ଆସିକା ସମବାୟ ଚିନିଶିଳ୍ପରେ ବିଭିନ୍ନ ସମସ୍ୟା: ଭୁବନେଶ୍ୱର ଠାରେ ରେଜିଷ୍ଟ୍ରାରଙ୍କ ଦୃଷ୍ଟି ଆକର୍ଷଣ କରିଲେ ଚିନିଶିଳ୍ପ ପରିଚାଳନା ପରିଷଦ ସଦସ୍ୟ

84

ଆସିକା,୮/୪- ଏସିଆ ମହାଦେଶର ସର୍ବ ପୁରାତନ ଆସିକା ସମବାୟ ଚିନିଶିଳ୍ପରେ ବିଭିନ୍ନ ସମସ୍ୟା ଓ ଅବ୍ୟବସ୍ଥାର ସମାଧାନ ପାଇଁ ଚିନିଶିଳ୍ପ ପରିଚାଳନା ପରିଷଦର କେତେକ ସଦସ୍ୟ ଭୁବନେଶ୍ୱର ସମବାୟ ବିଭାଗୀୟ ରେଜିଷ୍ଟ୍ରାର ଡଃ.ଉଦୟ ମାଝୀଙ୍କ ଠାରେ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ଏହି ସଦସ୍ୟ ମାନେ ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ,ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ଶାସନ ସଚିବ ଶୁଭ୍ରାଶୁଂ ମିଶ୍ର,ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ପରାମର୍ଶଦାତାଙ୍କୁ ଦେଖା କରି ଚିନିଶିଳ୍ପରେ ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ପାଇଁ ଜଣାଇଥିଲେ । ଏହି ସାକ୍ଷାତ ବେଳେ ନିର୍ଦ୍ଧେଶକ ପୂର୍ଣ୍ଣଚନ୍ଦ୍ର ବରାଡ,ବସନ୍ତ ଦଳାଇ,ଉଦୟନାଥ ପ୍ରଧାନ,ସନ୍ତୋଷ ପ୍ରଧାନ,ରତ୍ନାକର ସାହୁ,ନିରଞ୍ଜନ ପ୍ରଧାନ,ଧରମୁ ପ୍ରଧାନ,ଶତ୍ରୁଘନ ଭୂୟାଁ ପ୍ରମୁଖ ମାନେ ଅଧିକାରୀ ଓ ମନ୍ତ୍ରୀଙ୍କୁ ଚିନିଶିଳ୍ପରେ ଦିର୍ଘ ବର୍ଷ ହେଲା ଖାଲି ପଡିଥିବା ପରିଚାଳନା ନିର୍ଦ୍ଦେଶକ,ପର୍ଶନାଲ ମ୍ୟାନେଜର,ସେପ୍ଟି ଅଫିସର,ଆଖୁ ପରିଚାଳନା ଭଳି ମୁଖ୍ୟ ପଦବୀର ନିଯୁକ୍ତି,ଚିନିଶିଳ୍ପର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ନିୟମାନୁଯାୟୀ ପରିଚାଳନା ପରିଷଦ ବୈଠକରେ ଆଲୋଚନା କରି ନିଷ୍ପତି କରିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରି ଜଣାଇଥିଲେ । ଏହା ସହିତ ଚିନିଶିଳ୍ପ ମଦ ପ୍ରସ୍ତୁତି କାରଖାନାରୁ ବାହାରୁଥିବା ଆସିକା -୪୦ ପ୍ୟାକିଂ ବଦଳାଇ ପଲି ପ୍ରପୋଲିନ ମାଧ୍ୟମରେ ପ୍ୟାକିଂ କରିବା ପରିବେଶ ସୁରକ୍ଷା,ଖର୍ଚ୍ଚ କମାଇବା ଭଳି ଅନେକ ବିଷୟ ଉପରେ ଆଲୋଚନା କରିଥିବା ଜଣାଯାଇଛି । ଆସିକା ସମବାୟ ଚିନିଶିଳ୍ପ ଠାରେ ଗତ ଡିସେମ୍ବର ମାସ ୧୩ ତାରୀଖରେ ଚିନିଶିଳ୍ପ ପରିଚାଳନା ପରିଷଦର ପ୍ରଥମ ବୈଠକ ହୋଇଥିଲା । ଏହାପରେ ଆଉ କୈାଣସି ବୈଠକ ହୋଇନଥିଲା । ଏନେଇ ଗତ ମାର୍ଚ୍ଚ ୨୩ ତାରିଖରେ ପରିଚାଳନା ପରିଷଦ ଉପସଭାପତି ସ୍ନେହଲତା ଚଣ୍ଡଙ୍କ ଅଧ୍ୟକ୍ଷତାରେ ଡାଇରେକ୍ଟର ମାନେ ଏକ ବୈଠକ ଡାକି ଆଲୋଚନା କରିଥିଲେ । ଏହି ବୈଠକରେ ପରିଚାଳନା ପରିଷଦ ସଭାପତିଙ୍କୁ ବୈଠକରେ ଡକାଯାଇ ସମସ୍ତ ସମସ୍ୟା ସମ୍ପର୍କୀତ ଆଲୋଚନା କରିବା ଏବଂ ବ୍ୟବସାୟିକ ନିତି ନିର୍ଦ୍ଧାରଣ ସମ୍ପର୍କୀତ ନିଷ୍ପତି ନେବା ପାଇଁ ଏକ ସ୍ମାରକ ପତ୍ର ଦିଆଯାଇଥିଲା । ତଥାପି ସମସ୍ୟାର କୈାଣସି ସମାଧାନ ନହେବାରୁ ଅନ୍ୟ ସଦସ୍ୟ ମାନେ ଭୁବନେଶ୍ୱର ଯାଇ ଉଚ୍ଚ କର୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି ପୂର୍ଣ୍ଣଚନ୍ଦ୍ର ବରାଡ ସୁଚନା ପ୍ରଦାନ କରିଛନ୍ତି ।