
ଭଞ୍ଜନଗର,୨୩/୦୩ : ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ଓ ଗେରେଡା ଅଞ୍ଚଳରେ ଅଘୋଷିତ ଭାବେ ବିଦ୍ୟୁତ କାଟ ଅଞ୍ଚଳବାସୀଙ୍କ ମୁଣ୍ଡ ବ୍ୟଥା ବଢ଼ାଇଦେଉଛି । ହାତୀ ନାଁ ରେ ରାତି ଅନ୍ଧାର କରିଦେଉଛନ୍ତି ଉଭୟ ବନବିଭାଗ ଓ ବିଦ୍ୟୁତ ବିଭାଗ । ଯାହାକୁ ନେଇ ଆଜି କୁଡୁତାଇ ପଞ୍ଚାୟତ ଓ ଗେରେଡା ପଞ୍ଚାୟତ ର କିଛି ଗ୍ରାମବାସୀ ଏକାଠି ହୋଇ ଏହାର ପ୍ରତିବାଦ ସ୍ୱରୂପ ଜଗନ୍ନାଥପ୍ରସାଦ ରେଞ୍ଜ ଅଫିସ ଓ ବିଦ୍ୟୁତ ବିଭାଗ କାର୍ୟ୍ୟାଳୟକୁ ଯାଇ ଚେତାବନୀ ଦେଇ ଫେରିଛନ୍ତି
କୁଡୁତାଇ ପଂଚାୟତ ର ସପଙ୍ଗ, ଦୁବ, ଭାଲୁମୁଣ୍ଡିଆ, ପୁଟଗାଡ଼ିଆ, କପିଲପଲ୍ଲୀ ଭଳି ଅନେକ ଗ୍ରାମରେ ଗତ ପ୍ରାୟ ୧୫ ଦିନ ହେବ ହାତୀ ଆଳ ଦେଖାଇ ସଂଧ୍ୟା ରୁ ସମ୍ପୂର୍ଣ୍ଣ ରାତି ବିଦ୍ୟୁତ କାଟ କରାଯାଉଛି ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜଗନ୍ନାଥପ୍ରସାଦ ରେଂଜ କାର୍ୟ୍ୟାଳୟ ଓ ବିଦ୍ୟୁତ ବିଭାଗୀୟ ଅଧିକାରୀ ଯନ୍ତ୍ରୀ ଙ୍କୁ ଭେଟି ବିଦ୍ୟୁତ କାଟ ନ କରିବା ପାଇଁ ଚେତାବନୀ ଦେଇଛନ୍ତି । କୌଣସି କର୍ମଚାରି ଅଞ୍ଚଳରେ ରାତି ରହୁନଥିବା ବେଳେ ବିଦ୍ୟୁତ ବିଭାଗ ମଧ୍ୟ ବିଦ୍ୟୁତ କାଟ କରି ଘରେ ଶୋଇପଡୁଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ଏଭଳି ବିଦ୍ୟୁତ କାଟ ହେଲେ ସମଗ୍ର ଅଞ୍ଚଳବାସୀଙ୍କ ଦ୍ୱାରା ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।




