
ସାନଖେମୁଣ୍ଡି,୬/୧୨(ଜିଲ୍ଲା ଖବର) : ଗଞ୍ଜାମ ପୋଲିସ ଜିଲ୍ଲା ଏବଂ ବ୍ରହ୍ମପୁର ଅବକାରୀ ଉପ ଅଧିକ୍ଷକଙ୍କ ଅଧୀନ ପାଟପୁର ଥାନା ଅଞ୍ଚଳ ଅନ୍ତର୍ଗତ ଗଞ୍ଜାମ – ଗଜପତି ସୀମାନ୍ତ ଟି . ଗୋବିନ୍ଦପୁର ପଞ୍ଚାୟତର କୃଷ୍ଣପୁର ଏବଂ ଦଶେଇପୁର ନିକଟସ୍ଥ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଆଜି ଗଞ୍ଜାମ ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଧେଶ ମତେ ଚଢାଉ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି ।

ପାଟପୁର ଥାନା ଅଂଚଳରେ ସପ୍ତାହ ମଧ୍ୟରେ ଆଜି ଦ୍ଵିତୀୟ ବାର ଆସିକା ଏସଡିପିଓ ଉମାକାନ୍ତ ସିଂ ଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ ୩ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବେଆଇନ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରିଛି । ଏହା ବ୍ୟତୀତ ଗତ ଶୁକ୍ରବାର ପ୍ରାତଃ ସାଢେ଼ ୪ ଟା ସମୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏକ କାରକୁ ଯାଞ୍ଚ କରି ୨୪୩ କେଜିରୁ ଉର୍ଦ୍ଧ ଗଞ୍ଜେଇ ସହ କାରକୁ ଜବତ କରି ଜଣେ ମହିଳାଙ୍କ ସମେତ ୩ ଜଣ ପେଶାଦାର ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅତଏବ ଏହି ସପ୍ତାହରେ ପାଟପୁର ଥାନା ପକ୍ଷରୁ ତିନି ତିନିଟି ଅବୈଧ ଗଞ୍ଜେଇ ଧରପଗଡ ଜନିତ ଘଟଣା ଘଟିଥିଲେ ମଧ୍ୟ ଅଞ୍ଚଳ ଅବକାରୀ ଅଧିକାରୀଙ୍କ ପତ୍ତ ମିଳୁନଥିବା ଜଣାଯାଇଛି ।
ଖବର ଅନୁସାରେ ଗତ ବୁଧବାର ଦିନ ଏହି ଟିମ୍ ସାନଖେମୁଣ୍ଡି ତହସିଲଦାର ତଥା ନିର୍ବାହୀ ମାଜିଷ୍ଟ୍ରେଟ ଡଃ ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ପଟିଗୁଡ଼ା ନିକଟ ଅଞ୍ଚଳ ଏବଂ ଦାମପୁର ସୁବର୍ଣ୍ଣଗଡ ଶବରପଲ୍ଲୀ ଆଦି ଅଞ୍ଚଳର ଦୁର୍ଗମ ଅଞ୍ଚଳରୁ ପ୍ରାୟ କୋଡିଏ ଏକର ଜମିରୁ ୨ କୋଟି ଟଙ୍କାର ଗଞ୍ଜେଇ ଫସଲ ନଷ୍ଟ କରିଥିଲା । ଆଜି ମଙ୍ଗଳବାର ସକାଳେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏଙ୍କ ନିର୍ଦ୍ଦେଶକ୍ରମେ ପାଟପୁର , ଶେରଗଡ଼ ଓ ସୋରଡ଼ା ପୋଲିସ ସହ ସ୍ୱତନ୍ତ୍ର ପୋଲିସ ବଳର ମିଳିତ ଚଢ଼ାଉରେ ଉକ୍ତ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଅତର୍କିତ ଚଢ଼ାଉ କରାଯାଇଥିଲା ।

ନିଶ୍ଚେତରେ ଗଞ୍ଜାମ ଅବକାରୀ ! ଦୁର୍ଗମ ଜଙ୍ଗଲରେ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରୁଛି ପୋଲିସ
ଚଢ଼ାଉ ଅଭିଯାନରେ ଆସିକା ଏସଡିପିଓ ଉମାଶଙ୍କର ସିଂ , ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ , ସୋରଡ଼ା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ । ଚଢ଼ାଉ ବେଳେ ବେଆଇନ ଭାବେ ସୁଚିନ୍ତିତ ଆଧୁନିକ ପ୍ରଣାଳୀରେ ବ୍ୟବସ୍ଥିତ ସେଚନ କରାଯାଇ ପ୍ରାୟ ୩୦ ଏକର ସରକାରୀ ଜମିରେ ଚାଷ କରାଯାଇଥିବା ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଗଛକୁ ପୋଲିସ ପ୍ରଶାସନ ଦ୍ବାରା ପୋଡ଼ି ନଷ୍ଟ କରାଯାଇଥିଲା । ଯାହାର ଆନ୍ତର୍ଜାତିକ ବଜାର ଦର ଆନୁମାନିକ ୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଥାନା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ଗଣମାଧ୍ୟମକୁ ପ୍ରଦତ୍ତ ପ୍ରତିକ୍ରିୟାରେ ଗଞ୍ଜାମ ପୋଲିସ ସମ୍ପ୍ରତି ବ୍ରହ୍ମପୁର ଅବକାରୀ ବିଭାଗ ଯେଉଁ କାର୍ଯ୍ୟ କରିବା କଥା ତାହା କରି ଆସୁଥିବା ସହ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ପୋଲିସ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଉଥିବା ଆସିଲା ଉପଖଣ୍ଡ ଅଧିକାରୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିବାରୁ ସ୍ଥାନୀୟ ଅବକାରୀ ବିଭାଗର ଗଞ୍ଜେଇ ପ୍ରତି ଥିବା ନିଜ ବିଭାଗୀୟ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯାହାକି ସ୍ଥାନୀୟ ଅଞ୍ଚଳବାସୀଙ୍କ ଅବକାରୀ ବିଭାଗ ପ୍ରତି ଥିବା ଚାପା ଅସନ୍ତୋଷର ବାତାବରଣ ସୃଷ୍ଟି କରୁଛି ।




