ଆସିକା ବିଜ୍ଞାନ ମହାବିଦ୍ୟାଳର ୫୪ତମ କ୍ରୀଡା ପ୍ରତିଯୋଗିତା ତଥା ଆସିକା ବିଧାୟିକାଙ୍କ ଦ୍ବାରା ନବ ନିର୍ମାଣ ପ୍ରକୋଷ୍ଠର ଶୁଭ ଉଦଘାଟନ

62

ଆସିକା,୨୧/୧୨₹ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଦୁଇ ଦିନ ଧରି ୫୪ତମ କ୍ରୀଡ଼ା ପ୍ରତିଯୋଗିତା ଅଧ୍ୟକ୍ଷ ଡ଼. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ କ୍ରୀଡା ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ସଂଯୋଜନାରେ ସଂପାଦିତ ହୋଇଯାଇଛି। ପ୍ରଥମ ଦିବସରେ ଅଧ୍ୟକ୍ଷ ଡ଼. ତ୍ରିପାଠୀ ତଥା ଉକ୍ତ କ୍ରୀଡା ପ୍ରତିଯୋଗିତାର ଉପସଭାପତି ଡ. ସ୍ମିତାରାଣୀ ପଣ୍ଡା, ପିଇଟି ଏବଂ ସମସ୍ତ ବର୍ଗର କର୍ମଚାରୀ ତଥା କ୍ରୀଡାବିତ୍ ଛାତ୍ରଛାତ୍ରୀଙ୍କ ଗହଣରେ କ୍ରୀଡା ପତ୍ତାକା ଉତ୍ତୋଳନ, ପ୍ରଦୀପ ତଥା କ୍ରୀଡା ମସାଲ ପ୍ରଜ୍ଜ୍ବଳନ ପୂର୍ବକ ଉଦଘାଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କ୍ରୀଡା ମସାଲକୁ କଲେଜ ଛକ ସ୍ଥିତ ମାଁ ଶିତଳାଇ ମନ୍ଦିରରୁ କଲେଜ ଖେଳ ପଡିଆକୁ ଅଣାଯାଇଥିଲା। କ୍ରୀଡା ସଂପାଦିକା ଡ. ସ୍ମିତାରାଣୀ ପଣ୍ଡା ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। କଲେଜ ଅଧ୍ୟକ୍ଷ ଡ. ତ୍ରିପାଠୀ ନିଜର ସ୍ବାଗତ ଭାଷଣରେ ସମସ୍ତ ଯୁବକ ଯୁବତୀ କ୍ରୀଡାବିତ୍ ମାନଙ୍କୁ ଖେଳୁଆଡ ମନୋଭାବ ପୋଷଣ କରିବା ପାଇଁ ଆହ୍ବାନ କରିଥିଲେ ଏବଂ କ୍ରୀଡା ଦ୍ବାରା ରାଜ୍ୟ ତଥା ଦେଶର ମର୍ଯ୍ୟାଦାକୁ ବଜାୟ ରଖିବା ଏବଂ ଭାଇଚାରା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ।

ଉକ୍ତ ପ୍ରତିଯୋଗିତାରେ ଯୁକ୍ତ ଦୁଇ ଏବଂ ତିନିର ଯୁବକ ଯୁବତୀ ମାନଙ୍କ ପାଇଁ ଏକ ଶହ ମିଟର ଦୌଡ଼ରୁ ଆରମ୍ଭ କରି ପନ୍ଦର ଶହ ମିଟର ତଥା ଲମ୍ବା ଡିଆଁ, ଉଚ୍ଚା ଡିଆଁ ଡିସକସ୍, ସଟଫୁଟ୍, ବାଳିକାଙ୍କ ମ୍ୟୁଜିକ୍ ଚେୟାର୍ ଇତ୍ୟାଦି କ୍ରୀଡା ପ୍ରତିଯୋଗିତା ଗୁଡିକ କଲେଜର ପିଇଟି, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଆମନ୍ତ୍ରିତ ଅତିଥି ପିଇଟି ଦୀପକ କୁମାର ସ୍ବାଇଁ, ସନ୍ତୋଷ କୁମାର ବାରିକ ଏବଂ ପଦ୍ମଚରଣ ଦଳାଇ ସମସ୍ତ କ୍ରୀଡାର ସୁପରିଚାଳନା କରିଥିଲେ। ଉଭୟ ବର୍ଗର କୃତି କ୍ରୀଡାବିତ୍ ମାନଙ୍କୁ ମୁଖ୍ୟ ଅତିଥି ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳିର ଜନପ୍ରିୟ ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ତଥା ସମ୍ମାନିତ ଅତିଥିଙ୍କ ଦ୍ବାରା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉକ୍ତ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ରାଜନିତୀ ବିଜ୍ଞାନ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ, ଆସିକା ବ୍ଳକ ଚେୟାରମେନ୍ ଶ୍ରୀମତୀ ତ୍ରିବେଣୀ ନାହାକ, ଆସିକା ବ୍ଳକ ଭାଇସ୍ ଚେୟାରମେନ୍, ନିମିନା ସରପଞ୍ଚ, ଆସିକା ଅଞ୍ଚଳର ବିଶିଷ୍ଠ ରାଜନେତା ନଚିକେତା ସ୍ବାଇଁ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ରାଜେଶ୍ କୁମାର ପଟ୍ଟନାୟକ ସମ୍ମାନିତ ଅତିଥିରୂପେ ଉପସ୍ଥିତ ଥିଲେ।ଯୁକ୍ତ ତିନି ଶେଷ ବର୍ଷ କଳା ଛାତ୍ର ଶ୍ରୀକାନ୍ତ କୁମାର ପ୍ରଧାନ କଲେଜର କ୍ରୀଡା ସମ୍ବନ୍ଧୀୟ ବିବରଣୀ ପାଠ କରିଥିଲେ। କଲେଜ ଅଧ୍ୟକ୍ଷ ତଥା ପରିଚାଳନା କମିଟି ସଭାପତି ଖେଳ ପଡିଆର ପାଚେରୀ, ଗ୍ୟାଲେରୀ ଏବଂ ସ୍ପୋର୍ଟ୍ସରୁମର ନିର୍ମାଣ ନିମନ୍ତେ ଆସିକା ବିଧାୟିକାଙ୍କ ନିକଟରେ ଅନୁରୋଧ ରଖିଥିଲେ ଏବଂ ଦୃଷ୍ଟି ଆକର୍ଷଣ କରାଇଥିଲେ।

