
ଧରାକୋଟ,୧୦/୮ : ଧରାକୋଟ ଅଞ୍ଚଳର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ କହିଲେ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ କୁ ବୁଝାଏ। ତତ୍କାଳୀନ ଧରାକୋଟ ଗଡର ରାଜା ମାନଙ୍କ ପୃଷ୍ଠ ପୋଷକତା ରୁ ଗତ ୧୯୪୫ ମସିହାରେ ଏହା ପ୍ରତିଷ୍ଠା ଲାଭ କରିଥିଲା । ସରକାରୀ ନିୟମ ଅନୁଯାୟୀ ଏକ କିମି ପରିସୀମା ମଧ୍ୟରେ ରହିଥିବା ବିଦ୍ୟାଳୟ ପୁରାତନ ବିଦ୍ୟାଳୟରେ ମିଶ୍ରଣ ହେବ । ସେହି ଅନୁସାରେ ନିକଟସ୍ଥ କୃଷ୍ଣ ସିଂହ ବାଳିକା ଉଚ୍ଚ ବିଦ୍ୟାଳୟ,ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ଓ ହନୁମାନଦ୍ଵାର ପ୍ରାଥମିକ ବିଦ୍ୟାଳୟ ଏଥିରେ ମିଶିବା ପରେ ସଂପ୍ରତି ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ୩୬୦ ଜଣ ଛାତ୍ର ଛାତ୍ରୀ ଏଠାରେ ପାଠ ପଢୁଥିବା ବେଳେ ବିଦ୍ୟାଳୟରେ ୧୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ଗତ ୨୦୧୩ ମସିହାରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଗୀତାଞ୍ଜଳି ସାହୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ଵ ନିର୍ବାହ କରି ଆସୁଥିଲେ । ଦୀର୍ଘଦିନ ର ଦାବୀ ପରେ ଏଠାରେ ପ୍ରକାଶ ଚନ୍ଦ୍ର ସାହୁ ସ୍ଥାୟୀ ପ୍ରଧାନ ଶିକ୍ଷକ ଭାବରେ କାର୍ୟ୍ୟରେ ଯୋଗ ଦେଇ ଥିବାରୁ ଅଭିଭାବକ ମହଲରେ ସନ୍ତୋଷ ପ୍ରକାଶ ପାଇଛି । ସଂପ୍ରତି ଏହି ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ,ପିଅନ ଓ ରାତ୍ର ଜଗୁଆଳି ପଦବୀ ଖାଲି ରହିଛି । ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଚାରୋଟି ଶ୍ରେଣୀଗୃହ ର ଅଭାବ ରହିଥିବା ବେଳେ ପରିସର ମଧ୍ୟରେ ରହିଥିବା ବାତ୍ୟା ଆଶ୍ରୟ ସ୍ଥଳୀ ବିପଦ ଜନକ ଅବସ୍ଥାରେ ରହିଛି। ମଧ୍ୟାହ୍ନ ଭୋଜନ ହେଉଥିବା ରୋଷେଇ ଘର ରେ ଫାଟ ସୃଷ୍ଟି ହୋଇଥିବା ବେଳେ ଶ୍ରେଣୀ ଗୃହ ର ଫାଉଣ୍ଡେସନ ଭିତରୁ ଝର ପାଣି ବାହାରି କାଦୁଆ ପରିବେଶ ସୃଷ୍ଟି ଯୋଗୁଁ ପିଲାଏ କାଦ ପାଣି ଦେଇ ଶ୍ରେଣୀ ଗୃହ କୁ ଯାଉଛନ୍ତି । ପିଇବା ପାଣି ପାଇଁ ରହିଥିବା ଗ୍ରାମ୍ୟ ଜଳଯୋଗାଣ ବିଭାଗର ପାଣି ଟେପ ବନ୍ଦକରି ଦିଆଯାଇଥିବା ଯୋଗୁଁ ପିଇବା ପାଣି ସମସ୍ୟା ଲାଗି ରହିଛି। ଏଣୁ ସରକାରୀ ସ୍ତରରେ ଏହାର ସମାଧାନ ପାଇଁ ଅଭିଭାବକ ମାନେ ଦାବୀ କରିଛନ୍ତି।


