ଜବର ଦଖଲ ଉଚ୍ଛେଦ ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

44

ଧରାକୋଟ,୮/୦୫ : ଭଂଜନଗର ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ଧରାକୋଟ.. ଜାନବିଲି ରାସ୍ତାର ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସମ୍ମୁଖରୁ ବଜାର ଶେଷ ପର୍ଯ୍ୟନ୍ତ ରହିଥିବା ଜବର ଦଖଲ ଉଚ୍ଛେଦ ପାଇଁ ଆଜି ପୂର୍ବ ନିର୍ଦ୍ଧାରିତ ପ୍ରକାରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଧରାକୋଟ ତହସିଲଦାର କବିରାଜ ପ୍ରଧାନ, ଅତିରିକ୍ତ ତହସିଲଦାର ଗୟା ଡମ୍ବୁରୁଧର ବେହେରା , ରାଜସ୍ୱ ନିରୀକ୍ଷକ ଯଜ୍ଞନାରାୟଣ ନାୟକ,ଅତିରିକ୍ତ ରାଜସ୍ୱ ନିରୀକ୍ଷକ ନିହାର ରଞ୍ଜନ ବେହେରା,ପୂର୍ବତନ ରାଜସ୍ୱ ନିରୀକ୍ଷକ ସନ୍ତୋଷ କୁମାର ମିଶ୍ର , ଦେବୀ ପ୍ରସାଦ ନାହାକ ଓ ପୂର୍ତ୍ତ ବିଭାଗ ତରଫରୁ ସହକାରୀ ଯନ୍ତ୍ରୀ ଛନ୍ଦାଶ୍ରି ନାୟକ , କନିଷ୍ଠ ଯନ୍ତ୍ରୀ ଚିରଞ୍ଜିବୀ ସାହୁ ପ୍ରମୁଖ ଚିହ୍ନଟ ସମୟରେ ଉପସ୍ଥିତ ରହିଥିଲେ। ପ୍ରକାଶ ଯୋଗ୍ୟ ସଂପ୍ରତି ଛଅ କୋଟି ଟଙ୍କା ବ୍ୟୟରେ ଧରାକୋଟ.. ଜାନବିଲି ଚାରି କିମି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଧରାକୋଟ ଟାଉନ ଭିତର ମୁଖ୍ୟ ବଜାର ସମେତ ମେଡିକାଲ ସମ୍ମୁଖ ରାସ୍ତା ଦୀର୍ଘ ଦିନ ଧରି ଦୋକାନୀ ମାନଙ୍କ ଦ୍ଵାରା ଜବର ଦଖଲ ହୋଇ ରହିଛି। ଉଭୟ ପଟର ଡ୍ରେନ ଉପରେ ବହୁ ସ୍ଥାନରେ ଦୋକାନୀ ମାନେ ଆଗକୁ ଆସିଯାଇ ଥିବାରୁ ଡ୍ରେନ ଚୋକ ହୋଇ ରହିଛି। ଏଣୁ ପଞ୍ଚାୟତ ତରଫରୁ ନାଳ ସଫା ହୋଇପାରୁନାହିଁ । ଯାହା ଫଳରେ ନାଳ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଅନ୍ୟ ପକ୍ଷରେ ଜବର ଦଖଲ ଯୋଗୁଁ ଦୋକାନର ଉଭୟ ପଟରେ ଗାଡ଼ି ମଟର ରଖିବା ଯୋଗୁଁ ବସ ଚଳା ଚଳ ରେ ବାଧା ସୃଷ୍ଟି ହେଉଛି । ଏଣୁ ଅଧିକାଂଶ ଘରୋଇ ବସ ଧରାକୋଟ ଭିତରକୁ ନ ଆସି ବାଇପାସ୍ ରାସ୍ତା ରେ ଚାଲିଯାଉଛନ୍ତି । ଏଣୁ ଲୋକେ ଦେଢ଼ କିମି ଦୂର ବ୍ରିଜ ଛକରୁ ଛୁଆ ପିଲା ସହ ସାମଗ୍ରୀ ଧରି ଚାଲି ଚାଲି ଆସୁଛନ୍ତି । ସମ୍ପ୍ରତି ଦୀର୍ଘ ଦିନ ପରେ ଜବର ଦଖଲ ଉଚ୍ଛେଦ ପାଇଁ ରାଜସ୍ବ ଓ ପୂର୍ତ୍ତ ବିଭାଗ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଜନସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ମୁଖ୍ୟ ବଜାରର ଉଭୟ ପଟରେ ଡ୍ରେନ ନିର୍ମାଣ ପାଇଁ ଗୋଲକ ବିହାରୀ ସାହୁ,କାଳିଆ ସାହୁ,ମନୋଜ ମହାନ୍ତି, ଭୋଳାନାଥ ଗୌଡ଼ ଓ ନିମେଇ ଚରଣ ପାଣିଗ୍ରାହୀ ପ୍ରମୁଖ ଦାବୀ କରିଛନ୍ତି।