ଧାରଣାରତ ସରପଂଚ ଓ ସମିତିସଭ୍ୟଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ

109

ପଂଚାୟତରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ଦାବିକୁ ସ୍ୱର ଦେବ ବିଜେପି

 ସରପଂଚ ଓ ସମିତିସଭ୍ୟଙ୍କ ସମସ୍ତ ଦାବିକୁ ବିଧାନସଭାରେ ଉଠାଯିବ
 ପଂଚାୟତସ୍ତରରେ ନିର୍ବାଚିତ ଜନପ୍ରତିନିଧିଙ୍କ କ୍ଷମତାକୁ ସରକାରୀ ଅଧିକାରୀମାନେ ହଡପ କରୁଛନ୍ତି
 ପଲ୍ଲିସଭା ଓ ଗ୍ରାମସଭାକୁ ଗୁରୁତ୍ୱ ଦେଉନାହାନ୍ତି ରାଜ୍ୟ ସରକାର
 ସରପଂଚ ଓ ସମିତିସଭ୍ୟମାନଙ୍କ ସମ୍ମାନଜନକ ଭତାରେ ବୃଦ୍ଧି କରାଯାଉ
 ପଂଚାୟତକୁ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ଅର୍ଥ ବିନିଯୋଗରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ପ୍ରତ୍ୟକ୍ଷ ଭୂମିକା ବାଧ୍ୟତାମୂଳକ କରାଯାଉ
 ସରପଂଚ ଓ ସମିତିସଭ୍ୟମାନଙ୍କୁ ପଂଚାୟତରେ ଜନକଲ୍ୟାଣମୂଳକ କାର୍ୟ୍ୟ କରିବା ପାଇଁ ପର୍ୟ୍ୟାପ୍ତ ପରିମାଣର ପାଣ୍ଠି ଯୋଗାଇ ଦିଅନ୍ତୁ

ଭୁବନେଶ୍ୱର ତା.୨୫/୦୯: ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରପଂଚ ହୁଅନ୍ତୁ ବା ସମିତିସଭ୍ୟମାନେ ହୁଅନ୍ତୁ ଏମାନେ ହିଁ ବାସ୍ତବରେ ତୃଣମୂଳସ୍ତରରେ ଗଣତନ୍ତ୍ରର ପ୍ରତିନିଧି । ତୃଣମୂଳ ସ୍ତରରେ ସରକାରଙ୍କ ଯୋଜନାକୁ ଲୋକମାନଙ୍କ ପାଖରେ ପଂହଚାଇବା, ଲୋକଙ୍କ ସୁବିଧା ଅସୁବିଧା ସମାଧାନ କରିବାରେ ସେମାନଙ୍କର ଭୂମିକା ସର୍ବାଧିକ । କିନ୍ତୁ ଓଡ଼ିଶାରେ ଯେଉଁଭଳିଭାବରେ ବିଜୁ ଜନତା ଦଳର ସରକାର ପଂଚାୟତରାଜ ବ୍ୟବସ୍ଥାର ନୀତି ନିୟମକୁ ଜଳାଞ୍ଜଳି ଦେଇ, ସେମାନଙ୍କୁ ଦିଆଯାଇଥିବା ସମ୍ବିଧାନ ପ୍ରଦତ କ୍ଷମତାକୁ ସଂକୁଚିତ କରୁଛନ୍ତି ତାହା ଅତ୍ୟନ୍ତ୍ର ଅଗଣତାନ୍ତ୍ରିକ । ଅଟଳ ବିହାରୀ ବାଜପେୟୀ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ଗ୍ରାମସଭା ଓ ପଲ୍ଲିସଭାକୁ ଏକ ସାମ୍ବିଧାନିକ କ୍ଷମତା ଦିଆଯାଇଥିଲା । ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ପଂଚାୟତକୁ ଅର୍ଥ କମିଶନ ଜରିଆରେ ସିଧାସଳଖ ୪୦ ଲକ୍ଷ ରୁ ୮୦ଲକ୍ଷ ପର୍ୟ୍ୟନ୍ତ ଅନୁଦାନ ଦେବାର ବ୍ୟବସ୍ଥା ଆରମ୍ଭ ହେଲା । କିନ୍ତୁ ଓଡ଼ିଶାରେ ଯେଉଁଭଳିଭାବରେ ବାବୁତନ୍ତ୍ରକୁ ପ୍ରୋତ୍ସାହନ ଦେଇ ରାଜ୍ୟ ସରକାର ସରପଂଚ ଓ ସମିତିସଭ୍ୟମାନଙ୍କ କ୍ଷମତାକୁ ନେଇ ଅଫିସରମାନଙ୍କ ହାତରେ ଦେଲେ ତାହା ପଂଚାୟତରାଜ ବ୍ୟବସ୍ଥାର ଯେଉଁ ମହତ୍ୱ ଉଦ୍ଦେଶ୍ୟ ଥିଲା ତାକୁ କୁଠାରଘାତ କଲା । ଓଡ଼ିଶାରେ ପଲ୍ଲିସଭା ଓ ଗ୍ରାମସଭାକୁ ସରକାର ଗୁରୁତ୍ୱ ଦେଉନାହାନ୍ତି । ଏପରିକି ସରପଂଚ ଓ ସମିତିସଭ୍ୟକୁ ନ୍ୟାର୍ୟ୍ୟ ସମ୍ମାନ ଦେଉନାହାନ୍ତି । ୭୩ତମ ସମ୍ବିଧାନ ସଂଶୋଧନରେ ଯେଉଁ ଯେଉଁ କ୍ଷମତା ପଂଚାୟତରେ ରହିବା କଥା ତାହା ବିଡିଓ ଓ କଲେକ୍ଟରଙ୍କ ପାଖରେ ଅଛି । ପଂଚାୟତସ୍ତରରେ ନିର୍ବାଚିତ ଜନପ୍ରତିନିଧିଙ୍କ କ୍ଷମତାକୁ ଅଧିକାରୀମାନେ ହଡପ କରି ଉପଭୋଗ କରୁଛନ୍ତି । ଚଳିତ ବିଧାନସଭା ଅଧିବେଶନରେ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ବିଧାନସଭାରେ ଏ ସମସ୍ତ ପ୍ରସଙ୍ଗକୁ ଉପସ୍ଥାପନା କରିବା ସହିତ ପଂଚାୟତରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ଦାବିକୁ ସ୍ୱର ଦେବ ।


