ll ସ୍ୱଳ୍ପ ଶୀତ ରେ ମହାପ୍ରଭୁଙ୍କ ଜାମା ଲାଗି ବେଶ ll

61

ଶୀତର ପ୍ରକୋପ ଯେତେ ବେଳେ କମ ଥାଏ ଲୋକ ଯେପରି ମୋଟା କମ୍ବଳ , ସ୍ବେଟର ବ୍ୟବହାର ନ କରି ପତଳା ଚାଦର ,ଜାମା ପରିଧାନ କରିଥାନ୍ତି । ଠିକ ସେହିପରି ରତ୍ନସିଂହାସନସ୍ଥ ଶ୍ରୀଜୀଉ ମାର୍ଗଶୀର କୃଷ୍ଣ ନବମୀ ରୁ ମାର୍ଗଶୀର ଶୁକ୍ଳ ପଞ୍ଚମୀ  ଯାଏଁ ଜାମା ପରିଧାନ କରିଥାନ୍ତି।

              ଏହି ଜାମା ଲାଗି ବେଶ ରେ ଶ୍ରୀଜୀଉମାନେ ୩୦ ମୂର୍ତ୍ତି ଅଳଙ୍କାର ପରିଧାନ କରିଥାନ୍ତି। ବସ୍ତ୍ର ଏବଂ ଅଳଙ୍କାର ଜାମା ଲାଗି ବେଶରେ ପ୍ରାଧାନ୍ୟ ଲାଭ କରେ । ଶ୍ରୀଜୀଉଙ୍କ ଶ୍ରୀମୁଖ ଚାରିପଟେ ଆବୃତ କରେ ବଳା । ଶ୍ରୀଅଙ୍ଗ କୁ ଆବୃତ କରେ ଜାମା ଓ ଫତେଇ।  ବାର ଅନୁଯାୟୀ ବସ୍ତ୍ର ର ରଙ୍ଗ ସ୍ଥିର ହୋଇଥାଏ। ଏବଂ ଏହି ସମସ୍ତ ବସ୍ତ୍ର ସେଇ ଗୋଟିଏ ରଙ୍ଗର ହୋଇଥାଏ। ସେଇ ରଙ୍ଗର କନା ମଧ୍ୟ ଚୁଳ ପାଇଁ ବ୍ୟବହୃତ ହୋଇଥାଏ। ଚୁଳ ଉପରେ ଶୋଭା ପାଇଥାଏ ସୁବର୍ଣ୍ଣ ଚନ୍ଦ୍ରିକା । ସୁଭଦ୍ରାଙ୍କୁ ଚୂଳ ଲାଗି ହୋଇନଥାଏ। ଦିଅଁମାନଙ୍କ କପାଳରେ ଲାଗିଥାଏ ସୂର୍ଯ୍ୟ ଓ ଚନ୍ଦ୍ର ନାମକ ଦୁଇଟି ଅଳଙ୍କାର। ଚିତା ପାଖେ ଲାଗିଥାଏ ସୁବର୍ଣ୍ଣ ର ତିଳକ । ଶ୍ରୀମୁଖ ବଳା ରେ ଲାଗି ଥାଏ ସ୍ୱର୍ଣ୍ଣ ଆଡକାନି । ତା ତଳକୁ ଲାଗିଥାଏ କୁଣ୍ଡଳ । ଦେବୀ ସୁଭଦ୍ରାଙ୍କ ଚିତା ଉପରେ ଶୋଭା ପାଏ ୨ଟି ତଦଗୀ । ୩ ଦିଅଁଙ୍କ ଅଣ୍ଟାକୁ ବେଷ୍ଟନ କରି ରହେ ଓଡିଆଣି ବା ଅଣ୍ଟା ପଟି। ଏହା ଛଡା ୩ ଦିଅଁ ଗୋଟିଏ ଗୋଟିଏ ହରିଡା ମାଳ ରେ ଅଳଙ୍କୃତ ହୋଇଥାନ୍ତି। ବଡ଼ ଠାକୁର ଏବଂ ମହାପ୍ରଭୁ ଙ୍କ ଶ୍ରୀଭୁଜ ରେ ଶୋଭା ପାଏ ନଳିଭୁଜ । ନଳି ଭୁଜର ସମ୍ମଖରେ ହଳ ମୁଷଳ ଏବଂ ଶଙ୍ଖ ଚକ୍ର ଶୋଭା ପାଇଥାଏ।