଶ୍ରୀରାମ କିଶୋର ଦାସ, ରାମନାଥ ପାଣିଗ୍ରାହୀ, ବିଜୟ ପ୍ରଧାନ, କେଶବ କୁଣ୍ଡ, ରଘୁ ନନ୍ଦନ ସାହୁ, ଧର୍ମା ରେଡ୍ଡୀ, ଅଞ୍ଚଳ ପ୍ରଧାନ, ଅମୂଲ୍ୟ ପଣ୍ଡା, ପୂର୍ବତନ ସରପଞ୍ଚ ବସନ୍ତ ପ୍ରଧାନଙ୍କ ସହ ମନ୍ଦରଡ଼ା ଗ୍ରାମ୍ୟ କମିଟି ସଦସ୍ୟ ଉପସ୍ଥିତ ଥିଲେ । ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ବନ୍ଧିତ କରାଯାଇଥିଲା । ଉଦଘାଟନୀ ଦିବସରେ ମାଉନ୍ଦପୁର ଓ ସାନଡୁମ୍ବୁଳା ମଧ୍ୟରେ ମ୍ୟାଚ୍ ହୋଇଥିଲା । ସାନଡୁମ୍ବୁଳା ଦଳ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୧୨ ଓଭର ଖେଳି ୯ ୱିକେଟ ବିନିମୟରେ ୧୩୪ ରନ୍ କରିଥିବା ବେଳେ ମାଉନ୍ଦପୁର ଦଳ ମାତ୍ର ୮୩ ରନ କରି ୫୧ ରନ୍‌ରେ ପରାସ୍ତ ହୋଇଥିଲେ । ସାନଡୁମ୍ବୁଳା ଦଳର ନିଳାଞ୍ଚଳ ଗୌଡ଼ଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ପ୍ରଥମ ଦିନର ଖେଳକୁ ବସନ୍ତ ସେଠୀ ଓ ପିଣ୍ଡୁ ସେଠୀ ପରିଚାଳନା କରିଥିବା ବେଳେ ବସନ୍ତ ପ୍ରଧାନ ଓ କାହ୍ନା ସାହୁ ସ୍କୋରର ଦାୟିତ୍ଵ ତୁଲାଇଥିଲେ। ଉଦଘାଟନୀ ସଭାକୁ ସାମ୍ବାଦିକ ରାଜଗୋପାଳ ପାଢ଼ୀ ପରିଚାଳନା କରିଥିବା ବେଳେ ବିଜୟ ଗୌଡ଼ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ କୁରାମଣି ପ୍ରଧାନ, ରଞ୍ଜନ ଗୌଡ଼, ହରିକୃଷ୍ଣ ପ୍ରଧାନ, ସରୋଜ ସେଠୀ ଓ ତିନିଘରିଆ ଗ୍ରାମବାସୀ ସହଯୋଗ କରିଥିଲେ । ଫ୍ରିଜ‌, କୁଲର, ଡିଜିଟାଲ ଘଣ୍ଟା, ପଙ୍ଖା, ସାଇକେଲ, ଏଲଇଡି ଖେଳାଳିଙ୍କୁ ପୁରସ୍କାର ଦିଆଯିବ । ଚମ୍ପିଆନ ଟିମକୁ ଟ୍ରଫି ସହ ନଗଦ ୫୦ ହଜାର ଓ ରନର୍ସ ଦଳକୁ ଟ୍ରଫି ସହ ନଗଦ ୩୦ ହଜାର ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଛି । ଉଭୟ ଚମ୍ପିଆନ ଓ ରନର୍ସ ଦଳକୁ ମିଳିବାକୁ ଥିବା ନଗଦ ପୁରସ୍କାର ରାଶି ମନ୍ତ୍ରୀ ଉଷାଦେବୀଙ୍କ ତରଫରୁ ପ୍ରଦାନ କରାଯିବ ବୋଲି ଉଦଘାଟନ ବେଳେ ଶ୍ରୀରୂପ ଦେଓ ଖେଳାଳିଙ୍କୁ ସୂଚନା ଦେଇଥିଲେ ।