ଜାଲଖାଇ ଗ୍ରାମରେ ରାସନ୍ ସାମଗ୍ରୀ ବଣ୍ଟନରେ ଅବ୍ୟବସ୍ଥା; ଜାଣିଶୁଣି ଲୋକଙ୍କୁ ହଇରାଣ କରାଯାଉଥିବା ଗ୍ରାମବାସୀଙ୍କ ଅଭିଯୋଗ

7

ବେଲଗୁଣ୍ଠା, 21/11, ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ଜାଲଖାଇ ଗ୍ରାମରେ ରାସନ୍ ସାମଗ୍ରୀ ବଣ୍ଟନରେ ଅବ୍ୟବସ୍ଥା ନେଇ ଏହାର ସମାଧାନ ନିମନ୍ତେ ଗ୍ରାମବାସୀଙ୍କ ତରଫରୁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟକୁ ଏକ ଆବେଦନ ପତ୍ର ପ୍ରଦାନ କରାଯାଇଛି I ଏହି ଆବେଦନ ପତ୍ରରେ ପାଇଲିପଡ଼ା ସରପଞ୍ଚ ରାଜନୈତିକ ଆକ୍ରୋଶ ରଖି ଜାଲଖାଇ ଗ୍ରାମର ହିତାଧିକାରୀଙ୍କୁ ଜାଣିଶୁଣି ହଇରାଣ କରୁ୍ଥିବା ଉଲ୍ଲେଖ କରାଯାଇଛି I ସୂଚନା ପ୍ରକାରେ ପାଇଲିପଡ଼ା ପଂଚାୟତର ମୁଖ୍ୟ କାର୍ଯ୍ୟାଳୟ ଠାରୁ ଏହି ପଂଚାୟତର ଜାଲଖାଇ ଗ୍ରାମକୁ ଯିବାକୁ ବଡ ନଦୀ ପ୍ରତିବନ୍ଧକ ସାଜୁଛି । ଏହି ଗ୍ରାମ ନଦୀ ଯୋଗୁଁ ପଞ୍ଚାୟତ ଠାରୁ ଅବିଚ୍ଛିନ୍ନ ହୋଇ ରହିଛି I ନିଜ ପଞ୍ଚାୟତ କୁ ଯିବାକୁ ହେଲେ ବୁଗୁଡା ବ୍ଲକ ର କଳମ୍ବ ଭାୟା ଖୁକୁଣ୍ଡିଆ ହୋଇ ପ୍ରାୟ 20 ରୁ 25 କିମି ଅଟୋ ଭଡା କରି ଯିବାକୁ ପଡୁଛି । ଟଂକାକିଆ ଚାଉଳ ଗ୍ରାମରେ ପହଁଚିଲା ବେଳକୁ କିଲୋପିଛା 20 ଟଙ୍କା ପଡୁଛି ।ସେହିପରି ଏହି ଗ୍ରାମର ଶତକଡା଼ ତିରିଶି ପ୍ରତିଶତ ହିତାଧିକାରୀ ଭିନ୍ନକ୍ଷମ ଅଟନ୍ତି I ତେଣୁ ପୂର୍ବରୁ ଜାଲଖାଇ ଗ୍ରାମରେ ପିଡ଼ିଏସ୍ ସାମଗ୍ରୀ ବଣ୍ଟନ କରାଯାଉଥିଲା I କିନ୍ତୁ କିଛି ଦିନ ପୂର୍ବେ ଏହାକୁ ବନ୍ଦ କରିଦିଆଯାଇ ଜାଲଖାଇ ଗ୍ରାମର ହିତାଧିକାରୀଙ୍କୁ ପାଇଲିପଡ଼ା ଆସି ପିଡିଏସ୍ ସାମଗ୍ରୀ ନେବାପାଇଁ କୁହାଗଲା I ଫଳରେ ଗ୍ରାମର ବୃଦ୍ଧ ବୃଦ୍ଧା ଏବଂ ଭିନ୍ନକ୍ଷମ ହିତାଧୀକାରୀମାନେ ନଦୀ ପାର ହୋଇ ଆସି ପିଡ଼ିଏସ୍ ସାମଗ୍ରୀ ନେବାରେ ନାନା ଅସୁବିଧାର ସମ୍ମୁଖୀନ ହେଲେ I ଏନେଇ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଗତ ଦୁଇମାସ ଧରି ପୁନଶ୍ଚ ପିଡିଏସ୍ ସାମଗ୍ରୀ ଜାଲଖାଇ ଗ୍ରାମରେ ବଣ୍ଟନ କରାଯାଇଥିଲା I କିନ୍ତୁ ବର୍ତ୍ତମାନ ପୁଣି ଜାଲଖାଇ ଗ୍ରାମର ହିତାଧିକାରୀଙ୍କୁ ପାଇଲିପଡ଼ା ଆସି ପିଡିଏସ୍ ରାସନ୍ ସାମଗ୍ରୀ ନେବାପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଜାଲଖାଇ ଗ୍ରାମବାସୀ I ଏହାରି ପଛରେ ବର୍ତ୍ତମାନ ରାଜନୈତିକ ଆକ୍ରୋଶମୂଳକ ମନୋଭାବ ହିଁ ଏକମାତ୍ର କାରଣ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି I ତେଣୁ ଏହି ଦିଗରେ ଉପଯୁକ୍ତ ତଦନ୍ତ କରି ହିତାଧିକାରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୁଣି ଥରେ ଜାଲଖାଇ ଗ୍ରାମରେ ପିଡ଼ିଏସ୍ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଛନ୍ତି I