
*ପ୍ରେମ, ସୌହାର୍ଦ୍ଦ୍ୟ ଏବଂ ମୈତ୍ରୀରେ ଦେଶର ବିକାଶଧାରା ପର୍ୟ୍ୟବେଷିତ
ଆସିକା ତା ୨୬/୧ : ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟର କ୍ରୀଡ଼ା ପ୍ରାଙ୍ଗଣରେ ସାଧାରଣତନ୍ତ୍ର ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି। ଉକ୍ତ ରାଷ୍ଟ୍ରୀୟ ପର୍ବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ପୌରହିତ୍ୟ କରିଥିଲେ। ଏଥିରେ କଲେଜର ଜାତୀୟ ସମର ଶିକ୍ଷାର୍ଥି ବାହିନୀ, ଜାତୀୟ ସେବା ଯୋଜନା, ରୋଭର୍ସ ସ୍କାଇଟ୍ ଏବଂ ଯୁବରେଡକ୍ରସର ମିଳିତ ଆନୁକୂଲ୍ୟରେ ଏକ ଭବ୍ୟ ପ୍ୟାରେଡର ଆୟୋଜନ ହୋଇଥିଲା।
ଅଧ୍ୟକ୍ଷ ଡ. ତ୍ରିପାଠୀ ରାଷ୍ଟ୍ରୀୟ ମର୍ୟ୍ୟଦାର ଅଭିବାଦନ ଗ୍ରହଣ କରିଥିଲେ। ଭାରତ ଆଜି ଅମୃତ ମହୋତ୍ସବ ମଧ୍ୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଅଛି। ଅଧ୍ୟକ୍ଷ ନିଜର ବ୍ୟକ୍ତବ୍ୟରେ ପ୍ରେମ, ସୌହାର୍ଦ୍ଦ୍ୟ, ମୈତ୍ରୀରେ ବିକାଶଧାରା ପର୍ୟ୍ୟବେଷିତ ବୋଲି କହିଥିଲେ। ମେକ୍- ଇନ୍-ଇଣ୍ଡିଆର ମୁଖ୍ୟ ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଯୁବାପୀଢୀଙ୍କୁ ଆହ୍ବାନ କରିଥିଲେ। ଦେଶର ସୀମାନ୍ତରେ ସିପାହୀ ମାନଙ୍କ ପରାକ୍ରମକୁ ସମ୍ମାନ ଦେବା ପାଇଁ ପରାମର୍ଶ କରିଥିଲେ। ଉକ୍ତ ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଡ. ତ୍ରିପାଠୀ କଲେଜ ଏନ୍.ସି.ସି. ଅଧିକାରୀ ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କୁ ଓଡ଼ିଶା ରାଜ୍ୟସ୍ତରୀୟ ସର୍ବଶ୍ରେଷ୍ଠ ସହାୟକ ଏନ୍.ସି.ସି. ଅଧିକାରୀ (ବରିଷ୍ଠ ବିଭାଗ) ସମ୍ମାନରେ ପୁନର୍ବାର ସମ୍ମାନିତ କରିଥିଲେ। ଉକ୍ତ ସମାରୋହରେ ସମସ୍ତ ଏନ୍ଏସ୍ଏସ୍ ଅଧିକାରୀ, ଯୁବରେଡକ୍ରସ ଉପଦେଷ୍ଟା, ରୋଭର୍ସ ରେଞ୍ଜର ଏବଂ କ୍ରୀଡା ଅଧ୍ୟାପକଙ୍କ ମିଳିତ ତଥା ବଳିଷ୍ଟ ସଂଯୋଜନାରେ ରାଷ୍ଟ୍ରୀୟ ସମାରୋହ ସୁଚାରୁରୂପେ ସଂପାଦିତ ହୋଇପାରିଥିଲା। ଉକ୍ତ କାର୍ୟ୍ୟକ୍ରମରେ କଲେଜର ପ୍ରାୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।




