ଆସିକା ବିଜ୍ଞାନ ମହାହିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ସଚ଼େତନତା ଶୋଭାଯାତ୍ରା ଏବଂ ସଭା

46

(ଏଡସ୍ ରୋଗକୁ ଘୃଣା କର, ରୋଗୀ କୁ ନୁହେଁ।)

ଆସିକା, ୧/୧୨(ଜିଲ୍ଲା ଖବର) : ସମାନତାର ବାର୍ତ୍ତା ନେଇ ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ସଚ଼େତନତା ଶୋଭାଯାତ୍ରା ଏବଂ ସଭାର ଆୟୋଜନ ଅତୀବ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ହୋଇଯାଇଛି। ଉକ୍ତ ଶୋଭାଯାତ୍ରା ଏବଂ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ପୌରହିତ୍ୟ କରିଥିବା ବେଳେ ଯୁବ ରେଡକ୍ରସ୍ ର ଉପଦେଷ୍ଟାଦ୍ବୟ ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଦେବବ୍ରତ ସାହୁ ସଂଯୋଜନା ଏବଂ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ରୂପେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର, ବାଲିସିରାର ଶୁବ୍ରତ ସ୍ବରୂପ ପଣ୍ଡା ଉପସ୍ଥିତ ଥିଲେ। ପ୍ରଥମେ ଏଡସ୍ ସଚ଼େତନତା ଶୋଭାଯାତ୍ରା କଲେଜ କ୍ୟାମ୍ପସରୁ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ଆସିକା କଲେଜ ଛକ ପର୍ଯ୍ୟନ୍ତ ଏକ ଶହରୁ ଊର୍ଦ୍ଧ୍ବ ଛାତ୍ର-ଛାତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକାର ଶ୍ଳୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚ଼େତନ କରାଇଥିଲେ ଏବଂ ପ୍ରଚାର ପତ୍ରିକା ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଏଡସ୍ ସଂକ୍ରାନ୍ତୀୟ ଏକ ସଚ଼େତନତା ସଭାର ଆୟୋଜନ କରାଯାଇଥିଲା। ଉପଦେଷ୍ଟା ଶ୍ରୀ ସାହୁ ଅତିଥିମାନଙ୍କୁ ଛାତ୍ରୀମାନଙ୍କ ଦ୍ବାରା ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମଞ୍ଚାସୀନ କରାଇଥିଲେ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ବେଦମନ୍ତ୍ର ଗାୟକ ଶ୍ରୀ ଧନଞ୍ଜୟ ମହାପାତ୍ରଙ୍କ ଦ୍ବାରା ବେଦ ପାଠ ଏବଂ ଅତିଥିଙ୍କ ଦ୍ବାରା ଦେବ ବିଗ୍ରହରେ ପୁଷ୍ପମାଲ୍ୟ, ଅର୍ଘ୍ୟ ଅର୍ପଣ ତଥା ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ଅଧ୍ୟକ୍ଷ ନିଜର ସ୍ବାଗତ ଭାଷଣରେ ଏଡସ୍ ସଚ଼େତନତାର ବାର୍ତ୍ତା ସଂଗୀତ ମାଧ୍ୟମରେ ପରିବେଷଣ କରିଥିଲେ।ଏଡସ୍ ମୁକ୍ତ ଭାରତ ଗଢ଼ିତୋଳିବା ପାଇଁ ସେ ଯୁବକ ଯୁବତୀମାନଙ୍କୁ ଆହ୍ବାନ କରିଥିଲ। ମୁଖ୍ୟ ଅତିଥି ଡ଼କ୍ଟର ପଣ୍ଡା ଏଡସ୍ ର ସମସ୍ତ ଲକ୍ଷଣ ଓ ନିରାକରଣର ବାଖ୍ୟା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଯୌନ ଶିକ୍ଷା ନିତାନ୍ତ ଆବଶ୍ୟକ ବୋଲି ମଧ୍ୟ ଯୁକ୍ତି ବାଢ଼ିଥିଲେ ଏବଂ ଏଡସ୍ ବ୍ୟାଧିକୁ ସାମାଜିକ ଅପବାଦରୁ ମୁକ୍ତି କରିବା ପାଇଁ ସଚ଼େତନତା ହିଁ ଏକମାତ୍ର ପରପନ୍ଥି ବୋଲି ମତ ବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ପ୍ରଫେସର କେଦାର ନାଥ ପଣ୍ଡା ଏଡସ୍ ବ୍ୟାଧିର ଉତ୍ପତିସ୍ଥଳ ସଂପର୍କରେ ଆଲୋକପାତ କରିଥିଲେ। କଲେଜରେ ବିଶ୍ବ ଏଡସ୍ ଦିବସ ନିମନ୍ତେ ଆୟୋଜିତ ପ୍ରଶ୍ନୋତ୍ତରୀ, ଚିତ୍ରାଂକନ ତଥା ପ୍ରବନ୍ଧ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ କରକମଳରେ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଯୁବ ରେଡକ୍ରସ ଉପଦେଷ୍ଟା ରାଜେଶ୍ କୁମାର ସାହୁ ସମସ୍ତଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରି ଏଡସ୍ ସଚେତନତାର ଏକ କବିତା ପାଠ କରିଥିଲେ।