
ଗଛ ତଳେ ଚାଲିଛି ପାଠ ପଢ଼ା ତ ଚାଳରେ ଝୁଲୁଛି ମୋବାଇଲ
ଧରାକୋଟ,୨୨/୮ : ଧରାକୋଟ ଅଞ୍ଚଳରେ ନେଟ ୱାର୍କ ସମସ୍ୟା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପହଞ୍ଚିଛି। ଗାଁ ଗାଁ ରେ ମୋବାଇଲ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। କେଉଁଠି ପିଲାମାନେ ଗଛ ତଳେ ବସି ମୋବାଇଲ ଧରି ଅନଲାଇନ ରେ ପାଠ ପଢ଼ୁଛନ୍ତି ତ ଅନ୍ୟ ପଟରେ ନେଟୱର୍କ ଆସୁନଥିବା ଯୋଗୁଁ ଲୋକେ ନିଜ ନିଜ ର ଘର ସାମନାରେ ପଲିଥିନ ରେ ଭର୍ତ୍ତିକରି ମୋବାଇଲ ଓହଳାଇ ରଖିଛନ୍ତି । ଅଧୁନା ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ନେଟୱର୍କ । ସରକାରୀ କାର୍ୟ୍ୟାଳୟ ଠାରୁ ବ୍ୟାଙ୍କିଙ୍ଗ ସେବା ,ଫୋନ ରେ କଥା ହେବା ଠାରୁ ଓ ଟି ପି କାର୍ୟ୍ୟକାରୀ ପାଇଁ ନେଟୱର୍କ ରହିବା ଜରୁରୀ ହୋଇ ପଡ଼ିଛି । ସଂପ୍ରତି ୫ଶ ସେବା ଆରମ୍ଭ ହେବାପରେ ଧରାକୋଟ ଅଞ୍ଚଳରେ ନେଟୱର୍କ ସମସ୍ୟା ଗମ୍ଭୀର ହୋଇପଡିଛି । ଧରାକୋଟ ଆଖ ପାଖ ଅଂଚଳରେ ବିଶେଷ କରି ନିକଟସ୍ଥ ବାହାରପୁର, ଚାରିଛକ, ଦଶମାଇଲି, ମାଣିକ ପୁର ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାହାରପୁର ହେଉଛି ପଞ୍ଚାୟତ ସଦରହକୁମା । ଏଠାରେ ଘର ଭିତରେ ଆଦୌ ନେଟୱର୍କ ଆସୁନଥିବା ଯୋଗୁଁ ଲୋକେ ସାହି ସାହିରେ ନିଜ ନିଜର ଘର ଆଗରେ ପଲିଥିନ ଭିତରେ ମୋବାଇଲ କୁ ଓହଳାଇ ରଖିଥିବା ଦେଖିବାକୁ ମିଳିଛି। ସେପଟେ ନେଟୱର୍କ ଆସୁଥିବା ସ୍ଥାନ ପୋଖରୀ ହିଡ଼ ରେ ଥିବା ଗଛ ତଳେ କିମ୍ବା ଘରର ଛାତ ଉପରେ ବସି ପିଲାଏ ପାଠ ପଢୁଛନ୍ତି। ପଞ୍ଚାୟତ ରେ ଖାଉଟି ସାମଗ୍ରୀ ଆଣିବା ହେଉ କିମ୍ବା ସରକାରୀ କାର୍ୟ୍ୟାଳୟ ରୁ ପ୍ରମାଣ ପତ୍ର ପାଇବା ହେଉ ସବୁକିଛି ରେ ନେଟୱର୍କ ରହୁନଥିବା ଯୋଗୁଁ ସମସ୍ୟା ଦେଖା ଦେଉଛି। ଜନସେବା କେନ୍ଦ୍ରରେ ଅନ ଲାଇନ ମାଧ୍ୟମରେ ଲୋକେ ଧାନ ମଣ୍ଡି ପଞ୍ଜିକରଣ,ମୋ ଘର,ଆବାସ ଯୋଜନା, ଆୟ,ଜାତି,ବାସସ୍ଥାନ ଭଳି ପ୍ରମାଣ ପତ୍ର ସହ ବ୍ୟାଙ୍କିଙ୍ଗ ଭଳି ବିଭିନ୍ନ କାମ କରିବା ପାଇଁ ଲୋକେ ଆସୁଥିବା ବେଳେ ତାହା ବିଳମ୍ବରେ ହେଉଛି । ଏଥିପାଇଁ ବାରମ୍ବାର ଦୌଡ଼ିବାକୁ ପଡୁଛି। ଏପରିକି ଏହିସବୁ ଅଞ୍ଚଳରେ ଙ୍କକ୍ଟ୍ରସ କାରବାର ହୋଇପାରୁନାହିଁ । ପ୍ରତ୍ୟେକ ଅନଲାଇନ ସେବାରେ ଓଟିପି ଆସିବା ପରେ କାର୍ୟ୍ୟ ସଫଳ ହେଉଥିବା ବେଳେ ଏଥିରେ ସମସ୍ୟା ଦେଖା ଦେଉଛି। ବାହାରପୁର ସହ ଆଖପାଖ ଅଞ୍ଚଳରେ ବିଦ୍ୟୁତ ଚାଲିଗଲେ ମୋବାଇଲ ନେଟୱର୍କ ଚାଲି ଯାଉଥିବା ଯୋଗୁଁ ଅଧରେ କଥା ବନ୍ଦ ହୋଇ ଯାଉଛି । ଯାହାଫଳରେ ଜରୁରୀ କାଳୀନ କଥା ସହ ସ୍ବାସ୍ଥ୍ୟ ସମ୍ପର୍କୀୟ ପରାମର୍ଶ ମଧ୍ୟ ସମ୍ଭବ ହେଉନାହିଁ । ଅର୍ଥ କାରବାର ଓ ପ୍ରମାଣ ପତ୍ର ଆବେଦନ ସହ ଗ୍ରହଣ ମଧ୍ୟ ବିଳମ୍ବ ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ମୋବାଇଲ କମ୍ପାନୀ ଗୁଡ଼ିକ ନିଜ ନିଜର ଗ୍ରାହକ ମାନଙ୍କ ଠାରୁ ରିଚାର୍ଜ ଦ୍ଵାରା ଅର୍ଥ ଶୋଷଣ କରି ନେଉଥିବା ବେଳେ ସେହି ଅନୁପାତରେ ସେବା ପ୍ରଦାନ କରୁନାହାନ୍ତି । ଅଞ୍ଚଳର ବିକାଶ ପ୍ରକ୍ରିୟାରେ ଯୋଗାଯୋଗ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଯୋଗୁଁ ସମସ୍ତ ମୋବାଇଲ କମ୍ପାନୀ ଏଥି ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବସି ଦାବୀ କରିଛନ୍ତି।




