ବିପଦ ବଢ଼ାଉଛି ମୁକୁଳା ଡ୍ରେନ

81

ଧରାକୋଟ,୨୮/୭ : ଧରାକୋଟ ବ୍ଲକ ର ଜଗମୋହନ ଗ୍ରାମର କରାଖାଇ ଛକ ଠାରୁ ତିଳୋତ୍ତମା ଦେଇ ପୁର ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ପାଣ୍ଠିରୁ ପ୍ରାୟ ଚୌରା ନବେଲକ୍ଷ ୯୪୦୦୦୦୦ ଟଙ୍କା ବ୍ୟୟରେ ଗତ ୨୦୧୯/୨୦ ମସିହାରେ ଏହି ରାସ୍ତା ନିର୍ମାଣ ହୋଇଛି । ରାସ୍ତାର କରାଖାଇ ଠାକୁରାଣୀ ମନ୍ଦିର ନିକଟ ପାର୍ଶ୍ଵରେ ଗୋଲେଇ ଅଞ୍ଚଳରେ ବିଭାଗ ତରଫରୁ ଏକ ଡ୍ରେନ ନିର୍ମାଣ କରାଯାଇଛି। ଏହି ଡ୍ରେନ ଉପରେ ପ୍ଲେଟ ପକାନଯାଇ ଖାଲି ଛାଡିଦିଆଯାଇଛି । ଯାହାକି ବିପଦକୁ ଡ଼ାକି ଆଣୁଛି। ଏହି ରାସ୍ତାଦେଇ ସତିମଠ,ହନୁମାନ ଦ୍ଵାର, ତିଳୋତ୍ତମା ଦେଇ ପୁର ଶାସନ, ରାଜେନ୍ଦ୍ର ପୁର,ନାରାୟଣ ପୁର, ଶ୍ୟାମଘନ ପୁର, ଗଙ୍ଗାପୁର, ଚମ୍ପାପାଲି, ଭାଲିଆ ପାଲି,ଜଗମୋହନ ଗାଁ ସମେତ ଚନ୍ଦ୍ର କଳ୍ପେଶ୍ୱର ପୀଠକୁ ପ୍ରତିଦିନ ଶହ ଶହ ଲୋକ ଗାଡ଼ି ମଟର ରେ ଯିବା ଆସିବା କରନ୍ତି । କରାଖାଇ ଠାକୁରାଣୀ ମନ୍ଦିର ନିକଟରେ ଗୋଲେଇ ଅଞ୍ଚଳରେ ଏହି ଡ୍ରେନଟି ମୁକୁଳା ହୋଇ ରହିଥିବାରୁ ସାମାନ୍ୟ ଅସାବଧାନତା ବଶତଃ ଗାଡ଼ି ଚଳାଇଲେ ସିଧା ଡ୍ରେନ ଭିତରେ ଗାଡ଼ି ପଶିଯାଇ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ରାସ୍ତାଟି ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତା । ସ୍ୱାସ୍ଥ୍ୟକେନ୍ଦ୍ର,ପଞ୍ଚାୟତ,ସେବା ସମବାୟ ସମିତି କୁ ଲୋକେ ଏହି ରାସ୍ତା ଦେଇ ଯାଉଥିବା ବେଳେ ଛୋଟ ଛୋଟ ପିଲା ବିଦ୍ୟାଳୟ,ଅଙ୍ଗନୱାଡ଼ି ଓ ଟିଉସନ କୁ ଏହି ରାସ୍ତାରେ ଯାଇ ଦୁର୍ଘଟଣାର ଶୀକାର ହେଉଛନ୍ତି । ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହାକୁ ଗୁରୁତ୍ୱର ସହ ନେଇ ମୁକୁଳା ପଡିଥିବା ଡ୍ରେନ ଉପରେ ପ୍ଲେଟ ପକାଇବା ପାଇଁ ଜନସାଧାରଣ ଦାବୀ କରିଛନ୍ତି।