ଆଜି ଲୋଏର ପିଏମ୍‌ଜିଠାରେ ଧାରଣା ସ୍ଥଳରେ ଧାରଣା ଦେଇଥିବା ସରପଂଚ ଓ ସମିତିସଭ୍ୟମାନଙ୍କ ସହ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ଆଲୋଚନା କରି ସେମାନଙ୍କ ସମସ୍ତ ଦାବିକୁ ଶୁଣିଥିଲେ ଓ ତାହା ସମ୍ପୂର୍ଣ୍ଣ ଯଥାର୍ଥ ବୋଲି ହୃଦୟଙ୍ଗମ କରି ଏହାକୁ ପୂର୍ଣ୍ଣସମର୍ଥନ କରିଥିଲେ ।
ସରପଂଚ ଓ ସମିତିସଭ୍ୟମାନଙ୍କ ସମ୍ମାନଜନକ ଭତାରେ ବୃଦ୍ଧି, ପଂଚାୟତକୁ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ଅର୍ଥ ବିନିଯୋଗରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ପ୍ରତ୍ୟକ୍ଷ ଭୂମିକାକୁ ବାଧ୍ୟତାମୂଳକ କରିବା, ପଂଚାୟତରାଜ ବ୍ୟବସ୍ଥାରେ ୭୩ତମ ଅଧିନିୟମ ଅନୁସାରେ ଦିଆଯାଇଥିବା ସମସ୍ତ କ୍ଷମତା ପଂଚାୟତକୁ ହସ୍ତାନ୍ତର କରିବା, ଗ୍ରାମସଭା ଓ ପଲ୍ଲିସଭାକୁ ଗୁରୁତ୍ୱ ଦେବା, ସରପଂଚ ଓ ସମିତିସଭ୍ୟମାନଙ୍କୁ ପଂଚାୟତରେ ଜନକଲ୍ୟାଣମୂଳକ କାର୍ୟ୍ୟ କରିବା ପାଇଁ ପର୍ୟ୍ୟାପ୍ତ ପରିମାଣର ପାଣ୍ଠି ଯୋଗାଇ ଦେବା, ପ୍ରତି ପଂଚାୟତରେ କାର୍ୟ୍ୟନିର୍ବାହି ଅଧିକାରୀ ଓ ଜିଆରଏସ୍ ନିଯୁକ୍ତି କରିବା ଆଦି ସମସ୍ତ ପ୍ରସଙ୍ଗକୁ ଭାରତୀୟ ଜନତା ପାର୍ଟି ବିଧାନସଭାରେ ସରକାରଙ୍କ ପାଖରେ ଉପସ୍ଥାପନ କରିବ ଓ ଦଳୀୟ କାର୍ୟ୍ୟକ୍ରମରେ ମଧ୍ୟ ଏହି ଦାବିକୁ ସାମିଲ କରାଯିବ ।
ଏହି ପ୍ରତିନିଧି ମଣ୍ଡଳୀରେ ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, ନବଚରଣ ମାଝୀ, କୁସୁମ ଟେଟେ, ସୂର୍ୟ୍ୟବଂଶୀ ସୁରଜ, ନାଉରୀ ନାୟକ, ସନାତନ ବିଜୁଳୀ, ଭବାନୀ ଶଙ୍କର ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଗଣେଶ ରାମ ଖୁଂଟିଆ, ରାଜ୍ୟ ଓବିସିମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜେନ୍ଦ୍ର ପଣ୍ଡା, ଅନିଲ ବିଶ୍ୱାଳ, ମନୋଜ ମହାପାତ୍ର, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।