
ଧରାକୋଟ,୧୫/୧୨ : ପେଟ ପୋଷିବା ପାଇଁ ନାଟ। ତାହା ପୁଣି ମାତ୍ର ବାର ବର୍ଷର ଶିଶୁ କନ୍ୟା ଦ୍ଵାରା ବାଉଁଶ ରାଣୀ ଖେଳ ମାଧ୍ୟମରେ । ନଡ଼ିଆ କତା ରାଶି ଉପରେ ମୁଣ୍ଡରେ ବୋତଲ ରଖି କେତେବେଳେ ଚପଲ,କେତେବେଳେ ଗିନା ତ କେତେବେଳେ ସାଇକେଲ ରିମ ଉପରେ ବିପଦ ଜନକ ଭାବରେ ଖେଳ ପ୍ରଦର୍ଶନ । ପାଦେ ପାଦେ ବିପଦ,ଏପରିକି ଜୀବନ ସହ ବାଜି ଲଗାଇ ଛୋଟ ଶିଶୁ କନ୍ୟାଟି ବାଉଁଶ ରଶି ଉପରେ ଚାଲି ଖେଳ ପ୍ରଦର୍ଶନ କରୁଥିବାବେଳେ ଦର୍ଶକ ମାନେ ତଳି ମାରି ଉଛାହିତ କରନ୍ତି ଏବଂ ଶେଷରେ କିଛି ଆର୍ଥିକ ସହାୟତା ଦିଅନ୍ତି । ଏପରି ଏକ ଖେଳ ସଂପ୍ରତି ଦେଖିବାକୁ ମିଳୁଛି ଧରାକୋଟ ଅଞ୍ଚଳରେ । ଛତିଶଗଡ ରାଜ୍ୟର ରାୟଗଡ ଜିଲ୍ଲାରୁ ଆସିଛନ୍ତି ଚାରୋଟି ପରିବାର । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ବାଉଁଶ ରାଣୀ ଖେଳ ପ୍ରଦର୍ଶନ କରି ମାଗି ଯାଚି ପରିବାର ପ୍ରତିପୋଷଣ କରୁଛନ୍ତି।ଧରାକୋଟ ଅଞ୍ଚଳରେ ସୁନିଲ, ପ୍ରିୟା ଓ ସୁନୀତା ମିଶି ଏହି ଖେଳ ପ୍ରଦର୍ଶନ କରୁଛନ୍ତି । ମତ କା ଝୁଲା, ଥାଲି,ଚପଲ ଓ ରିଙ୍ଗ ଖେଳ ବିଭିନ୍ନ ଗାଁ ରେ ଦେଖାଇ ଯାହା କିଛି ମିଳୁଛି ସେଥିରେ ଚଳନ୍ତି । ନିଜ ରାଜ୍ୟର ସରକାର ସେମାନଙ୍କ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ନେଉନଥିବାରୁ ଏହି କୌଳିକ ବୃତ୍ତି କୁ ଆପଣାଇ ନେଇଥିବା କହନ୍ତି ସେମାନେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଏଥିରେ କୋମଳମତି ଶିଶୁଙ୍କୁ ନିୟୋଜନ କରାଯାଇଛି। ବିପଜନକ ଖେଳ ପ୍ରଦର୍ଶନ କରାଯାଉଛି ।ସରକାର ଶିଶୁ ସୁରକ୍ଷା,ଶିଶୁ ଶ୍ରମିକ ଆଇନ ପ୍ରଣୟନ କରିଛନ୍ତି ।ହେଲେ ଖୋଲା ଖୋଲି ଭାବରେ ଶିଶୁଙ୍କୁ ନିୟୋଜନ କରି ପେଟ ପୋଷିବା ପାଇଁ ଏହି ଖେଳ ଆଦରି ନେଉଛନ୍ତି ପରିବାର ଲୋକେ। ଏସବୁ ଦେଖି ମଧ୍ୟ ପ୍ରଶାସନ ଚୁପ ହୋଇ ବସିଛି ସେପଟେ ନିରୀହ ଶିଶୁ ମାନଙ୍କ ଜୀବନ ବାଜିରେ ଲାଗୁଛି। କେବେ ଚେତିବ ପ୍ରଶାସନ ତାହା ଦେଖିବାକୁ ବାକି ରହିଲା।



