ପର୍ଯ୍ୟଟନ ସ୍ଥଳ ହେବ ମାଁ ରତ୍ନେଇ ଶକ୍ତି ପୀଠ, ଶିଖରରେ ଚାଲିଛି ବାବା ରତ୍ନେଶ୍ୱର ମହାଦେବ ଓ ମାଁ ରତ୍ନେଇଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

59

ସାନଖେମୁଣ୍ଡି ୨୮/୧୧(ଜିଲ୍ଲା ଖବର) : ରତ୍ନେଇ ପାହାଡ଼ ଶିଖରରେ ଭୋଳାବାବା ରତ୍ନେଶ୍ୱର ମହାଦେବ ଓ ମାଁ ରତ୍ନେଇଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବରରେ ଗତ ୨୭/୧୧/୨୨ ରବିବାର ଦିନ ଆରମ୍ଭ ହୋଇଯାଇଛି l ୪ ଦିନ ବ୍ୟାପି ହେବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସାବ ପ୍ରଥମ ଦିନରେ ଦୀକ୍ଷା ଓ ଶହଶହ ମହିଳାଙ୍କ କଷ୍ଟ ପୂର୍ଣ୍ଣ ଜଳାଯାତ୍ର, ଦ୍ୱତୀୟ ଦିନରେ ବନଯୋଗ ଓ ରତ୍ନମୁଦ କାର୍ଯ୍ୟ ହୋଇଥିବା ବେଳେ, ତୃତୀୟ ଦିନରେ ହୋମ ଓ ନମଯଜ୍ଞ, ଶେଷ ଦିବସରେ ମହାପ୍ରଭୁ ଓ ମାଆଙ୍କ ମନ୍ଦିର ପ୍ରବେଶ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ତାଲୁକା ଅନ୍ତର୍ଗତ ତତ୍ନେଇ ପାହାଡ଼ ଉପରେ ପୋଡାମାରି ରାଜଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ରତ୍ନେଇଙ୍କ ପୀଠରେ ମାଆଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ମାଁଙ୍କ ସ୍ୱତନ୍ତ୍ର ପୁଜାର୍ଚ୍ଚନା ପାରମ୍ପରିକ ରୀତିନୀତିରେ ଆୟୋଜିତ ହୋଇଅଛି । ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି ମାଁ ରତ୍ନେଇ ଶକ୍ତି ପୀଠ l ରାଜ୍ୟର ବିଭିନ୍ନ ଶକ୍ତିପୀଠ ମଧ୍ୟରେ ଅନ୍ୟତମ ଗଞ୍ଜାମ ଜିଲ୍ଲାର ପୋଡାମାରିଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ରତ୍ନେଇ ଶକ୍ତି ପୀଠ । ମାଁ ଙ୍କ ଶକ୍ତିପୀଠ ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଜିଉରା ଛକ ଠାରୁ ମାତ୍ର ୬ କିଲୋମିଟର ଦୂରରେ ରହିଥିବା ରତ୍ନେଇ ପର୍ବତ ଶିଖରରେ ମାଁ କାହିଁ କେଉଁ କାଳରୁ ବିରାଜମାନ ହୋଇ ଆସୁଛନ୍ତି । ମାଁ ଙ୍କ ପୀଠର ଇତିହାସ ପୃଷ୍ଠାରୁ ଜଣା ପଡେ ବହୁ ବର୍ଷ ପୂର୍ବେ ଖେମୁଣ୍ଡିଗଡ଼ ପ୍ରତିଷ୍ଠା ସମୟରୁ ହିଁ କୁଆଡେ ମାଁ ପୂଜାପାଇ ଆସୁଛନ୍ତି । କୁହାଯାଏ ପୋଡାମାରି ରାଜ ପରିବାରର ବଂଶଜ ରାଜା ବହୁ ବର୍ଷ ପୂର୍ବେ ଏକ ସ୍ବପ୍ନାଦେଶ ପାଇ ପ୍ରଥମେ ମା’ ଙ୍କୁ ଠାବ କରିଥିଲେ । ମାଁ ବୁଢ଼ୀ ରୂପରେ ଆସି ରାଜାଙ୍କୁ ଦେଖାଦେଇଥିଲେ, ସେହିଦିନଠାରୁ ରାଜା ନିଜ ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା କରି ଆସୁଥିଲେ । ତେବେ କାଳକ୍ରମେ ବିଭିନ୍ନ କାରଣରୁ ରାଜା ସେଠାରେ ନ ପହଞ୍ଚିପାରିବା ଯୋଗୁଁ ଦେବୀଙ୍କ ଶରଣାପର୍ଣ୍ଣ ହୋଇଥିବାରୁ ମାଁ ନିଜ ଗଡ଼ରେ ପୂଜା କରିବାକୁ ନିର୍ଦ୍ଦେଶ ମିଳିଥିବା ଜଣାପଡିଛି ।


ଚଳିତ ପ୍ରତିଷ୍ଠା ଉତ୍ସାବରେ ମାଆଙ୍କ ନିକଟରେ ଭକ୍ତମାନଙ୍କ ଭିଡ ଜମୁଥିବା ବେଳେ ପ୍ରତିଷ୍ଠାର ଉତ୍ସାବ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଆଙ୍କ ପୂଜାର୍ଚ୍ଚନା ହେଉଅଛି । ଏହି ସମୟରେ ମା’ଙ୍କ ଦୁଇ ବେଳା ସ୍ନାନ ସହିତ ଦଶ ମହାବିଦ୍ୟାଙ୍କ ପୂଜାର୍ଚ୍ଚନା ହେଉଅଛି । ପୂଜା ସମୟରେ ପ୍ରତ୍ୟେକ ଦିନ ସକାଳର ସୂର୍ଯ୍ୟ ଉପାଚାର ପୂଜା ଠାରୁ ଆରମ୍ଭ କରି ରାତ୍ରର ଚଣ୍ଡୀପାଠ ପର୍ଯ୍ୟନ୍ତ ମା’ଙ୍କ ପୂଜାର୍ଚ୍ଚନା କରାଯାଉଅଛି । ସନ୍ଧ୍ୟା ଆଳତି, ପଦ୍ମ ଓ ବେଲପତ୍ର ମାଆଙ୍କୁ ପ୍ରଦାନ ସହ ସହସ୍ରାଭିଷେକ, ଅନ୍ନଭୋଗ ସହିତ ବିଭିନ୍ନ ପ୍ରକାରର ପିଠାପଣା ଭୋଗ ମାଆଙ୍କ ନିକଟରେ ଲାଗି କରାଯାଉଅଛି । ମାଆଙ୍କ ପ୍ରତିଷ୍ଠା ଉତ୍ସାବରେ ମାଆଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏଥିସହ ପୂଜା ସମୟରେ କାହିଁ କେଉଁ ଦୂରରୁ ଭକ୍ତଙ୍କ ସୁଅ ଛୁଟିଥାନ୍ତି । ସେପଟେ ମା’ଙ୍କ ପାଖରେ ଯାହା ମନସ୍କାମନା କରାଯାଇଥାଏ ତାହା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଆସିଛି ।
