ଧରାକୋଟ.. ତାଳପାଟଣା ରାସ୍ତା ନିର୍ମାଣ ପାଇଁ ଦାବୀ

16

ଧରାକୋଟ,୨୪/୫ : ଧରାକୋଟ ଥାନା ଛକ ଠାରୁ ଜାତୀୟ ରାଜପଥ ୫୯ ର ତାଳପାଟଣା ଛକ କୁ ସଂଯୋଗ କରୁଥିବା ଏକ କିମି ରାସ୍ତା ଦୀର୍ଘ ଦିନ ପୁର୍ବରୁ ଅବହେଳିତ ହୋଇ ରହିଛି। ସମ୍ପ୍ରତି ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ କିମ୍ବା ବ୍ଲକ ପ୍ରଶାସନ କେହିମଧ୍ୟ ଏହି ରାସ୍ତା ନିର୍ମାଣ ପାଇଁ ଆଗଭର ହେଉନାହାନ୍ତି। ଏଣୁ ସାଧାରଣ ଜନତା ଙ୍କ ମଧ୍ୟରେ ପ୍ରଶ୍ନ ଏ ରାସ୍ତା କାହାର । ଧରାକୋଟ .. ଜାନବିଲି ପୂର୍ତ୍ତ ବିଭାଗ ରାସ୍ତାର ଥାନା ଛକ ଠାରୁ ଜାତୀୟ ରାଜପଥ ୫୯ ର ତାଳପାଟଣା ଛକ କୁ ସଂଯୋଗ କରୁଥିବା ଏକ କିମି ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା । ଏହି ରାସ୍ତା ଦେଇ ଋଷିକୁଲ୍ୟା ନଦୀ ର ଉତ୍ତର ପାର୍ଶ୍ଵରେ ରହିଥିବା ଜାହା ଡା,ଜଗମୋହନ, ସିଙ୍ଗିପୁର, ଝରପାରି ଓ ଝାଡ଼ବନ୍ଧ ପଞ୍ଚାୟତ କୁ ସିଧା ସଂଯୋଗ ରହିଛି। ଅପରାଧ ନିୟନ୍ତ୍ରଣ, ଅଗ୍ନୀ ନିରାପତ୍ତା, ଉନ୍ନୟନ କାର୍ୟ୍ୟ ତଦାରଖ, ଖାଦ୍ୟ ସୁରକ୍ଷା ସାମଗ୍ରୀ ବଣ୍ଟନ, କୃଷି ଉତ୍ପାଦିତ ସାମଗ୍ରୀର ବିକ୍ରୀ ପାଇଁ ମଧ୍ୟ ଏହି ରାସ୍ତାର ଗୁରୁତ୍ୱ ରହିଛି। ଭଂଜନଗର ଉପଖଣ୍ଡ ପ୍ରଶାସନ ସହ ଯୋଗାଯୋଗ ପାଇଁ ଏହି ରାସ୍ତା ଉପରେ ସମସ୍ତେ ନିର୍ଭର କରିଥାନ୍ତି। ଏହି ରାସ୍ତା ଧରାକୋଟ ବ୍ଲକ ଅଧିନରେ ରହିଛି। ଗତ ଦଶ ବର୍ଷ ପୂର୍ବେ ଋଷିକୁଲ୍ୟା ସେତୁ ନିର୍ମାଣ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସେତୁର ବଳକା ଅର୍ଥ ରେ ଏହି ରାସ୍ତାର ପିଚୁ କାର୍ୟ୍ୟ କରାଯାଇଥିଲା । ସେହିଦିନଠାରୁ ବ୍ଲକ ପ୍ରଶାସନ ଏହି ରାସ୍ତାର ଠିକଣା ଭୁଲିଯାଇଛି । ଦଶ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ରାସ୍ତାରେ ବ୍ଲକ ତରଫରୁ ମାଟି ମୁଠେ ପକାଯାଇ ନଥିବା ବେଳେ ଆବାସ କଲୋନୀ ନିକଟରେ ବ୍ଲକ ତରଫରୁ ସୁରକ୍ଷା ପାଚେରୀ ନିର୍ମାଣ କରାଯାଇଛି। ଏଠାରେ ପ୍ରଶ୍ନ ରାସ୍ତା ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ଆଗଭର ହେଉନଥିବା ବେଳେ ସୁରକ୍ଷା ପାଚେରୀ ନିର୍ମାଣ କଲା କାହିଁକି । ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ଆମ କୁ ରାସ୍ତା ହସ୍ତାନ୍ତର କଲେ ଆମେ ନିର୍ମାଣ କାର୍ୟ୍ୟ କରିବୁ ବୋଲି ପ୍ରକାଶ କରିଛନ୍ତି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ସେତୁର ବଳକା ଅର୍ଥ ରେ ରାସ୍ତା ନିର୍ମାଣ ହୋଇଥିଲା ,କିନ୍ତୁ ଏହା ଆମର ରାସ୍ତା ନୁହଁ କିମ୍ବା ଆମକୁ ହସ୍ତାନ୍ତର ହୋଇନାହିଁ । ଜନସାଧାରଣ ଙ୍କ ଦ୍ଵାରା ବହୁଳ ପରିମାଣରେ ବ୍ୟବହାର ହେଉଥିବା ରାସ୍ତା ନିର୍ମାଣ ସମ୍ପର୍କରେ ବ୍ଲକ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ମାଣ ହୋଇଛି,ଏଣୁ ସେମାନେ ଏହାର ନିର୍ମାଣ କରିବା କଥା,କରଣ ବ୍ଲକ ପାଖରେ ଏହି ରାସ୍ତା ନିର୍ମାଣ ପାଇଁ ଅନୁଦାନ ନାହିଁ ବୋଲି ପ୍ରକାଶ କରିଛନ୍ତି। ତାହେଲେ ଏଠାରେ ପ୍ରଶ୍ନ ଏ ରାସ୍ତା କାହାର। ଏହା କଣ ଅନାଥ ରାସ୍ତା। ଏ ରାସ୍ତା ନିର୍ମାଣ ଦାୟିତ୍ୱ ନବ କିଏ ।