ବିଭିନ୍ନ କ୍ରୀଡା ଦ୍ବାରା ସୁସ୍ଥ ଶାରିରୀକ ଗଠନ ସହିତ ଉନ୍ନତ ମାନସିକ ବିକାଶ ହୋଇଥାଏ ବୋଲି ସମସ୍ତ ଅତିଥି ନିଜ ନିଜର ମତବ୍ୟକ୍ତ କରିଥିଲେ। ଯୁକ୍ତ ଦୁଇ ବାଳକ ବର୍ଗର ଛାତ୍ର ରୋଶନ୍ ମହାନ୍ତି ଏବଂ ଛାତ୍ରୀ ସୁ୍ଶ୍ରୀ ଲିପ୍ସା ଗୌଡ଼ ଯୁକ୍ତ ତିନି ବାଳକ ବର୍ଗର ଯୁଗ୍ମ ଛାତ୍ର ରାହୁଲ କୁମାର ବେହେରା ଏବଂ ଶ୍ରୀକାନ୍ତ କୁମାର ପ୍ରଧାନ ତଥା ବାଳିକା ବର୍ଗର ଛାତ୍ରୀ ସୁଶ୍ରୀ ସଂନ୍ଧ୍ୟାରାଣୀ ଲେଙ୍କା ସର୍ବଜୟୀ (ଚ଼ମ୍ପିୟାନ) କ୍ରୀଡାବିତ୍ ମାନଙ୍କୁ ମଧ୍ୟ ଅତିଥିଙ୍କ ଦ୍ବାରା ସ୍ବତନ୍ତ୍ର ରୂପେ ସମ୍ମାନିତ କରାଯାଇଥିଲା। ଅନ୍ତିମ ପର୍ଯ୍ୟାୟରେ କ୍ରୀଡା ପତ୍ତାକାକୁ ମର୍ଯ୍ୟାଦାର ସହ ଅବତରଣ କରି ପିଇଟି ସନ୍ତୋଷ କୁମାର ପ୍ରଧାନଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ପିଇଟିଙ୍କ ଦ୍ବାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା

ଅପର ପକ୍ଷରେ …

କଲେଜ ଅଧ୍ୟକ୍ଷ ଡ. ତ୍ରିପାଠୀ ଙ୍କ ପ୍ରଚେଷ୍ଟାରେ ଆସିକା ବିଧାୟିକାଙ୍କ ଦ୍ବାରା ଉକ୍ତ କଲେଜର ନବ ନିର୍ମିତ କ୍ରୀଡା ପ୍ରକୋଷ୍ଠ ଓ ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚମାନର ଟୟଲେଟ୍ ପ୍ରକୋଷ୍ଠ, ସାଇକେଲ ଷ୍ଟାଣ୍ଡର ଶୁଭ ଉଦ୍ଘାଟନ ମଧ୍ୟ ହୋଇଥିଲା ଏବଂ ଅନ୍ୟ ଏକ ସାଇକେଲ୍ ଷ୍ଟାଣ୍ଡର ଭିତି ପ୍ରସ୍ଥର ସ୍ଥାପନ ମଧ୍ୟ କରାଯାଇଥିଲା। ଆସିକା ବିଜ୍ଞାନ ମହାବିଦ୍ୟାଳୟର ସମସ୍ତ ନବନିର୍ମାଣ କାର୍ଯ୍ୟରେ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଦମ୍ୟ ପ୍ରଚେଷ୍ଟା ଓ ଆନ୍ତରିକତା ତଥା ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁଙ୍କ ଅକୁଣ୍ଠ ସହଯୋଗ ପାଇଁ କଲେଜ ଅଭିଭାବକ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟି ଆସୁଛି।