ବାତ୍ୟା ଭୟ: ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା

20

ଭୁବନେଶ୍ୱର : ବାତ୍ୟା ଭୟ, ୬ରେ ଘୂର୍ଣ୍ଣିବଳୟ, ୯ ବେଳକୁ ଲଘୁଚାପ। ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା ବାତ୍ୟା ‌ରୂପ ନେବ କି ନାହିଁ, ସେନେଇ ଆକଳନ କରାଯାଇ ନଥିବା ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ବାତ୍ୟା ସୃଷ୍ଟି ହେବା ନେଇ ପାଣିପାଗ ଆକଳନକାରୀ ସଂସ୍ଥା ୱିଣ୍ଡିର ଦୁଇଟି ମଡେଲ ପୂର୍ବାନୁମାନ କରିଛନ୍ତି।


 ମେ’ ୧୨ରୁ ୧୪ ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଜିଏଫଏସ୍ ଓ ଇସିଏମ୍‌ଡବ୍ଲ୍ୟୁଏଫ୍ ମଡେଲ୍‌ ଆକଳନ କରିଛନ୍ତି। ଯଦି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୁଏ, ତାହା କେଉଁ ଆଡ଼କୁ ଗତି କରିବ, ତାହା ମଧ୍ୟ ସ୍ପଷ୍ଟ କରାଯାଇନାହିଁ। ବାତ୍ୟା ଆଶଙ୍କାକୁ ନଜରରେ ରଖି ପ୍ରଶାସନ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତା’ର ଆକଳନ ବହୁତ ଜଟିଳ। ୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା। ଆମ ପାଇଁ ସବୁ ଜୀବନ ମୂଲ୍ୟବାନ। ତେଣୁ ଆମକୁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼ିବ। ବାତ୍ୟା ଦ୍ବାରା ପ୍ରଭାବିତ ହେଉଥିବା ୧୮ଟି ଜିଲ୍ଲାର ଜିଲ୍ଲାପାଳମାନେ ଆବଶ୍ୟକୀୟ ପଦକ୍ଷେପ ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।