ରାଜନଗର ବିଜେପିରେ ବଢୁଛି ଗୋଷ୍ଠୀ ବିବାଦ ବିଜୟ ଉତ୍ସବ ନାମରେ ଦୁଇ ଗୋଷ୍ଠୀଙ୍କ ଶକ୍ତି ପ୍ରଦର୍ଶନ ଦେଖିଲେ ରାଜନଗର ବାସୀ

45



ରାଜନଗର.୮/୧୧(ଜିଲ୍ଲା ଖଵର) : ରାଜନଗର ବ୍ଲକରେ ଭାରତୀୟ ଜନତା ପାଟିର ସାଙ୍ଗଠନିକସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ଦଳୀୟ ନେତାଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଚର୍ଚ୍ଚାର ବିଷୟ ପାଲଟିଛି । ଧାମନଗର ଉପନିର୍ବାଚନରେ ସୁରଜ ସୂର୍ଯ୍ୟବଂଶୀଙ୍କ ବିଜୟ ଓଡିଶାର ସମସ୍ତ ବିଜେପି କର୍ମୀ ଓ ନେତାଙ୍କ ମନରେ ସାହାସ ଓ ବିଶ୍ୱାସ ଆଣିଦେଇଛି ବୋଲି ପଦାଧିକାରୀ ନେତୃମଣ୍ଡଳୀ କହିଛନ୍ତି | ପିତା ଙ୍କ ବିୟୋଗ ପରେ ବିଧାୟକ ଭାବେ ଉପନିର୍ବାଚନ ଲଢ଼ୁଥିବା ସୁରଜର ବିଜୟ ପରେ ସାରା ଓଡିଶା ବିଜୟ ଉତ୍ସବ ପାଳନ ହେଉଛି | ଦୀର୍ଘଦିନ ଧରି ଶାସନ ଗାଦିରେ ଥିବା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳର ସମର୍ଥିତ ପାର୍ଥିଙ୍କୁ ପରାଜୟ କରି ବିଜୟ ହୋଇଥିବା ବିଜେପି ନେତା ଓ କର୍ମୀଙ୍କୁ ଏକ ପ୍ରକାର ଆଶ୍ବସ୍ତି ଆଣିଦେଇଛି |ଦୀର୍ଘ ଦୁଇ ଦଶନ୍ଧିରୁ ଉଦ୍ଧ୍ୱର୍କାଳ ଧରି ରାଜ୍ୟରେ ଥିବା ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ସରକାର ହୋଇ ଆସୁଥିବା ଉପ ନିର୍ବାଚନମାନଙ୍କରେ ଏକପାଖିଆ ଭାବେ ନିଜର ଦଳୀୟ ନେତାମାନଙ୍କୁ ଜିତାଇ ଆସୁଥିଲା । ଧାମନଗର ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ବିଜୟ ଲାଭ କରିବା ପରେ ଏହି ଧାରା ଭିନ୍ନ ମୋଡ ନେଇଛି । ସୁରଜଙ୍କ ପିତା ସ୍ୱର୍ଗତ ବିଷ୍ଣ ସେଠୀଙ୍କ ଅକାଳ ବିୟୋଗ ପରେ ତାଙ୍କ ପୁଅକୁ ବିଜେପି ପ୍ରାର୍ଥୀ କରିବା ସହ ସେ ବିଜୟଲାଭ କରି ବିଜେଡିର ବିଜୟ ଧାରାରେ ରୋକ ଲଗାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି ଏହି ବିଜୟକୁ ଦଳର ବିଜୟ ବୋଲି ପ୍ରଚାର କରିବା ସହ ବିଭିନ୍ନ ସ୍ଥାନରେ ଦଳୀୟ ନେତାମାନେ ଖୁସି ମନାଉଥିବା ଦେଖିବାକୁ ମିଳିଛି । ରାଜନଗର ବ୍ଲକ ବିଜେପି ପକ୍ଷରୁ ଏହି ବିଜୟ ଉତ୍ସବ ପାଳନ ସମୟରେ ଏକ ଭିନ୍ନ ଦୃଶ୍ୟ ପରିଲକ୍ଷିତ ହୋଇଥିଲା । ରବିବାର ଦିନ ବିଜେପି ନେତା ସୁନାକାର ପ୍ରଧାନ, ଶ୍ରୀଧର ପ୍ରଧାନ, ଦିଲ୍ଲୀପ ରାଉତ, ନଗେନ୍ଦ୍ର