ଏହାଛଡା ପୂର୍ବରୁ ଭକ୍ତ ମାନେ ମା’ ଙ୍କ ଶିଖରରେ ପହଞ୍ଚିବା ପାଇଁ ତିନୋଟି ପାହାଡ଼ ଅତିକ୍ରମ କରି ଚାଲିଚାଲି ଯିବାକୁ ପଡୁଥିଲା । ରତ୍ନେଇ ପାହାଡ଼ ଚତୃପାର୍ଶ୍ଵରେ ପ୍ରତାପଗିରି, ପେଣ୍ଠ, ଉତ୍ତମା, ନରସିଂହଗଡ଼, ଜଗନ୍ନାଥପୁର, ଗଙ୍ଗାପୁର, ପଳାସପୁର, ବାଘୁଆପଲ୍ଲୀ, ଭାଲୁପଲ୍ଲୀ, ଶେରଗଡ଼, ପାଟପୁର, ରାଣୀକୋଟ, ନୂଆଁଗାଁ ଆଦି ଅନେକ ଗ୍ରାମ ରହିଅଛି l ପୂର୍ବେ ଉକ୍ତ ପାହାଡ଼ ଶିଖରକୁ ଯିବାପାଇଁ କୌଣସି ବ୍ୟବସ୍ଥା ନଥିଲା l ଲୋକେ ଜଙ୍ଗଲ ଭିତରେ ଗଛ କାଟି ରାସ୍ତା ବନାଇ ଯାଉଥିଲେ l ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ କିଛି ବର୍ଷ ତଳେ ମାଆଙ୍କ ପୀଠକୁ ଯାତାୟତ କରିବା ପାଇଁ ରାସ୍ତା କାର୍ଯ୍ୟ ଆରମ୍ଭ କରାଯାଇଥିବାରୁ ଭକ୍ତ ମାନେ ନିଜର ଯାନବାହାନ ଯୋଗେ ମାଆଙ୍କ ପୀଠରେ ପହଞ୍ଚିବା ଏକ ପ୍ରକାର ସହଜସାଧ୍ୟ ହୋଇପାରିଛି ।

ତେବେ ଯେଉଁ ଭକ୍ତ ମାଁଙ୍କ ପୀଠକୁ ଆସିବାକୁ ଚାହୁଁଥିବା ଭକ୍ତମାନେ ପ୍ରଥମେ ବ୍ରହ୍ମପୁର ଠାରୁ ଦିଗପହଣ୍ଡି ରାସ୍ତା ଦେଇ ପାଟପୁର ଗ୍ରାମ ଠାରୁ ୧୧ କିଲୋମିଟର ଦୂର ଉତ୍ତମା ଗ୍ରାମରେ ପହଞ୍ଚିବାକୁ ପଡ଼ିଥାଏ । ଏବେ ସେଠାରୁ ମାଁ ଙ୍କ ନିକଟକୁ ଗାଡ଼ିରେ ଯିବା ପାଇଁ ରାସ୍ତା ବାହାର କରାଯାଇଛି l ବର୍ତ୍ତମାନ ମନ୍ଦିରର ଉନ୍ନତିକରଣ ଓ ରାସ୍ତା କାର୍ଯ୍ୟ ଚାଲିଥିବା ଯୋଗୁଁ ଲୋକେ ଯାନବାହାନ ନେଇ ମନ୍ଦିର ଉପରକୁ ପହଞ୍ଚିବା ଟିକିଏ କଷ୍ଟସାଧ୍ୟ ହେଉଅଛି l ଶିଖର ଉପରେ ପାଣି ଓ ଆଲୋକ ଆଦୌ ନାହିଁ l ଲୋକେ ଏକ ଶାମୁକାରେ ଗଛିତ ପାଣି ବ୍ୟବହାର କରୁଛନ୍ତି l ଯଥାଶୀଘ୍ର ରାଜ୍ୟ ସରକାର ଏହି ଶକ୍ତିପୀଠକୁ ପର୍ଯ୍ୟଟନ ସ୍ଥଳୀ କରିବାର ଯୋଜନା କରୁଛନ୍ତି l ଫଳରେ ରାସ୍ତାଘାଟ, ଜଳ, ଆଲୋକି କରଣ ହୋଇପାରିବ, ତେବେ ଭକ୍ତମାନେ ସହଜରେ ମାଁ ଙ୍କ ନିକଟରେ ପହଞ୍ଚି ମାଆଙ୍କ ଦର୍ଶନ କରିବା ସହିତ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପୋଭୋଗ କରିପାରିବେ ।