
ଆସିକା,୨୬/୧୨ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ ଓ ତିନି ବାଳକ ଓ ବାଳିକା ବିଭାଗ ଜାତୀୟ ସେବା ଯୋଜନା ଶାଖାର ମିଳିତ ଆନୁକୂଲ୍ୟରେ ଏବଂ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆସିକା ବ୍ଳକ ଅଧିନସ୍ଥ ଖାରିଆ ପଞ୍ଚାୟତର ଖାରିଆ ଗ୍ରାମର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସ୍ବତନ୍ତ୍ର ସାପ୍ତାହିକ ଶୀତକାଳୀନ ଶିବିର ଉଦ୍ଘାଟନ ହୋଇଯାଇଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ରୂପେ ଆସିକା ବ୍ଳକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଫକିର ଚ଼ରଣ ପରିଡା ଉପସ୍ଥିତ ଥିବା ବେଳେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା କଲେଜ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ, ବରିଷ୍ଠ ପିଇଟି ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଏବଂ ସମାଜ ସେବୀ ଦିଲ୍ଲୀପ କୁମାର ନାହାକ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ। ଉଭୟ ବାଳକ ଏବଂ ବାଳିକା ଶାଖାର ଯୋଜନା ଅଧିକାରୀ ଅଧ୍ୟାପକ ଶ୍ରୀ ଅରୁଣ କୁମାର ସେଠୀ, ଶ୍ରୀ ବିଭୁକଲ୍ୟାଣ ପଣ୍ଡା, ଅଧ୍ୟାପିକା ଶ୍ରୀମତୀ ମଞ୍ଜୁ ଡାକୁଆ, ସୁଶ୍ରୀ ରଶ୍ମିପ୍ରିୟା କାଲୋଙ୍କ ସୁପରିଚାଳନା ଏବଂ ସଂଯୋଜନାରେ ଶିବିରର ଉଦ୍ଘାଟନ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇପାରିଥିଲା। ଆରମ୍ଭରେ ଅଧ୍ୟାପକ ବିଭୁକଲ୍ୟାଣ ପଣ୍ଡା ସମସ୍ତ ଅତିଥିଙ୍କୁ ମଞ୍ଚାସୀନ କରି ନିଜର ସ୍ବାଗତ ଭାଷଣ ରଖିଥିଲେ। ମୁଖ୍ୟ ଅତିଥି ଅଭିଭାଷଣରେ ନିଜ ନିଜ ଅଞ୍ଚଳର ସ୍ବଚ୍ଛତା ପ୍ରତି ସମସ୍ତଙ୍କୁ ଦୃଷ୍ଟି ଦେବା ପାଇଁ ଆହ୍ବାନ କରିଥିଲେ। ଉକ୍ତ ଶିବିରରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସାରଙ୍ଗଧର ଦାଶଙ୍କ ସହଯୋଗରେ ଶିବିରାର୍ଥୀ ଛାତ୍ରଛାତ୍ରୀ ମାନେ ବେଶ୍ ପ୍ରସନ୍ନ ଥିବାର ଅନୁମେୟ ହୋଇ ପାରିଥିଲା। ଉକ୍ତ ସାପ୍ତାହିକ କାର୍ଯ୍ୟକ୍ରମରେ ସ୍ବଚ୍ଛ ଭାରତ ମିଶନ, ସ୍ବାସ୍ଥ୍ୟରକ୍ଷା, ସଫେଇ କାର୍ଯ୍ୟକ୍ରମ, ଏଡସ୍ ସଚ଼େତନା ଇତ୍ୟାଦି କାର୍ଯ୍ୟକ୍ରମର ଦାଇତ୍ବକୁ ଖାରିଆ ପଞ୍ଚାୟତର ସମସ୍ତ ଗ୍ରାମରେ ସଚ଼ତନତାର ବାର୍ତ୍ତା ଦେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ଏଥି ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକ ପରିବେଷଣ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ଉକ୍ତ ଉଦ୍ଘାଟନୀ ବୈଠକରେ ଏନ୍ଏସ୍ଏସ୍ ଅଧୀକାରିଣୀ ଅଧ୍ୟାପିକା ଶ୍ରୀମତୀ ମଞ୍ଜୁ ଡାକୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




