
ଧରାକୋଟ ,୨୫/୬ : ଧରାକୋଟ ପଞ୍ଚାୟତ ର ତାଳପାଟଣା ଦ୍ଭଷ ୫୯ ଠାରୁ ସୁଳିଆ ସନ୍ତିଝର ପର୍ୟ୍ୟନ୍ତ ପାଞ୍ଚ କିମି ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା । ଏହି ରାସ୍ତାଦେଇ ଧରାକୋଟ ଠାରୁ ସୋରଡା ଯାଉଥିବା ଗାଡ଼ି ଚଳାଚଳ କରିଥାଏ। ଏପରିକି ଧରାକୋଟ ଠାରୁ ଜାହାଡା, ସିଙ୍ଗିପୁର, ଜଗମୋହନ, ଝରପାରି ଓ ଝାଡବନ୍ଧ ପଞ୍ଚାୟତକୁ ଯିବା ପାଇଁ ଏହା ଏକ ପ୍ରମୁଖ ରାସ୍ତା । ଧରାକୋଟ ବ୍ଲକ ସଦରମହକୁମା ଠାରୁ ଭଂଜନଗର ଉପଖଣ୍ଡ କୁ ଏହି ରାସ୍ତା ଦେଇ ଯିବାକୁ ପଡିଥାଏ। କିନ୍ତୁ ଦୁଃଖର କଥା ଖୋଦ ବ୍ଲକ ସଦରମହକୁମା ରେ ରାସ୍ତାଟି ରହିଥିଲେ ମଧ୍ୟ ଏହା ଅଣଦେଖା ଅବସ୍ଥାରେ ରହିଛି। ରାସ୍ତାଦେଇ ପ୍ରତିଦିନ ସରକାରୀ କଳର ଅଧିକାରୀ ମାନେ ଯାତାୟାତ କରୁଥିଲେ ମଧ୍ୟ ଏହାର ସ୍ଥିତାବସ୍ଥା ରେ କୌଣସି ପରିବର୍ତ୍ତନ ହୋଇନାହିଁ । ବ୍ଲକ ଅଧିନରେ ଏହି ରାସ୍ତା ରହିଥିବା ବେଳେ ଗତ ୨୦୧୩ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଭଂଜନଗର ତରଫରୁ ଋଷିକୁଲ୍ୟା ସେତୁ ନିର୍ମାଣ ସମୟରେ ଏହି ରାସ୍ତା ର ୧୨୦୦ ମିଟର ରାସ୍ତା କୁ ସଂଯୋଗୀ କରଣ ରାସ୍ତା ଭାବରେ ନିର୍ମାଣ କରାଯାଇଥିଲା । ଏହା ପରେ ଉଭୟ ବ୍ଲକ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାର ଠିକଣା ଭୁଲିଯାଇଛନ୍ତି।ଏଣୁ ରାସ୍ତାଟି ପ୍ରମୁଖ ରାସ୍ତା ହୋଇଥିଲେ ମଧ୍ୟ ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ପ୍ରତିଦିନ ରାସ୍ତାରେ ଯାନବାହାନ, ଚଳାଚଳ ବେଳେ ଛୋଟ ବଡ଼ ଦୁର୍ଘଟଣା ମାନ ଘୁଟୁଛି। ସମ୍ପ୍ରତି ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ସବୁ ନିର୍ମାଣ ପାଇଁ ଘୋଷଣା କରାଯାଇଛି। ତାଳ ପାଟଣା ସନ୍ତିଝର୍ ଶୁଳିଆ ପାଞ୍ଚ କିମି ରାସ୍ତା ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ତରଫରୁ ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବିଭାଗ ତରଫରୁ ଏହାକୁ ସରକାରଂକ ପାଖକୁ ପଠାଯାଇଛି। ସଂପ୍ରତି ଏହା ସରକାରଙ୍କ ପାଖରେ ଅନୁମୋଦନ ଅପେକ୍ଷାରେ ରହିଛି।ଅନ୍ୟ ପକ୍ଷରେ ଗତ ଶୁକ୍ରବାର ୨୩ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଧରାକୋଟ ବ୍ଲକ ରେ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିବା ବେଳେ ଗ୍ରାମାଞ୍ଚଳର ସଂଜୋଗୀ କରଣ ରାସ୍ତାର ମରାମତି ଓ ଉନ୍ନତିକରଣ ପାଇଁ ସରକାରଙ୍କ ତରଫରୁ ପ୍ରସ୍ତାବ ରହିଥିବା ପ୍ରକାଶ କରିବା ପରେ ଏହି ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ ଲୋକମାନେ ଦାବି ରଖିଥିଲେ । ଏହା ପରେ ଖୋଦ ଜିଲ୍ଲାପାଳ ନିଜେ ଏହି ରାସ୍ତା ଦେଇ ଯାଇ ଏହାର ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ କଥା ବାର୍ତ୍ତା କରି ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯାହାକି ସାଧାରଣ ଜନତା ଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଥିଲା । ଏଣୁ ତୁରନ୍ତ ଏହି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି।



