
ଆସିକା ତା ୧୨/୧: ଓଡିଶା ଯୁବ ରେଡକ୍ରସ୍ ଶାଖା ଏବଂ ରେଡ୍ ରିବନ୍ କ୍ଳବର ନିର୍ଦ୍ଦେଶକ୍ରମେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ୟୁନିଟ୍ ତରଫରୁ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ କଲେଜ ସେମିନାର ହଲରେ ରାଷ୍ଟ୍ରୀୟ ଯୁବ ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଯାଇଛି। ପ୍ରଥମେ ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରା ଯାଇଥିଲା। ତତ୍ପଶ୍ଚାତ୍ ବେଦଜ୍ଞ ଧନଞ୍ଜୟ ମହାପାତ୍ରଙ୍କ ବେଦପାଠ ମନ୍ତ୍ରଧ୍ବନୀରେ ଅତିଥିଙ୍କ ଦ୍ବାରା ସ୍ବାମୀଜୀ ଏବଂ ଦେବ ବିଗ୍ରହରେ ପୁଷ୍ପ ମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। କଲେଜର ଦ୍ବୈତ ଯୁବ ରେଡକ୍ରସ୍ ଉପଦେଷ୍ଟା ରାଜେଶ୍ କୁମାର ସାହୁ ଓ ଦେବବ୍ରତ ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇପାରିଥିଲା। ଉକ୍ତ ବୈଠକରେ ମୁଖ୍ୟ ଅତିଥି ରୂପେ କଲେଜ ପ୍ରସାଶନିକ ଅଧିକାରୀ ପ୍ରଫେସର କେଦାର ନାଥ ପଣ୍ଡା ଏବଂ ଉପ-ପ୍ରଶାସନିକ ଅଧିକାରୀ ଡ. ଅଭୟକେଶରୀ ପରିଚ୍ଛା ପଟ୍ଟନାୟକ ମୁଖ୍ୟବକ୍ତା ରୂପେ ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଡ. ପଟ୍ଟନାୟକଙ୍କ ବିଶ୍ବ ସ୍ତରୀୟ ଆଧ୍ୟାତ୍ମିକ ଯୁଗ ସ୍ରଷ୍ଟା, ଯୋଗୀ ତଥା ମହାମାନବ ସ୍ବାମୀ ବିବେକାନନ୍ଦଙ୍କ ଜୀବନ ପରିଚୟ, ଦାର୍ଶନିକ ବିଚାରଧାରା, ଆଧ୍ୟାତ୍ମିକ ତତ୍ବ, ସ୍ବାମୀଜୀଙ୍କ ପ୍ରତି ସଦ୍ଗୁରୁ ରାମକୃଷ୍ଣ ପରମହଂସଙ୍କ ସାନିଧ୍ୟ, ଆମେରିକାର ଚିକାଗୋ ସହରରେ ଉପନୀତ ବିଶ୍ବ ଧାର୍ମିକ ସମ୍ମିଳନୀରେ ଆଧ୍ୟାତ୍ମିକତାର ମହାତ୍ମ୍ୟ ଏବଂ ଯୁବା ପୀଢୀଙ୍କ ପ୍ରତି ନିର୍ଦ୍ଦେଶାବଳୀର ପୁଙ୍ଖାନୁପୁଙ୍ଖ ବାଖ୍ୟା ବୈଠକରେ ଉପସ୍ଥିତ ବୁଦ୍ଧିଜୀବୀ ଓ ବିଦ୍ୟାର୍ଥିମାନଙ୍କୁ ମନ୍ତ୍ରମୁଗ୍ଧ କରପାରିିଥିଲା। ସେ ସ୍ବାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବିଦ୍ୟାର୍ଥିମାନଙ୍କୁ ଆହ୍ବାନ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର ପଣ୍ଡା ମଧ୍ୟ ନିଜର ଅନ୍ତଃର୍ନିହିତ ଗୁଣାବଳୀକୁ ବିକଶିତ କରିବା ପାଇଁ ବିଦ୍ୟାର୍ଥିମାନଙ୍କୁ ସୂଚାୟୀ ଥିଲେ। ଯୁବ ରେଡକ୍ରସ୍ ଉପଦେଷ୍ଟା ଦେବବ୍ରତ ସାହୁ ରାଷ୍ଟ୍ରୀୟ ଯୁବ ଦିବସର ଆଭିମୁଖ୍ୟ ତଥା ସ୍ବାମୀଜୀଙ୍କ ମହତ୍ ବାଣୀ ଉପସ୍ଥାପନ କରିଥିଲେ। ଅଧ୍ୟକ୍ଷ ଡ. ତ୍ରୀପାଠୀ ନିଜର ସ୍ବାଗତ ଭାଷଣରେ ଏବଂ ସ୍ବାମୀଜୀଙ୍କ ମହତ୍ ସଂଦେଶ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳାଗତ ଜୀବନ ଯାପନ କରିବା ପାଇଁ ଆଶୀର୍ବଚନ ଦେଇଥିଲେ। ଉକ୍ତ ବୈଠକରେ ଶତାଧିକ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ। ପରିଶେଷରେ ଯୁବ ରେଡକ୍ରସ୍ ଉପଦେଷ୍ଟା ରାଜେଶ୍ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।



