ଆବାସ ଯୋଜନାରେ ଦୋକାନ ଗୃହ, କାହା ମର୍ଜିରେ

43

ଧରାକୋଟ,6/03 : ଗରିବ ଲୋକଙ୍କ ମୁଣ୍ଡ ଉପରେ ଛାତ ଘରଟିଏ ଯୋଗାଇ ଦେବାକୁ ସରକାର ଆରମ୍ଭ କରିଛନ୍ତି ଆବାସ ଯୋଜନା। ଲକ୍ଷ୍ୟ ସମାଜର ମୁଖ୍ୟ ସ୍ରୋତରେ ଗରିବ ପରିବାର ଙ୍କୁ ସାମିଲ କରିବା ।ଏଥି ପାଇଁ ଶ୍ରେୟ ନେବାକୁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ପ୍ରତିଯୋଗିତା ଆରମ୍ଭ କରିଛନ୍ତି । ଦୀର୍ଘ ତିନି ବର୍ଷ ବନ୍ଦ ରହିଥିବା ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ସଂପ୍ରତି ସରକାର ଘୋଷଣା ପରେ ପଞ୍ଚାୟତ ଠାରୁ ବ୍ଲକ ସବୁଠି ଭିଡ଼ । ଆବେଦନର ତାରିଖ ସାରିଥିବା ବେଳେ କାର୍ଯ୍ୟାଦେଶ ମିଳିନି । ଏହା ମଧ୍ୟରେ ପୂର୍ବରୁ କିଛି ପ୍ରଭାବଶାଳୀ ଅସାମାଜିକ ବ୍ୟକ୍ତିମାନେ ରାଜନେତା ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ହାତଗୁଞ୍ଜା ଦେଇ ପାଇଥିବା ଆବାସ ଘର ଅନୁଦାନରେ ଦୋକାନ ଗୃହ ନିର୍ମାଣ କରି ଏହାକୁ ଭଡ଼ାରେ ଲଗାଇଛନ୍ତି। ଯେଉଁଠି ଘର ଖଣ୍ଡିଏ ପାଇଁ ଗରିବ ପରିବାର ଡହକ ବିକଳ ହେଉଛି,ସେଇଠି ଦୋକାନ ଗୃହ ନିର୍ମାଣ ପାଇଁ ପ୍ରଶାସନ କିପରି ଅନୁମତି ଦେଇଛି ତାହା ତଦନ୍ତର ବିଷୟ । ଆମେ କହୁଛୁ ଜଗମୋହନ ଗ୍ରାମର ସଦର ମହକୁମାର କଥା । ଏହି ଗ୍ରାମର ମଧ୍ୟ ଭାଗରେ ମେଳା ମଣ୍ଡପ ଛକ ଉପରେ 2015/16 ବର୍ଷରେ ନିର୍ମାଣ ହୋଇଛି ଆବାସ ଯୋଜନାରେ ଏକ ଗୃହ । ଦୁଇବାଖରର ଏହି ଘରେ ଆବାସ ଯୋଜନାରେ ଷ୍ଟିକର ଲାଗିଛି ।ଗ୍ରାମର ପ୍ରଭାବଶାଳୀ ବ୍ୟକ୍ତି କୃଷ୍ଣ ସେଠୀ ପିତା, ରାମ ସେଠୀ ହେଉଛନ୍ତି ହିତାଧିକାରୀ ।ପ୍ରଶାସନ ଓ ନେତାଙ୍କୁ ହାତେଇ ଘର ପାଇବା ପରେ ଏହି ଟଙ୍କାରେ ଜୋର୍ ଜବରଦସ୍ତି ଦୁଇ ବଖରା ଘର ତିଆରି ଦୁଇଟି ଦୋକାନ ଗୃହ ନିର୍ମାଣ କରି ଭଡ଼ା ସୂତ୍ରରେ ଲଗାଇଛନ୍ତି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେଳା ମଣ୍ଡପ ଛକ ଗ୍ରାମର ଏକ ଗୁରୁତ୍ବପୂର୍ଣ୍ଣ ଛକ । ମୁଖ୍ୟ ରାସ୍ତା କଡ଼ରେ ଥିବା ଏହି ଛକ ରାସ୍ତାଦେଇ କିଶୋରଚନ୍ଦ୍ର ପଲି, ସାହାସ ପୁର, ଚମ୍ପାପଲି ଆଦି ପାଞ୍ଚ ଖଣ୍ଡ ଗାଁର ଲୋକେ ମୁଣ୍ଡମରଇ ବଜାରକୁ ଯିବା ଆସିବା କରନ୍ତି । ବିଦ୍ୟାଳୟ,ଅଙ୍ଗନବାଡ଼ି,ମନ୍ଦିରକୁ ଛାତ୍ର ଛାତ୍ରୀ ଓ ଲୋକେ ଯିବାଆସିବା କରନ୍ତି । ସ୍ବାସ୍ଥ୍ୟ କେନ୍ଦ୍ର ଓ ଆମ୍ବୁଲାନ୍ସ ସେବା ଏହି ଆବାସ ଗୃହ ନିର୍ମାଣ ପାଇଁ ବେଶ ପ୍ରଭାବିତ ହେଉଛି । ପ୍ରଥମ କଥା ହେଲା ଏହା ବସ୍ତି ଯୋଗ୍ୟ କିସମ ଜମିରେ ନିର୍ମାଣ ହୋଇଛି ନା ସରକାରୀ ବାବୁ ଓ ରାଜନେତା ମାନେ ପ୍ୟାକେଟ ଗରମ କରି ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ଆଗତ ଭବିଷ୍ୟତ ବିପନ୍ନ ଜାଣି ଗାଁ ଲୋକେ ମଧ୍ୟ ଏହି ଖଳ ପ୍ରକୃତିର ଲୋକ ନିକଟରେ ମୁଣ୍ଡ ନୁଆଇଁଚନ୍ତି କି ତାହା ବୁଝା ପଡୁନି । ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ନିୟମାବଳୀ ଜରିକରିଛନ୍ତି।ତାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମୁହାମୁହିଁ ହେଉଛନ୍ତି । ଘର ଟିଏ ପାଇଁ ଗରିବ ଲୋକ ଟିକୁ ବାର ଦୁଆର ସୁଣ୍ଢି ପିଣ୍ଡା ହେବାକୁ ପଡୁଛି ।ଏପଟେ ଘର ପାଇ ଲୋକେ ଏହାକୁ ଭଡ଼ାରେ ଲଗାଇଛନ୍ତି। ଜଗମୋହନ ଗ୍ରାମର ଏହି ଘଟଣା ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି ।ଏହାର ନିରପେକ୍ଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବୀ ହେଉଛି।