
ଧରାକୋଟ,୧୫/୧୨ : ଧରାକୋଟ ବ୍ଲକର ଚାଷୀ ମାନେ ଧାନ ମଣ୍ଡି ଖୋଲିବାକୁ ନେଇ ଚିନ୍ତାରେ ପଡିଛନ୍ତି। ଚଳିତ ବର୍ଷର ନିଅଣ୍ଟିଆ ଓ ଅଦିନ ବର୍ଷା ଯୋଗୁଁ ଚାଷୀ ବେଶ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସ୍ଵଳ୍ପ ବୃଷ୍ଟି ଯୋଗୁଁ ଶତକଡା ପଚାଶ ପ୍ରତିଶତ ଫସଲ ଆଦାୟ ହୋଇଥିବା ବେଳେ ବାକି ଫସଲ ନଷ୍ଟ ହୋଇଯାଇଛି । ବ୍ଲକର ଅଧିକାଂଶ ପଞ୍ଚାୟତ ରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକିଛି ଅମଳ ହୋଇଛି ତାକୁ ଚାଷୀ ବିଲରୁ ସଂଗ୍ରହ କରି ମଣ୍ଡି ରେ ବିକ୍ରି ପାଇଁ ଚାହିଁ ବସିଛି। ଏହା ମଧ୍ୟରେ ଆନ୍ଧ୍ର ବେପାରୀ ମାନଙ୍କ ଲୋଲୁପ ଦୃଷ୍ଟି ଗାଁ ଗହଳିରେ ପଡ଼ିଲାଣି । ସ୍ଥାନୀୟ ଅସାଧୁ ବ୍ୟକ୍ତିଙ୍କୁ ହାତକରି ଚାଷୀ ମାନଙ୍କ ଠାରୁ ଶାଗ ମାଛ ମୂଳରେ କ୍ଵିଣ୍ଟାଲ ପିଛା ୧୮୦୦ ଟଙ୍କା ଦରରେ ଧାନ କିଣୁଛନ୍ତି। ଘଟଣା ସମ୍ପର୍କରେ ବ୍ଲକ ଯୋଗାଣ ନିରୀକ୍ଷକ ସଞ୍ଜୟ ମଲିକ ଙ୍କ ଦୃଷ୍ଟି ଆକର୍ଷଣ କରିବା ବେଳେ ଅସାଧୁ ବ୍ୟବସାୟୀ ମାନଙ୍କ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ବ୍ଲକ ସ୍ତରରେ ଆସନ୍ତା ୨୯ ତାରିଖ ଦିନ ୧୯ ଗୋଟି ମଣ୍ଡି ଖୋଲିବା ପାଇଁ ପ୍ରଶାସନ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମଣ୍ଡି ରେ ଧାନ ବିକ୍ରି ପାଇଁ ୬୮୧୨ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ସରକାର କ୍ଵିଣ୍ଟାଲ ପିଛା ୨୧୮୩ ଟଙ୍କା ମୂଲ୍ୟରେ ଚାଷୀ ମାନଙ୍କ ଠାରୁ ଧାନ କିଣିବେ । ଏଣୁ କୌଣସି ଚାଷୀ ବାହାରେ ଧାନ ବିକ୍ରି ନକରିବା ପାଇଁ ସେ ସୂଚନା ଦେଇଛନ୍ତି।



