
ଧରାକୋଟ,୧୨/୧୧(ଜିଲ୍ଲା ଖବର) : ବାଦ୍ୟ ଯନ୍ତ୍ର ମଧ୍ୟରେ ସରସ୍ଵତୀ ବାଆଲା ର ଏକ ସ୍ଵତନ୍ତ୍ରତା ରହିଛି । ଗାଁ ଗହଳରେ ବାରବୁଲା ସମ୍ପ୍ରଦାୟର ପୁରୁଷ ମାନେ ଏହାକୁ ବଜାଇ କୃଷ୍ଣ ଜନ୍ମ, ଟୀକା ଗୋବିନ୍ଦ ଚନ୍ଦ୍ର, ଶବ୍ୟା ରାଣୀ ଶୋକ ପ୍ରଭୃତି ଛାନ୍ଦ ବୋଲି ଭିକ୍ଷା ବୃତ୍ତି କରି ଏବେ ମଧ୍ୟ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ସରକାର ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ଖାଦ୍ୟ ସୁରକ୍ଷା ଯୋଜନା ସହ କେହି ଯେପରି ଭୋକିଲା ନରହିବେ ସେଥିପାଇଁ ବେଶ ତତ୍ପର । ହେଲେ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉନାହିଁ ନା ଏହି ସଂପ୍ରଦାୟର ଲୋକମାନେ ସରକାରୀ ଯୋଜନାରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି ତାହା ବୁଝି ହେଉନାହିଁ । ଧରାକୋଟ ବ୍ଲକର ମୁଣ୍ଡମରାଇ ପଞ୍ଚାୟତର ଭଣ୍ଡାରିବସା ପାହାଡ଼ କଲୋନୀରେ ରହନ୍ତି ଡି. ମୁନା ପାତ୍ର ।ପରିବାର କହିଲେ ସ୍ତ୍ରୀ ଲକ୍ଷ୍ମୀ,ପୁଅ ସ୍ଵାଧୀନ,ଆୟୁଷ ଓ ଝିଅ ଖୁସି ।ସରକାରୀ ସହାୟତା କହିଲେ କେବଳ ରାସନ କାର୍ଡ ଖଣ୍ଡିଏ ତାଙ୍କ ପାଖରେ ଅଛି। ଜୀବନ ଜୀବିକା ପାଇଁ ସେ ବାଆଲା ବଜାଇ ଭିକ୍ଷାବୃତି କରୁଥିବାବେଳେ ପରିବାର ସଦସ୍ୟ ମାନେ ଘୁଷୁରୀ ପାଳନ କରନ୍ତି। ଏହାହିଁ ତାଙ୍କର ନିତିଦିନିଆ କାମ । କଳାକାର ଭତ୍ତା ପାଇବା ପାଇଁ ବୟସ ପ୍ରତିବନ୍ଧକ ସାଜିଛି । ଦୀର୍ଘ ତିରିଶି ବର୍ଷ ଧରି ଏଠାରେ ରହି ଆସୁଥିଲେ ମଧ୍ୟ ଆବାସ ଯୋଜନା ରେ ତାଙ୍କୁ ସାମିଲ କରାଯାଇ ନାହିଁ। ତେଣୁ ସରକାରୀ ସହାୟତା ପାଇଁ ସେ ନିବେଦନ କରିଛନ୍ତି। ଏହି ସଂପ୍ରଦାୟର ଲୋକମାନେ ଜିଲ୍ଲାର କୋଦଳା, ବାଉଁଶିଆ ପଲି, ଝାଡବନ୍ଧ,ପାତ୍ରପୁର, ବେଲଗୁଣ୍ଠା ଓ ପୋଲସରା ପ୍ରଭୃତି ଅଞ୍ଚଳରେ ବାସ କରନ୍ତି।


