ନବାଗତ ହିନ୍ଦୀ ବିଦ୍ୟାର୍ଥୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଏବଂ ପାଠଚକ୍ର

219

(ନିଜକୁ କେବଳ ପରୀକ୍ଷାର୍ଥୀ ନୁହେଁ ଆଦର୍ଶ ବିଦ୍ୟାର୍ଥୀ ହେବା ପାଇଁ ଆହ୍ବାନ)

ଆସିକା ୯/୧୨: ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଜନାର୍ଦ୍ଦନ ସାହୁଙ୍କ ତତ୍ତ୍ବାବଧାନରେ ତଥା ହିନ୍ଦୀ ବିଭାଗର ବିଭାଗ ମୁଖ୍ୟ ଶ୍ରୀମତୀ ଜିନିତ୍ ସବାଙ୍କ ସଂଯୋଜନାରେ ଏବଂ ହିନ୍ଦୀ ପ୍ରାଧ୍ୟାପକ ରାଜେଶ୍ କୁମାର ସାହୁଙ୍କ ସୁପରିଚାଳନାରେ ତଥା ଅଧ୍ୟାପିକା ଶ୍ରୀମତି ଏ. ଲକ୍ଷ୍ମୀ ଦୋରାଙ୍କ ସଙ୍ଗଠନରେ ନବାଗତ ହିନ୍ଦୀ ସମ୍ମାନର ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମଞ୍ଚାସୀନ କରାଯାଇଥିଲା। ମଞ୍ଚାସୀନ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ ତଥା ଦେବ ବିଗ୍ରହରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରିବା ସହ ରାଷ୍ଟ୍ରଭାଷା ହିନ୍ଦୀ ଭାଷା ସାହିତ୍ୟରେ ନିଜ ନିଜର ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରି ଆଶୀର୍ବଚନ ପ୍ରଦାନ କରିଥିଲେ। ଶ୍ରୀମତୀ ସବା ପାଠଚକ୍ରର ଉଦ୍ଦେଶ୍ୟ ପ୍ରତିପାଦନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ କେବଳ ପରୀକ୍ଷାର୍ଥୀ ନ ହୋଇ ଆଦର୍ଶ ବିଦ୍ୟାର୍ଥୀ ହେବା ପାଇଁ ଆହ୍ବାନ କରିଥିଲେ। ଉକ୍ତ ବୈଠକର ମୁଖ୍ୟ ଅତିଥି ରୂପେ ଉଦ୍ଭିଦ ବିଭାଗର ବିଭାଗ ମୁଖ୍ୟ ତଥା ଏନ୍.ସି.ସି. ଅଧିକାରୀ ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଡ. ଅଧିକାରୀ ବିଦ୍ୟାର୍ଥୀଙ୍କ ମଙ୍ଗଳକାମନା କରି ସୁସ୍ଥ ମସ୍ତିଷ୍କ, ସଠିକ୍ ନିଦ୍ରା ଏବଂ ପ୍ରାତଃ ପଠନର ମହତ୍ତ୍ବକୁ ଆଲୋକପାତ କରିଥିଲେ। ଅଧ୍ୟାପକ ସାହୁ ନିଜର ବ୍ୟକ୍ତବ୍ୟରେ ହିନ୍ଦୀ ଭାଷା ସାହିତ୍ୟରେ ନିଜର ଭବିଷ୍ୟତ ଜୀବନକୁ ସୁଦୃଢ କରିବା ପାଇଁ ହିନ୍ଦୀ ବିଦ୍ୟାର୍ଥୀମାନଙ୍କୁ ଦିଗ୍ଦର୍ଶନ କରାଇଥିଲେ ଏବଂ ହିନ୍ଦୀ ଭାଷାର ସମସ୍ତ ଚାକିରିର ଯୋଗ୍ୟତାକୁ ଉପସ୍ଥାପନ କରିଥିଲେ। ଯୁକ୍ତ ତିନି ଦ୍ବିତୀୟ ତଥା ତୃତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଭାଇଚାରର ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଭବିଷ୍ୟତରେ ସହଯୋଗ ତଥା ସମନ୍ବୟ ସ୍ଥାପନା କରିବା ପାଇଁ ସଂକଳ୍ପ ନେଇଥିଲେ। ପରିଶେଷରେ ଅଧ୍ୟାପିକା ଶ୍ରୀମତୀ ଦୋରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।