
ଧରାକୋଟ,୨୫/୭ : ଛୋଟ ଛୋଟ କୋମଳମତି ଶିଶୁ ମାନଙ୍କ ମାନସିକ,ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ଖୋଲିଛନ୍ତି ଅଙ୍ଗନୱାଡ଼ି କେନ୍ଦ୍ର। ପିଲାଙ୍କୁ ବିଦ୍ୟାଳୟ ମୁଖି କରିବାରେ ଏହି କେନ୍ଦ୍ରର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ। ହେଲେ କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ ଖୋଦ ବ୍ଲକ ସଦରମହକୁମା ଧରାକୋଟ ରେ ଏପରି ଏକ ଅଭାବନୀୟ ପରିବେଶରେ ରହିଛି ଏକ ଅଙ୍ଗନୱାଡ଼ି କେନ୍ଦ୍ର। ଯେଉଁଠି କି ପ୍ରତିଦିନ ପିଲାଏ ଯିବାପାଇଁ ଜୀବନକୁ ବଜିରେ ଲାଗନ୍ତି । ନିଜର ଛୋଟ ଛୋଟ ପିଲାଙ୍କ ଉତ୍ତରଦାୟିତ୍ୱ ଅଭିଭାବକ ମାନେ ପ୍ରତିଦିନ ନିଅନ୍ତି ଓ ନିଜେ କେନ୍ଦ୍ରରେ ପିଲାଙ୍କୁ ଛାଡନ୍ତି ଓ ଆଣନ୍ତି। ଆମେ କହୁଛୁ ଧରାକୋଟ ର ୫ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ର କଥା । ଆରମ୍ଭରୁ ଏହି କେନ୍ଦ୍ର କୋଠରୀ ସାହି ବିଦ୍ୟାଳୟରେ ଚାଲୁଥିବା ବେଳେ ଗତ ୨୦୧୯ ମସିହାରେ ବିଦ୍ୟାଳୟ ପଛ ପଟେ ନିଜସ୍ଵ ଗୃହକୁ ଏହା ସ୍ଥାନାନ୍ତର ହୋଇଛି । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହିଛି ଏହି କେନ୍ଦ୍ର । ଘଞ୍ଚ ଲଟା ବୁଦା ଓ ଚଢ଼େୟା ଜଙ୍ଗଲ ଘେରି ରହିଛି ଏହି କେନ୍ଦ୍ର କୁ । ଲଟା ବୁଦା ମଧ୍ୟରେ ଏକ ଦୁଇ ଫୁଟିଆ ସରୁ ରାସ୍ତା । ବର୍ଷା ହେଲେ ଚାରିଆଡେ ଆଣ୍ଠୁଏ ପାଣି । ରାସ୍ତାର ଦୁଇ ପଟରେ ବିଷାକ୍ତ ସାପ,ବିଲୁଆ ତଥା ଅନ୍ୟାନ୍ୟ ବିଷଧର ପ୍ରାଣୀ ସତେ ଯେମିତି ଜଗି ବସିଛନ୍ତି ପିଲାଙ୍କୁ । ପାଦେ ବିପଦକୁ ଡେଇଁ ପିଲେ ଯାଉଛନ୍ତି କେନ୍ଦ୍ରକୁ । କେନ୍ଦ୍ରର ଫ୍ଲୋରିଂ ଦବି ଯାଇଥିବା ବେଳେ ପାହାଚରୁ ଟାଇଲ ଖସି ଗଲାଣି । ଷ୍ଟୋର ରୁମର କବାଟ ନଥିବା ବେଳେ ଏରୁଣ୍ଡି ନଥିବାରୁ ସାପ ବେଙ୍ଗ ଭିତରେ ପଶୁଛନ୍ତି । ଚାରିପଟେ ପାଚେରୀ ନଥିବା ବେଳେ କେନ୍ଦ୍ରକୁ ଲାଗିରହିଛି ଅନାବନା ଲଟାବୁଦା। ଆଗରେ ଥିବା ନଳକୂପ ମଧ୍ୟ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହିଛି । ହାତ ଧୁଆ କୁଣ୍ଡ ଖାଲୁଆ ସ୍ଥାନରେ ଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ । ଏହି ୫ ନମ୍ବର ଧରାକୋଟ ଅଙ୍ଗନୱାଡ଼ି କେନ୍ଦ୍ର ରେ ମୋଟ ୧୯ ଜଣ ପିଲା ପାଠ ପଢୁଛନ୍ତି।ସେମାନଙ୍କ ଦେଖାଶୁଣା ପାଇଁ କର୍ମୀ ଭାବରେ ପ୍ରଭାସିନୀ ପାତ୍ର ଓ ସହାଇକା ଭାବରେ ମିନତି ରାଜ ନିଯୁକ୍ତି ପାଇଛନ୍ତି । ଅଭିଭାବକ ଙ୍କ ସହ ସେମାନେ ମଧ୍ୟ ପ୍ରତିଦିନ ସାଥିରେ ପିଲାଙ୍କୁ ନିଜ ନିଜ ଘରୁ ଆଣନ୍ତି ଓ ଛାଡନ୍ତି । କେନ୍ଦ୍ରର ଏହି ବିପଦ ପୂର୍ଣ୍ଣ ସ୍ଥିତି ସମ୍ପର୍କରେ ବି ଡି ଓ ଏବଂ ସି ଡି ପି ଓ ଙ୍କୁ କର୍ମୀ ଅବଗତ କରାଇଛନ୍ତି। ହେଲେ ଫଳାଫଳ ଶୂନ । ଏ ସମ୍ପର୍କରେ ବି ଡି ଓ ଡେନିସ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବା ବେଳେ ଖୁବ ଶୀଘ୍ର କେନ୍ଦ୍ରର ପରିବେଶ ରେ ସୁଧାର ଅଣାଯିବ ଓ ସ୍ଥାୟୀ ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଶ୍ଚର୍ୟ୍ୟର କଥା ଛୋଟ ଛୋଟ ପିଲା ଙ୍କ ଜୀବନ ସୁରକ୍ଷା ସତେ ଯେପରି କେନ୍ଦ୍ରରେ ବାଜି ଲାଗିଛି। ନିଜ ପିଲାଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଅଭିଭାବକ ସହ କର୍ମୀ ମଧ୍ୟ ଚିନ୍ତାରେ ଅଛନ୍ତି । ଅଥଚ ପ୍ରଶାସନ ନିଘୋଡ଼ ନିଦରେ ଶୋଇ ରହିଛି । ଖୋଦ ବ୍ଲକ ସଦରମହକୁମା ର କେନ୍ଦ୍ରର ଏହି ବିକଳ ଚିତ୍ର ବୁଦ୍ଧିଜୀବୀ ମାନଙ୍କୁ ବ୍ୟଥିତ କରିଛି।



