
ଧରାକୋଟ,୧୨/୦୭(ଜିଲ୍ଲା ଖବର) : ଗୋପାଳପୁର ଠାରୁ ଖରୀଆର ରୋଡ ଯାଇଥିବା ଜାତୀୟ ରାଜପଥ 59 ଉପରେ ଧରାକୋଟ ଠାରୁ ମାତ୍ର ପାଞ୍ଚ କିମି ଦୂରରେ ରହିଛି ଦସମାଇଲି ବଜାର । ଧରାକୋଟ ଥାନା ଅଧୀନରେ ଏବଂ ଜାହାଡା ଓ ବରଡ଼ାବିଲି ପଞ୍ଚାୟତ ସୀମାରେଖା ମଧ୍ୟରେ ରହିଥିବା ଏହି ବଜାର ମଧ୍ୟରେ ପ୍ରାୟ ସବୁ କିସମର ଶହେ ଗୋଟି ଦୋକାନ ରହିଛି । ପ୍ରତିଦିନ ଏହି ବଜାର କୁ ନିକଟସ୍ଥ କୁଷପଡ଼ା, ଜାନବିଲି,କୁଷଗୁମା, କହିରାପଲି, ବେଠୁଆର, ଡାକିବଜା, ଘୋଡ଼ାପଲି, ବରଡ଼ାବିଲି, ଖରିଗୁମା, ଭରତପଲି,ହରିପୁର, ପ୍ରତାପୂର, ଆଠଘରିଆ ପ୍ରଭୃତି ଗ୍ରାମର ଶହଶହ ଲୋକ ବ୍ୟବସାୟ ଏବଂ କିଣା କିଣି କରିବା ପାଇଁ ଆସନ୍ତି । ବିଶେଷ କରି ଏହି ବଜାର ଆଖ ପାଖ ଗାଁର ପନିପରିବା ଏଠାରୁ ପ୍ରତିଦିନ ବ୍ରହ୍ମପୁର,ହିଞ୍ଜିଳି,ଆସିକା, କବିସୂର୍ଯ୍ୟ ନଗର ଆଦି ସ୍ଥାନକୁ ପଠାଯାଇଥାଏ। ଏଣୁ ଏହି ବଜାର ଅଞ୍ଚଳ ବ୍ୟସ୍ତ ବହୁଳ ଅଞ୍ଚଳ ଭାବରେ ପରିଚିତ। ବ୍ରହ୍ମପୁର ଠାରୁ ବାଲିଗୁଡା, ରାଇକିଆ,ଦାରିଂବାଡ଼ି ଓ ସୋରଡ଼ା କୁ ପ୍ରତିଦିନ ପ୍ରାୟ ପଚାଶ ଗୋଟି ଘରୋଇ ବସ ଏହି ରାସ୍ତା ଦେଇ ଯାତାୟାତ କରିଥାଏ । ହେଲେ ସଂପ୍ରତି ଦଶମାଇଲି ବଜାର ଅଞ୍ଚଳ ର ଉଭୟ ପଟ କୁ ଦୋକାନୀ ମାନେ ଜବରଦଖଲ କରି ରଖିଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ମାନ ପ୍ରତିଦିନ ଘଟୁଛି। ଜାତୀୟ ରାଜପଥ ର ଉଭୟ ପଟର ଡ୍ରେନ ଉପରେ ଅଧିକାଂଶ ଦୋକାନୀ ନିଜର ସାମଗ୍ରୀ ବିକ୍ରି ପାଇଁ ରଖିଥିବା ଯୋଗୁଁ କିଣାବିକା କରିବାକୁ ଆସୁଥିବା ଗ୍ରାହକ ନିଜର ଗାଡ଼ି ମଟର ରାସ୍ତା ଉପରେ ରଖୁଛନ୍ତି। ଅନ୍ୟ ପକ୍ଷରେ ବ୍ୟବସାୟୀ ଓ ଗୃହ କର୍ତ୍ତା ମାନେ ନିଜ ନିଜର ଚାରି ଚକିଆ ଯାନ ବାହାନ ମଧ୍ୟ ରାସ୍ତା ଉପରେ ରଖୁଛନ୍ତି। ଏଣୁ ବଜାର ଅଞ୍ଚଳ ବିଶେଷ କରି ସକାଳ ଓ ସନ୍ଧ୍ୟା ସମୟରେ ଜବରଦଖଲ ଯୋଗୁଁ ଟ୍ରାଫିକ ଜାମ ହେଉଛି । ବଜାର ମଧ୍ୟରେ ଉଜ୍ବଳ ଆଲୋକ ର ବ୍ୟବସ୍ଥା ନାହିଁ। ଏଣୁ ସନ୍ଧ୍ୟା ସମୟରେ ଦୁର୍ଘଟଣା ମାନ ଘଟୁଛି ଏପରିକି ଏହା ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବରେ ପରିଗଣିତ ହେଲାଣି । ଦଶମାଇଲି ବଜାର ର ଏହି ଜବରଦଖଲ ସମ୍ପର୍କରେ ଧରାକୋଟ ଥାନା ଅଧିକାରୀ ମମତା ସାମନ୍ତରାୟ ଙ୍କ ଦୃଷ୍ଟି ଆକର୍ଷଣ ବେଳେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଖୁବ ଶୀଘ୍ର ଦୋକାନୀ ମାନଙ୍କୁ ସଚେତନ କରାଇବା ସହ ବଜାର ଅଞ୍ଚଳ କୁ ଜବରଦଖଲ ମୁକ୍ତ କରାଯାଇ ଟ୍ରାଫିକ ବ୍ୟବସ୍ଥାକୁ ସୁଗମ କରାଯିବ ବୋଲି ପ୍ରକାଶ କରିଥିଲେ।



