ଶୁଖିଲା ପଡ଼ିଛି ରଙ୍ଗମାଟିଆ ଘାଇ, ଚିନ୍ତାରେ ଚାଷୀ

10

ଧରାକୋଟ, ୨୬/୬ : ଧରାକୋଟ ବ୍ଲକ ର ବାହାରପୁର ପଞ୍ଚାୟତର ଜଗନ୍ନାଥ ପୁର ଶାସନ ଗ୍ରାମର ଖୁପିଲା ପାହାଡ଼ ପାଦଦେଶରେ ଅବସ୍ଥିତ ରଙ୍ଗମାଟିଆ ଘାଇ ଏବେ ଶୁଖିଲା ପଢ଼ିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କ୍ଷୁଦ୍ର ଜଳସେଚନ ବିଭାଗର ଧରାକୋଟ ସେକ୍ସନ ଅଧିନରେ ଏହି ଘାଇ ରହିଛି । ଏହି ଘାଇର ଜଳଧାରଣ କ୍ଷମତା ଚାରି ଏକର ହୋଇଥିବା ବେଳେ ୧.୩ ସ୍କ୍ୱାର କିଲୋମିଟର ରୁ ଏଥି ନିମନ୍ତେ ଜଳ ସଂଗ୍ରହ ହୋଇଥାଏ। ଏହାର ଆୟକଟ ୪୦ ହେକ୍ଟର। ଘାଇ ର ଗଛିତ ଜଳ ବ୍ୟବହାର ପାଇଁ ଦୁଇଟି ଆଉଟଲେଟ ରହିଛି । ଚାଷ ଜମିର ଜଳସେଚନ ପାଇଁ ୨୦୦ ମିଟର କେନାଲ ରହିଥିବା ବେଳେ ଏହାର କିଛି ଭାଗ ଲାଇନିଙ୍ଗ ହୋଇଥିବା ବେଳେ ଆହୁରି ଅଧିକ ଭାଗ ହୋଇପାରିନାହିଁ।ଦୀର୍ଘ ପାଞ୍ଚ ବର୍ଷ ପୂର୍ବେ ଏହାର ଉନ୍ନତିକରଣ କରାଯାଇଥିବା ବେଳେ ବର୍ତ୍ତମାନ ଏହା ପୋତି ହୋଇ ପଡିଥିବା ଯୋଗୁଁ ଘାଇରେ ପାଣି ରହୁନାହିଁ । ଜଗନ୍ନାଥପୁର ଶାସନ ଓ ପଦ୍ମପୁର ଗ୍ରାମର ଚାଷୀ ମାନଙ୍କ ଏକର ଏକର ଜମିରେ ଘାଇ ପାଣି ମାଡୁଥିବା ଯୋଗୁଁ ବର୍ଷକରେ ରବି ଓ ଖରିଫ ଫସଲ ସହ ପନିପରିବା ଚାଷ ମଧ୍ୟ ହୋଇଥାଏ । ଘାଇ ଉପରମୁଣ୍ଡରେ ଥିବା ଖୁପିଲା ପାହାଡ଼ କୁ ଜଙ୍ଗଲ ବିଭାଗ ବୃକ୍ଷ ରୋପଣ କରି ଶାସନ ଗ୍ରାମବାସୀଙ୍କୁ ହସ୍ତାନ୍ତର ପରେ ଏହି ପାହାଡ଼ ବନ୍ୟ ଜନ୍ତୁ ଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି । ବାରାହା,ବିଲୁଆ, କୁଟୁରା ଆଦି ଏହି ପାହାଡ଼ରେ ରହୁଥିବା ବେଳେ ସଂଖ୍ୟାଧିକ ମୟୂର ଏଠାରେ ରହିଛନ୍ତି। ଖରାଦିନେ ବନ୍ୟ ଜନ୍ତୁ ମାନେ ପାଣି ପିଇବା ପାଇଁ ଘାଇ ଉପରେ ନିର୍ଭର କରୁଥିବା ବେଳେ ସଂପ୍ରତି ଏହା ଶୁଖିଲା ପଡିଥିବା ଯୋଗୁଁ ସେମାନେ ପାଣି ପାଇଁ ଜନବସତି ମୁହାଁ ହୋଇ ଲୋକଙ୍କ ଶିକାର ପାଲଟୁଛନ୍ତି। ଏଣୁ ସରକାର ଏହାର ଜଳଧାରଣ କ୍ଷମତା ବୃଦ୍ଧି କରିବା ସହ ଆଉଟଲେଟ ଗୁଡ଼ିକର ମରାମତି ସହ ନୂତନ କେନାଲ ନିର୍ମାଣ ଓ ଲାଇନିଙ୍ଗ ପାଇଁ ଚାଷୀ ମାନେ ଦାବୀ କରିଛନ୍ତି।