ସଙ୍କଟରେ ଚାଷୀ, ଟୋକେନ ଅଛି, ଟାରଗେଟ ନାହିଁ

8

ଧରାକୋଟ,୧୯/୦୧ : ଧରାକୋଟ ବ୍ଲକର ଚାଷୀ କୂଳ ଧାନର ଅଭାବୀ ବିକ୍ରିକୁ ନେଇ ବେଶ ଚିନ୍ତିତ । ଚଳିତ ବର୍ଷ ଧାନ ଫସଲ ବେଶ ସନ୍ତୋଷ ଜନକ ହୋଇଛି । ଏଣୁ ମଣ୍ଡିରେ ଧାନ ବିକ୍ରି କରି ଚାଷୀ ସରକାରଙ୍କ ଘୋଷିତ ସର୍ବ ନିମ୍ନ ସହାୟକ ମୂଲ୍ୟ ପାଇ ବେଶ ଦୁଇ ପଇସା ଲାଭବାନ ହେବାର ଯେଉଁ ଆଶା ରଖିଥିଲେ ତାହା ମାଉଳିବାରେ ଲାଗିଛି । ଚଳିତ ବର୍ଷ ଆଦାୟ ଅନୁଯାୟୀ ମେସେଜ ଆସିନାହିଁ। ଟୋକେନ୍ ପାଇଁ ଗଲେ ଆଖି ପରୀକ୍ଷଣ ପରେ ମେସେଜ ରେ ଉଲ୍ଲେଖ ରହିଥିବା କୁଇଣ୍ଟାଲ ପରିମାଣ କମିଯାଇଥିବା ଦେଖବାକୁ ମିଳୁଛି। ଟୋକେନ ମିଳୁଛି ଅଥଚ ଟାରଗେଟ ନଥିବାରୁ ଏହା ବାତିଲ ହେବାକୁ ଯାଉଛି। ଏଣୁ ଚାଷୀ କୂଳ ବେଶ ଅସନ୍ତୋଷ । ଚାଷୀଙ୍କ ନିକଟରୁ ଧାନ ନକିଣି ମଣ୍ଡିରେ ନେଇ ଦେବାକୁ ପଡୁଛି। ପରିବହନ ଖର୍ଚ୍ଚ ମିଲର ଦେଉନାହାନ୍ତି । ଏହା ଚାଷୀଙ୍କୁ ଦେବାକୁ ପଡୁଛି। କ୍ଵିଣ୍ଟାଲ ପିଛା ମିଲର ପାଞ୍ଚ କିଲୋ ଧାନ କାଟୁଥିବା ବେଳେ ଓଜନ ସମୟରେ ଖୁଚୁରା ଗ୍ରାମ ଜବରଦସ୍ତ କାଟୁଛନ୍ତି । ଖରାପ ଧାନ ଯୋଗୁଁ ଏପରି କଟା ଯାଉଛି ବୋଲି ମିଲର ସଫେଇ ଦେଉଛନ୍ତି । ବର୍ଷ ତମାମ ହାଡ଼ ଭଙ୍ଗା ପରିଶ୍ରମ କରି ଆଦାୟ କରିଥିବା ଧାନ ଫସଲ ଶାଗ ମାଛ ମୂଲରେ ଚାଷୀ ଲୋକାଲ ବେପାରୀଙ୍କୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି । ଏହି ସବୁ ଧାନ ଆନ୍ଧ୍ରକୁ ଚାଲାଣ ହେଉଛି । ଚାଷୀ ଏଠି ଜଳକା ସଜୁଥିବା ବେଳେ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି। ଧରାକୋଟ ବ୍ଲକରେ ପନ୍ଦର ଗୋଟି ସେବା ସମବାୟ ସମିତି ସହ ଓମ ଶାନ୍ତି,ମା ଗ୍ରାମ ଦେବତୀ,ମା ତାରିଣୀ ଓ ବ୍ରାହ୍ମଣୀ ଦେବୀ ସ୍ଵୟଂ ସହାୟକ ଗୋଷ୍ଠୀ କୁ ଧାନ କିଣିବା ପାଇଁ ସରକାର ଅନୁମତି ଦେଇଛନ୍ତି । ଉଣସି ଗୋଟି ମଣ୍ଡି ରୁ ଏକ ଲକ୍ଷ ବସଠୀ ହଜାର କ୍ଵିଣ୍ଟାଲ ଧାନ କିଣା ଯିବାର ବିଭାଗ ଲକ୍ଷ ରଖିଛି। ହେଲେ ଟାରଗେଟ ଠିକ ଭାବେ ଆସୁନାହିଁ। ଏଣୁ ଚାଷୀ ବାଧ୍ୟ ହୋଇ ସ୍ଥାନୀୟ ବେପାରୀଙ୍କୁ ଧାନ ବିକୁଛି। ସଂପ୍ରତି ଆଜି ଧରାକୋଟ ବ୍ଲକ କାର୍ୟ୍ୟାଳୟ ପରିସରରେ ଚାଷୀ ମାନଙ୍କ ଅସନ୍ତୋଷ ଦେଖା ଦେଇଥିଲା। ସରଧାପୂର୍ ଗ୍ରାମର ଓମ ଶାନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ର ପଞ୍ଜୀକୃତ ୧୮୭ ଜଣ ଚାଷୀ ବି ଡି ଓ ଡେନିସ ବେହେରାଙ୍କୁ ଭେଟି ଅଭାବୀ ଧାନ ବିକ୍ରି ନେଇ ଅଭିଯୋଗ କରିଥିଲେ । ଏ ପର୍ୟ୍ୟନ୍ତ ୧୦୭ ଜଣ ଚାଷୀଙ୍କ ଟୋକେନ ଆସିଥିଲେ ମଧ୍ୟ ଟାରଗେଟ ନଥିବାରୁ ଧାନ ବିକ୍ରି କରିପାରୁ ନାହାଁନ୍ତି । ଏଣୁ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିବା ପରେ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ କରାଯିବ ବୋଲି ବି ଡି ଓ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ପକ୍ଷରେ ସେଲାଇଟ୍ ସର୍ଭେ ଯୋଗୁଁ ଟାରଗେଟ କମି ଯାଇଛି ବୋଲି ଯୋଗାଣ ଅଧିକାରୀ ସଞ୍ଜୟ ମଲିକ ପ୍ରକାଶ କରିଛନ୍ତି। ସମସ୍ତ ଉଣସି ଗୋଟି ମଣ୍ଡି ପାଇଁ ଅତିରିକ୍ତ ଟାରଗେଟ ପାଇଁ ସରକାର ଙ୍କୁ ଲେଖାଯିବ ଏବଂ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। ଅଭାବୀ ଧାନ ବିକ୍ରି ଯୋଗୁଁ ଚାଷୀ ଆଖିରୁ ଲୁହ ଝରୁଛି,ସେପଟେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଯୋଗୁଁ ଚାଷୀ କୂଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ମିଲର ମାନଙ୍କ ଯୋଗୁଁ ପରିସ୍ଥିତି ଏପରି ହେଉଛି ଯାହାକି ଆଗାମୀ ଦିନରେ ଚାଷୀଙ୍କୁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ କରୁଛି ।