
ଭୁବନେଶ୍ୱର (ଜିଲ୍ଲା ଖବର) : ଆଜି ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ କ୍ରାନ୍ତିବୀର ଫାଉଣ୍ଡେସନ ଦିବ୍ୟ ଭାରତ ଯୁବ ସଙ୍ଗଠନ ପକ୍ଷରୁ ଓଡ଼ିଶାର ବରପୁତ୍ର ତଥା ସ୍ୱାଧୀନତା ସଂଗ୍ରାମରେ ସମଗ୍ର ଦେଶର ସଂଗ୍ରାମୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ତରୁଣ ଯୁବ ହୃଦୟର ସ୍ପନ୍ଦନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ରସୁଲଗଡ଼ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଙ୍ଗଠନର ସ୍ବେଚ୍ଛାସେବୀ ବନ୍ଧୁମାନେ ପରସ୍ପରକୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉପଲକ୍ଷେ ଅଭିନନ୍ଦନ ଜଣାଇଥିଲେ । ଆଉ ଦୁଇ ଦିନ ପରେ ଦେଶ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଥିଲାବେଳେ ଆଜି ଦିନରେ ଦେଶରେ ଯେଉଁ ଅରାଜକତା ବ୍ୟାପିଛି ତାହା ନେଇ ସଙ୍ଗଠନ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଥିଲା । କେଉଁଠି ଦେଶକୁ ଆହୁରି ବିଭାଜିତ କରିବା ପାଇଁ ଟୁକଡ଼ା ଟୁକଡ଼ା ଗ୍ୟାଙ୍ଗ ସକ୍ରିୟ ହେଲେଣି ତ କେଉଁଠି ଭାରତବାସୀ ବୋଲି ଅଭିନୟ କରି ଦେଶ ବିରୋଧୀ ଗୋଷ୍ଠୀ ଆତଙ୍କବାଦୀଙ୍କୁ ବି ଦେଶର ନାଗରିକତା ପ୍ରଦାନ କରିବା ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଉଦ୍ଦେଶ୍ୟ କେବଳ ଏକ ଭୋଟ୍ ବ୍ୟାଙ୍କ ସୃଷ୍ଟି କରି ପରେ କେମିତି ବି ହେଉ କ୍ଷମତା ହାସଲ କରିବା । ଗଣତାନ୍ତ୍ରିକ ପଦ୍ଧତିରେ ଏମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବା ଏକ କଠିନ ବ୍ୟାପାର ବୋଲି ନେତାଜୀ ବହୁ ପୂର୍ବରୁ ଅନୁମାନ କରିଥିଲେ ଏବଂ ଭାରତରେ ଲୋକମାନଙ୍କୁ ରାଷ୍ଟ୍ରୀୟ ଢାଞ୍ଚାରେ ପକାଇବା ପାଇଁ କୋଡ଼ିଏ ବର୍ଷର ନିହାତି ମିଲିଟାରୀ ଶାସନ ଆବଶ୍ୟକତା ଉପରେ ଜୋର ଦେଇଥିଲେ ବୋଲି ମତ ପ୍ରକାଶ ପାଇଥିଲା । ରାଜନୈତିକ ଗୋଷ୍ଠୀମାନଙ୍କର ଏହି ତୁଷ୍ଟିକରଣ ନୀତିକୁ ନେତାଜୀ ବହୁ ପୂର୍ବରୁ ଅନୁଭବ କରି ସାରିଥିଲେ ଏବଂ ଏହା ଏକ ଶୁଦ୍ଧ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ପ୍ରତିବନ୍ଧକ ହେବ ବୋଲି ଜାଣିଥିଲେ ଯାହା ଆମେ ଆଜି ଅଙ୍ଗେ ଅଙ୍ଗେ ଅନୁଭବ କରୁଛେ ବୋଲି ଚର୍ଚ୍ଚା ହୋଇଥିଲା । ନିଜର ସାଲିସବିହୀନ ନିଛକ ଦେଶପ୍ରେମ ପାଇଁ ନେତାଜୀ ଧାର୍ମିକ ତୁଷ୍ଟିକରଣ ଓ ପକ୍ଷପାତପୂର୍ଣ୍ଣ ରାଜନୀତିର ଶୀକାର ହୋଇଥିଲେ ବୋଲି ମତ ପ୍ରକାଶ ପାଇଥିଲା । ସେହିପରି ବୀର ସୁରେନ୍ଦ୍ର ସାଏଙ୍କ ଅମର ଗାଥା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରଣିଧାନର ବିଷୟ ହୋଇଥିଲା ବେଳେ ଜାଣିଶୁଣି ଦେଶର ଏହି କ୍ରାନ୍ତିବୀର ଯୁଗପୁରୁଷମାନଙ୍କୁ ଇତିହାସ ପୁସ୍ତକରେ ସ୍ଥାନ ଦିଆଯାଇନାହିଁ ବୋଲି ସଙ୍ଗଠନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ କ୍ରାନ୍ତିବୀର ଆଶିଷ କୁମାର ଲେଙ୍କା, ଜଗତଜୀବନ ଜେନା, ପ୍ରକାଶ ଚନ୍ଦ୍ର ବାରିକ, ଆଡଭୋକେଟ ଦେବାଶିଷ ମିଶ୍ର, ଯୋଗାଚାର୍ଯ୍ୟ ଡ଼ଃ ବିଶ୍ୱରଞ୍ଜନ ରଥ, କାଶୀ ବିଶ୍ୱନାଥ, ସଂଜୀବ କୁମାର ମିଶ୍ର, ଦୀନବନ୍ଧୁ ଷଡ଼ଙ୍ଗୀ, ଶୁଭ୍ରଜିତ ଦାଶ, ମହିଳା ସାମାଜିକ କର୍ମୀ ବନଜାବାସିନୀ ତ୍ରିପାଠୀ, ଲିନୁ ମିଶ୍ର, ସଂଧ୍ୟାରାଣୀ ଅପା ପ୍ରମୁଖ ଯୋଗ ଦେଇଥିଲେ ।



