
ଆସିକା (ଜିଲ୍ଲା ଖବର): ଚଳିତ ଆଖୁପେଡ଼ା ଋତୁ ପାଇଁ ଗଞ୍ଜାମ ଜିଲ୍ଲାର ଏକ ମାତ୍ର ଆସିକା ସମବାୟ ଚିନିଶିଳ୍ପ ଚାଷୀଙ୍କ ଠାରୁ ଆଖୁ ସଂଗ୍ରହ ଓ ଚିନି ଉତ୍ପାଦନ ପାଇଁ ପ୍ରସ୍ତୁତି ହୋଇଥିବା ବେଳେ ଉକ୍ତ ଚିନିଶିଳ୍ପରେ କାର୍ଯ୍ୟରତ ୧୬୦ ଜଣ ଆଉଟସୋର୍ସ କର୍ମଚାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କର ଏପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ସମାଧାନ ହୋଇପାରିନାହିଁ l ତେଣୁ ଚଳିତ ବର୍ଷ କାରଖାନା କାର୍ଯ୍ୟକ୍ଷମ ପାଇଁ ସନ୍ଦିହୀନ ହୋଇପଡିଛି lଏହି ଭିତ୍ତିରେ ଆଉଟସୋର୍ସ କର୍ମଚାରୀଙ୍କ ସଙ୍ଘ ଚିନିଶିଳ୍ପ ଆସିକା ତରଫରୁ ବିଶ୍ୱନାଥ ପଣ୍ଡାଙ୍କ ସଭାପତିତ୍ୱରେ ମୁକୁନ୍ଦପୁର ହନୁମାନ ମନ୍ଦିର ପରିସରରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଆଉଟସୋର୍ସ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଯଥା ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଦ୍ୱାରା ଇ.ପି.ଏଫ, ପି.ଏସ.ଆଇ ସମସ୍ୟା ବକେୟା ଦରମା ପ୍ରଦାନ, କର୍ମଚାରୀ ମାନଙ୍କୁ ସର୍ବେତନିକ ଛୁଟି, ନିୟମିତ ସରକାରଙ୍କ ଦ୍ୱାରା ସ୍ଥିରକୃତ ସର୍ବନିମ୍ନ ମଜୁରୀ, କର୍ମଚାରୀଙ୍କ ଛଟେଇ ବନ୍ଦ କରିବା ଓ ଆଗାମୀ ଦିନରେ ନିୟମିତ କର୍ମଚାରୀଙ୍କ ଛଟେଇ ଭିତ୍ତିରେ ଆଉଟସୋର୍ସ କର୍ମଚାରୀଙ୍କୁ ସ୍ଥାୟୀ କରିବା ଆଦି ବିଷୟ ଆଲୋଚନା ହୋଇଥିଲା l ଆଗାମୀ ଦିନରେ ପ୍ରଶାସନ ଦେଇଥିବା ପ୍ରତିଶୃତି ମୁତାବକ ଦାବି ପୂରଣ ନହୁଏ ଆନ୍ଦୋଳନାତ୍ମକ ପନ୍ଥା ନିଆଯିବ ବୋଲି ନିଷ୍ପତି ହୋଇଥିଲା l ଏହି ବୈଠକରେ ସଂଘର ଉପସଭାପତି ବିଶ୍ୱନାଥ ପଣ୍ଡା, ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, ଉପ ସମ୍ପାଦକ ରୂପ କୁମାର ପାତ୍ର, କୋଷାଧ୍ୟକ୍ଷ ରତ୍ନାକର ସ୍ୱାଇଁ, ସଂଘର କମିଟି ବସନ୍ତ ପଟ୍ଟନାୟକ, ଆକୁଳ ରାଉତ, ସନାତନ ବେହେରା, ଭଗବାନ ସାହୁ, ଯଦୁମଣି ପରିଡା, ନବୀନ ଗୌଡ଼, ଗଣେଶ ମହାରଣା ପ୍ରମୁଖ କର୍ମଚାରୀ ଯୋଗ ଦେଇଥିଲେ l
ରିପୋର୍ଟର ସନାତନ ବେହେରା



