
ଭୁବନେଶ୍ୱର ୩/୧୧: ଦିନ ଥିଲା ପୁରୁଣା ଭୁବନେଶ୍ୱରସ୍ଥିତ ପୌର ମହାନଗର ନିଗମ ଚିକିତ୍ସାଳୟକୁ ଦୂର ଦୁରାନ୍ତରୁ ରୋଗୀ ଆସି ଭଲ ହେଇଯାଉଥିଲେ ଓ ଏହି ଚିକିତ୍ସାଳୟର ଉତ୍କୃଷ୍ଟ ସେବାରେ ସମସ୍ତେ ସନ୍ତୁଷ୍ଟ ଥିଲେ। କିନ୍ତୁ ଦୁଃଖର ବିଷୟ ୨୦୧୫ ମସିହା ପରଠାରୁ ଏହି ଚିକିତ୍ସାଳୟ ଧିରେ ଧିରେ ନିଜର ମାନ ହରାଇବାରେ ଲାଗିଛି। ଏଠାରେ ଥିବା ଅଧିକାଂଶ ବିଭାଗ ଯଥା ହାଡ଼, ଚର୍ମ, ନ୍ୟୁରୋ ବିଭାଗ ଆଦି ଏବେ ଡାକ୍ତର ଅଭାବରେ ବନ୍ଦ ପଡିଛି। ସେହିପରି ୪୧ଜଣ ଡାକ୍ତରଙ୍କ ସ୍ଥାନରେ ୧୯ଜଣ ଡାକ୍ତର ରହିଛନ୍ତି। ଡାକ୍ତର ଅଭାବରୁ ଅଲ୍ଟ୍ରାସାଉଣ୍ଡ ବିଭାଗରେ ଅଲ୍ଟ୍ରାସାଉଣ୍ଡ ହେଉନଥିବାରୁ ରୋଗୀମାନେ ବାହାରେ ଅତି ଉଚ୍ଚ ମୂଲ୍ୟ ଦେଇ ଅଲ୍ଟ୍ରାସାଉଣ୍ଡ କରାଉଛନ୍ତ
ସୂଚନାଯୋଗ୍ୟ ଯେ, ପୁରୁଣା ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଯୋଗୁଁ ଏହି ଚିକିତ୍ସାଳୟ ଉପରେ ଆଖପାଖ ୫୦/୬୦ଗାଁର ଲୋକମାନେ ନିର୍ଭରଶୀଳ ଥିଲେ। କିନ୍ତୁ ଏବେ ଉପଯୁକ୍ତ ସେବା ନ ପାଇ କ୍ୟାପିଟାଲ ହସ୍ପିଟାଲକୁ ସମସ୍ତେ ଦୌଡୁଛନ୍ତି ଓ ସେଠାରେ ରୋଗୀଙ୍କ ଭିଡ଼ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେଣୁ, ପୁରୁଣା ଭୁବନେଶ୍ୱରସ୍ଥିତ ପୌର ମହାନଗର ନିଗମ ଚିକିତ୍ସାଳୟକୁ ପୂର୍ଣ୍ଣ ଚିକିତ୍ସାଳୟରେ ପରିଣତ କରାଯାଉ, କ୍ୟାପିଟାଲ ହସ୍ପିଟାଲ ଉପରେ ଥିବା ଚାପକୁ କମାଯାଉ, ୨୪ଘଣ୍ଟିଆ ସେବା ପ୍ରଦାନ କରିଵା ସହ ସ୍ଥାୟୀ ଡାକ୍ତର ଓ କର୍ମଚାରୀ ଯଥାଶୀଘ୍ର ନିଯୁକ୍ତ କରିବା ଦାବିରେ ଆଜି ସେବା ପ୍ରତିନିଧି ସଙ୍ଗଠନର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଗତ ରବିବାର ଦିନ ସ୍ଥାନୀୟ ଡାକ୍ତରଖାନା ସମ୍ମୁଖରେ ଦିଆଯାଇଥିଲା।
ଉକ୍ତ ନ୍ୟାର୍ଯ୍ୟ ଦାବିକୁ ସ୍ଥାନୀୟ ଲୋକ ତଥା ହସ୍ପିଟାଲରେ ଉପସ୍ଥିତ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ସମର୍ଥନ ଜଣାଇଥିଲେ। ଆଜି ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ଦାବିପତ୍ର ଶ୍ରୀ ଲିଙ୍ଗରାଜ ମନ୍ଦିର ଥାନା ଅଧିକାରୀ ଶରତ ପାତ୍ରଙ୍କ ଜରିଆରେ ପ୍ରଦାନ କରାଯାଇଛି। ଆଜିର ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଦାମୋଦର ସାମନ୍ତରାୟ, ବାନାମ୍ବର ପ୍ରଧାନ, ଅଶୋକ କୁମାର ମହାରଣା, ଅନୁପମା ବେହେରା, ଜୟକୃଷ୍ଣ ମଲିଆ, ରଜନୀ ପଣ୍ଡା, ନିରାକାର ମହାପାତ୍ର,ଡଃ ଏଲ୍ ସାହୁ,ସରୋଜ ମହାନ୍ତି, ଲକ୍ଷ୍ମୀଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।




