ଚର୍ଚ୍ଚାରେ ବିଧାୟକଙ୍କ ଦ୍ୱିତୀୟ ବିବାହ

35

ଭୁବନେଶ୍ୱର,୨୭/୨ : ଜୁନାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବିବାହ କରିଛନ୍ତି । ବିଧାୟକଙ୍କ ବିବାହକୁ ନେଇ ସାରା ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି । କିଛି ୟୁଜର୍ସ ବିଧାୟକଙ୍କୁ ଦ୍ୱିତୀୟ ବିବାହ ପାଇଁ ଶୁଭେଚ୍ଛା ଜଣାଉଛନ୍ତି । ଏହା ବିଧାୟକଙ୍କ ବ୍ୟକ୍ତିଗତ ବ୍ୟାପାର ବୋଲି ପୋଷ୍ଟ କରୁଛନ୍ତି । କିଛି ଲେଖିଛନ୍ତି ଜଣେ ନେତା ଏଭଳି ବୟସ ତାରତମ୍ୟରେ ଦ୍ୱିତୀୟ ବିବାହ କରିବା ଉଚିତ ନୁହେଁ, ଲୋକଙ୍କୁ ଏହା ପ୍ରଭାବିତ କରିବ । ଆଉ କେହି କେହି ସଂସ୍କୃତି ଓ ପରମ୍ପରାର କଥା ଉଠାଇ ଏହା ସମାଜକୁ ଭୁଲ ବାର୍ତ୍ତା ଦେଉଥିବା ଲେଖିଛନ୍ତି । ପୁଣି କିଛି ଲୋକ ଏଭଳି ବିବାହକୁ ମିଡିଆ ହାଇଲାଇଟ କରିବା ଘଟଣାକୁ ନାପସନ୍ଦ କରିଛନ୍ତି । କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ସଫ୍ଟୱେୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିିଙ୍କ ହାତ ଧରିଛନ୍ତି । ପ୍ରିୟଙ୍କାଙ୍କ ନିଜ ଘର ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁରେ । ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ ଭୁବନେଶ୍ୱର ଉପକଣ୍ଠ ପିିପିଲର ଏକ ହୋଟେଲରେ ବାହାଘର ହୋଇଛି । ଦିନରେ ନିର୍ବନ୍ଧ ହୋଇଥିଲା । ଉଭୟ କେକ ବି କାଟିଥିଲେ । ପରେ ବାହାଘର ହୋଇଛି । ଅଗ୍ନିକୁ ସାକ୍ଷୀ ରଖି ଜୀବନର ସାଥୀ ହେବାକୁ ଶପଥ ନେଇଛନ୍ତି । ତେବେ କୌଣସି ରାଜନୈତିକ ଦଳର ନେତାଙ୍କୁ ଦେଖିବାକୁ ମିଳିନଥିଲା । ଯେଉଁମାନଙ୍କ ନିକଟରେ ପାସ ଅଛି ସେମାନଙ୍କୁ ହିଁ ବିବାହ ମଣ୍ଡପକୁ ଛଡାଯାଇଥିଲା ।ପ୍ରଥମରୁ ବିବାହକୁ ଗୋପନୀୟ ରଖିବାକୁ ଉଦ୍ୟମ କରିଥିଲେ ମଧ୍ୟ ଶେଷ ମୂହୂର୍ତ୍ତରେ ପ୍ରଘଟ ହୋଇଯାଇଥିଲା । ଉଭୟ ଦିବ୍ୟଶଙ୍କର ଓ ପ୍ରୟିଙ୍କାଙ୍କ ଏହା ହେଉଛି ଦ୍ୱିତୀୟ ବିବାହ । ପୂର୍ବରୁ ଦିବ୍ୟଶଙ୍କର ଜୟପାଟଣାରେ ବିବାହ କରିଥିଲେ । କିନ୍ତୁ କୌଣସି କାରଣରୁ ପ୍ରଥମ ସ୍ତ୍ରୀଙ୍କ ସହ ଛାଡପତ୍ର ହୋଇଥିଲା । ତାଙ୍କର ଜଣେ ପୁଅ ଅଛନ୍ତି । ସେହିଭଳି ପ୍ରିୟଙ୍କାଙ୍କ ମଧ୍ୟ ଏହା ହେଉଛି ଦ୍ୱିତୀୟ ବିବାହ । ପ୍ରଥମ ସ୍ୱାମୀଙ୍କ ସହ ଛାଡପତ୍ର ହେବା ପରେ ସେ ଦ୍ୱିତୀୟ ବିବାହ କରିଛନ୍ତି । ତେବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦ୍ୱିତୀୟ ବିବାହକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।