ପାତ୍ର, ପ୍ରମୋଦ ଦାସ, ସୁବାଷ ରାଉତଙ୍କ ସହ ୫୦ରୁ ଉଦ୍ଧ୍ୱର୍ ନେତା ଓ କର୍ମୀ ତ୍ରିନାଥ ବଜାରରେ ମିଠା ବଂଟନ କରିବା ସହ ନାରାବାଜି କରିଥିଲେ । ସୋମବାର ଦିନ ପ୍ରାକ୍ତନ ବିଧାୟକ ଅଲେଖକୁମାର ଜେନାଙ୍କ ନେତୃତ୍ୱରେ ବିଜେପି ନେତା ଭୂବନମୋହନ ଜେନା, ସଦାଶିବ ଜେନା, ରମେଶଚନ୍ଦ୍ର ରାଉତରାୟ,କୈଳାସ ପରିଡା, ଦିଲ୍ଲୀପ ପାତ୍ର, ଦିଲ୍ଲୀପ ରାଉତ, ସୁମିତ୍ରା ରାଉତ, ସୁବାଷ ରାଉତ, ମେଘଶ୍ୟାମ ସାହୁଙ୍କ ସହ ୪୦ରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତା ତ୍ରିନାଥ ବଜାର ଓ ରାଜନଗର ବଜାର ପରିକ୍ରମା କରିବା ସହ ବାଜା ବଜାଇ ବାଣ ଫୁଟାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଜନଗର ବ୍ଲକରେ ଚର୍ଚ୍ଚା ଜୋର ଧରିଛି । ଏପରିକି କିଛି ଗଣମାଧ୍ୟମରେ ଧାମନଗର ବିଜୟ ଖୁସି ମନାଇଲେ ବିଜେପି କର୍ମୀ ଖବର ପ୍ରକାଶ ପାଇଛି । ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ ପ୍ରାକ୍ତନ ବିଧାୟକ ଶ୍ରୀ ଜେନା । ନିର୍ବାଚନ ପରେ ଆଶାନୁରୂପ ଭୋଟ ନପାଇବାରୁ ଶ୍ରୀ ଜେନାଙ୍କ ପ୍ରତି ଦଳୀୟ ନେତା ଓ କର୍ମୀ କରଛଡା ଦେବା ଆରମ୍ଭ କରିଥିଲେ । ବିଶେଷକରି ବିଭିନ୍ନ ସୁବିଧା ଅସୁବିଧା ସମୟରେ ଦଳୀୟ ନେତା ଓ କର୍ମୀମାନେ ଶ୍ରୀ ଜେନାଙ୍କୁ ଖୋଜି ପାଉନଥିବା ଅଭିଯୋଗ ହୋଇଆସୁଥିଲା । ଯାହାର ପ୍ରତିଫଳନ ଧାମନଗର ଉପନିର୍ବାଚନରେ ବିଜୟ ଉତ୍ସବ ପାଳନ ସମୟରେ ଦେଖିବାକୁ ମିଳିଛି । ଗୋଟିଏ ଗୋଷ୍ଠୀ ରବିବାର ସନ୍ଧ୍ୟାରେ ବିଜୟ ଉତ୍ସବ ପାଳନ କରିଥିବା ବେଳେ ଖୋଦ ଶ୍ରୀ ଜେନା ସୋମବାର ଦିନ ଅପରାହ୍ନରେ ବାଜା ବଜାଇ ବାଣ ଫୁଟାଇ ଶୋଭାଯାତ୍ରା କରିଥିଲେ । ବିଜେପିର ଏଭଳି ଦୟନୀୟ ସ୍ଥିତିରେ ରାଜନଗରରେ ବିଜେପି ଦୁଇଫାଳ ହେବା ଘଟଣା ସଙ୍ଗଠନକୁ ସଂଜିବନୀ ଦେବା ପରିବର୍ତେ ଦୁର୍ବଳ କରିବାରେ ଲାଗିଛି ବୋଲି ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର ସରକାରଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ଜନସାଧାରଣ ବିଜେପି ଆଡକୁ ଢଳୁଥିବା ବେଳେ ରାଜନଗର ବିଜେପିର ଏଭଳି ସ୍ଥିତି ଦେଖି ସାଧାରଣ ଲୋକେ ମୁହଁ ଭଙ୍ଗି ଦେଉଛନ୍ତି ବୋଲି ଅନେକ ସ୍ଥାନମାନଙ୍କରେ ଚର୍ଚ୍ଚା ଜୋର ଧରିଛି |