
ବଡମ୍ବା,୪/୦୧ : ବଡମ୍ବା ପଂଚାୟତ ସମିତି ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପ୍ରତିବାଦ ରେ ବିଜେପି ନେତା ବିଜୟ ଦଳ ବେହେରା ଙ୍କର ନେତୃତ୍ୱରେ ବଡମ୍ବା ବ୍ଲକ ସମ୍ମୁଖରେ ବଡମ୍ବା ଭାରତୀୟ ଜନତା ପାର୍ଟି ପକ୍ଷରୁ ଶାନ୍ତି ପୂର୍ଣ୍ଣ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଗତ ଫନି ବାତ୍ୟା ରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକ କୁ ଫନି କ୍ଷତିଗ୍ରସ୍ତ ଙ୍କୁ ବାସଗୃହ ପ୍ରଦାନ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏନେଇ ୨୦୧୯ ମସିହା ଅଗଷ୍ଟ ୩୧ ରୁ ସରଜମିନ ତଦନ୍ତ କରାଯାଇ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୧ ତାରିଖ ମଧ୍ୟ ରେ ଜିଓ ଟ୍ୟାଗ କରି ତଥ୍ୟ ଯୋଗାଇଦେବାର ନିର୍ଦ୍ଦେଶ ଥିଲା। ହେଲେ ବଡମ୍ବା ପଂଚାୟତ ସମିତି ରେ ଚଞ୍ଚକତା କରି ଅଯୋଗ୍ୟ ହିତାଧିକାରୀଙ୍କୁ ଦଳୀୟ ଭିତ୍ତିରେ ଭର୍ତ୍ତି କରି ବ୍ୟାପକ ଅନିୟମିତତା କରିଥିଲେ। ୨୦୧୯ ରେ ଏହି ଘଟଣା କୁ ନେଇ ମଧ୍ୟ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିକ୍ଷୋଭ ଓ ଗଣଧାରଣା କରାଯାଇଥିଲା। ପରେ ଏହାର ପ୍ରଭାବ ରେ ବିଭାଗ ପକ୍ଷରୁ ଦୁଇ ଜଣ ବରିଷ୍ଠ ଅଧିକାରୀ ଙ୍କୁ ନିଯୁକ୍ତି କରାଯାଇ ତଦନ୍ତ କରାଯାଇଥିଲା। ଏବଂ ତଦନ୍ତ ରେ ବ୍ୟାପକ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଥିଲା। ଏନେଇ ୨୦୧୯ ରେ ବଡମ୍ବା ର ବିଡ଼ିଓ, ସମିତି ଉପାଧ୍ୟକ୍ଷା, ଶଙ୍ଖାମେରି ପଂଚାୟତ ର ସରପଞ୍ଚ ଏହି ଅନିୟମିତତା ଓ ଚଞ୍ଚ କତା ରେ ସାମିଲ ଥିବାରୁ ସରକାର ଙ୍କର ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ମୋକଦ୍ଦମା କଟକ ପ୍ରକଳ୍ପ ନିର୍ଦ୍ଦେଶକ କରିଥିଲେ। ବଡମ୍ବା ଥାନା ରେ ଏନେଇ ମାମଲା ରୁଜୁ ପରେ ମଧ୍ୟ ପୋଲିସ ସମ୍ପୂର୍ଣ୍ଣ ଶାସକ ଦଳର ବଶବର୍ତ୍ତୀ ହୋଇ ଚୁପ ରହିଯାଇଥିବା ବେଳେ ଗରିବ ହିତାଧିକାରୀ ଏବେ ମଧ୍ୟ ଚାଳ କୁଡ଼ିଆ ଘରେ ଜୀବନ ବିତାଉ ଛନ୍ତି । ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହାୟତା ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶ ଆସିଥିବା ବେଳେ ପୁଣି ସେହି ଅବୈଧ ତାଲିକାକୁ ଆୟୁଧ କରିବା ପାଇଁ ପ୍ରୟାସ କରାଯାଉଥିବା ସ୍ପଷ୍ଟ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ଅନ୍ୟପଟେ ଚଳିତ ବର୍ଷ ମଧ୍ୟରେ ବିଭିନ୍ନ ପଂଚାୟତ ରୁ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଯଥେଷ୍ଟ ପରିମାଣର ଉତ୍କୋଚ ନେଇ ତାଲିକା ପ୍ରସ୍ତୁତ କରିଛନ୍ତି । ଏଣୁ ଏହି ହିତାଧିକାରୀ ମାନଙ୍କ ର ଉପଯୁକ୍ତ ତଦନ୍ତ କରିବା ପାଇଁ ଜଣେ ନୂତନ ତଦନ୍ତକାରି ଅଧିକାରୀ ଚୟନ କରିବାକୁ ଭାରତୀୟ ଜନତା ପାର୍ଟି ବଡମ୍ବା ପକ୍ଷରୁ ଦାବି ହୋଇଛି। ଏନେଇ ମାନ୍ୟବର ପ୍ରଧାନ ମନ୍ତ୍ରୀ, ଭାରତ ସରକାର ଙ୍କର କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ, ମାନନୀୟ ମୁଖ୍ୟମନ୍ତ୍ରୀ ଓଡିଶା, ପଞ୍ଚାୟତି ରାଜ, ପ୍ରକଳ୍ପ ନିର୍ଦ୍ଦେଶକ ଙ୍କର ସହ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ନକଲ ପ୍ରଦାନ କରାଯାଇଛି ବୋଲି ବିଜେପି ନେତା ବିଜୟ ଦଳ ବେହେରା କହିଛନ୍ତି। ଅନ୍ୟପଟେ ଏହି ଗଣଧାରଣା ରେ କଟକ ବିଜେପି ସଭାପତି ପ୍ରକାଶ ବେହେରା, କଟକ ଜିଲ୍ଲାର ବିଜେପି ସମ୍ପାଦକ ରାମନାରାୟଣ ନାୟକ, ବଡମ୍ବା ମଣ୍ଡଳ ସଭାପତି ସନ୍ତୋଷ ବେହେରା ଙ୍କର ସମେତ ୨ ହଜାର ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଙ୍କର ସମାଗମ ଦେଖିବାକୁ ମିଳିଛି।





