
ଧରାକୋଟ,୪/୦୯(ଜିଲ୍ଲା ଖବର) : ଧରାକୋଟ ବ୍ଲକ ଅନ୍ତର୍ଗତ ଜଗ ମୋହନ ପଞ୍ଚାୟତ ର ଜଗମୋହନ ଗାଁ ଆରମ୍ଭରେ ଥିବା ବାଳା ମଣି ଠାକୁରାଣୀ ଓ ବିଜେ ବୈଦ୍ୟନାଥ ମନ୍ଦିରକୁ ପୁନଃ ବିଦ୍ୟୁତ ସଂଯୋଗ ପାଇଁ ଜଗମୋହନ ଗାଁ ଲୋକେ ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ରେ ଦାବୀ ଜଣାଇଛନ୍ତି । ସଂପ୍ରତି ମନ୍ଦିର ପରିସର ଅନ୍ଧକାର ହୋଇ ରହିଥିବା ବେଳେ ଆଗକୁ ପାର୍ବଣ ଦିନ ଆସୁଥିବାରୁ ଭକ୍ତମାନେ ଅସୁବିଧାର ସମ୍ମୁଖିନ ହେବାକୁ ଯାଉଥିବା ଜଣାଯାଇଛି। ଜଗମୋହନ ଗାଁ ର ଦୁଇଟି ମୁଖ୍ୟ ମନ୍ଦିର ଏଠାରେ ରହିଥିବାରୁ ଭୋଜି ଭାତ ଠାରୁ ଆରମ୍ଭ କରି ବିଭିନ୍ନ ସଭା ସମିତି ମଧ୍ୟ ମନ୍ଦିର ପରିସରରେ ହୋଇଥାଏ । କିନ୍ତୁ ବର୍ତ୍ତମାନ ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ଯୋଗୁଁ ଲୋକେ ଅସୁବିଧାରେ ପଡ଼ିଛନ୍ତି। ରାତ୍ର ସମୟରେ ଏହି ରାସ୍ତା ଦେଇ ଲୋକେ ଋଷିକୁଲ୍ୟା ନଦୀ କୁ ଯିବାବେଳେ ଅନ୍ଧକାର ଯୋଗୁଁ ଦୁର୍ଘଟଣା ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଧରାକୋଟ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ତୁଷାର କାନ୍ତ ପାଢ଼ୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ବେଳେ ମନ୍ଦିର କୁ ସଂଯୋଗ କରୁଥିବା ବିଦ୍ୟୁତ ତାର ବିପଦ ଜନକ ଅବସ୍ଥାରେ ଧାନ କ୍ଷେତରେ ଓହଳି ରହିଥିଲା । ଯାହାଦ୍ବାରା ଧନ ଜୀବନ ହାନି ହେବାର ଆଶଙ୍କା ରହିଥିଲା ।ଏଣୁ ଏହାକୁ ବାହାର କରି ଦିଆଯାଇଛି । ଆବଶ୍ୟକ ସ୍ଥଳେ ଅନ୍ୟ ଦିଗରୁ ସଂଯୋଗ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ଆଗକୁ ମାଆ ଙ୍କର ଷୋଳପର୍ବ ସହ ଷୋଡଶ ପୂଜା ଅନୁଷ୍ଠିତ ହେବ । ଏଣୁ ତୁରନ୍ତ ମନ୍ଦିରରେ ବିଦ୍ୟୁତ ସଂଯୋଗ ପାଇଁ ଜଗମୋହନ ଗାଁ ଲୋକେ ଦାବୀ କରିଛନ୍ତି।



