
ଆସିକା, ୩/୧୧(ଜିଲ୍ଲା ଖବର) : ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ “ମୋ ସ୍କୁଲ ଅଭିଯାନ” ଏକ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ଡ଼.ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଉକ୍ତ ଅଭିଯାନର ସମସ୍ତ ସଦସ୍ୟ ତଥା ଯୁକ୍ତ ଦୁଇର ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ବାରା ସଂପାଦିତ ହୋଇଯାଇଛି। ଉକ୍ତ ସଦସ୍ୟଙ୍କ ମଧ୍ୟରୁ ସଭା ସଂଯୋଜକ ରୂପେ ଗଣିତ ଅଧ୍ୟାପକ ଚ଼ିତ୍ରସେନ ବେହେରା, ମୁଖ୍ୟବକ୍ତା ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ ତଥା ସମ୍ମାନୀତ ଅତିଥି ବାଣିଜ୍ୟ ଅଧ୍ୟାପିକା ମଞ୍ଜୁ ଡାକୁଆ ତଥା ସଭା ସଂଚାଳିକା ରାଜନୀତି ବିଜ୍ଞାନ ଅଧ୍ୟାପିକା ମୀନତି ବେହେରା ଏବଂ ଉକ୍ତ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ସଦସ୍ୟ ଓଡ଼ିଆ ଅଧ୍ୟାପକ ଅରୁଣ କୁମାର ସେଠୀ, ଇଁରାଜୀ ଅଧ୍ୟାପକ ନିରୋଦ କୁମାର ଖରା ତଥା ଉଚ୍ଚ ବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ପ୍ର. କେଦାର ନାଥ ପଣ୍ଡା ମଞ୍ଚାସୀନ ଥିଲେ। ଅଧ୍ୟକ୍ଷ ଡ଼ ତ୍ରିପାଠୀ ଉକ୍ତ ଅଭିଯାନର ଆଭିମୁଖ୍ୟ, ଉଦ୍ଦେଶ୍ୟ ତଥା ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବଚନ ରଖିଥିଲେ। ସଂଯୋଜକ ଚିତ୍ରସେନ ବେହେରା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଯୁବାପୀଢୀଙ୍କ ଦ୍ବାରା ସ୍କୁଲ ସ୍ତରରୁ ଓଡ଼ିଶା ବିକାଶରେ ଗଠନମୂଳକ କାର୍ଯ୍ୟକ୍ରମର ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାର ବିସ୍ତୃତ ବିବରଣୀ ପାଠ କରିଥିଲେ। ମୁଖ୍ୟବକ୍ତା ଅଧ୍ୟାପକ ରାଜେଶ କୁମାର ସାହୁ ଓଡ଼ିଶା ସରକାରଙ୍କ ‘ପାଞ୍ଚ-ଟି’ (ସ୍ବଚ୍ଛତା, ପ୍ରଯୁକ୍ତି, ସମୟ ନିୟନ୍ତ୍ରଣ, ରୂପାନ୍ତରଣ, ସଂଘୀୟ କାର୍ଯ୍ୟପନ୍ଥା) ଲକ୍ଷ୍ୟର ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ସମ୍ମାନୀତ ଅତିଥି ଅଧ୍ୟାପିକା ମଞ୍ଜୁ ଡ଼ାକୁଆ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳାଗତ ଜୀବନଯାପନ ଅତିବାହିତ କରିବା ପାଇଁ ପରାମର୍ଶ କରିଥିଲେ। ପ୍ରଶାସନିକ ଅଧିକାରୀ ପ୍ର. ପଣ୍ଡା ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମରେ ଆମେ କେତେ ସଚ଼େତନ ? ତାହାର ସବିଶେଷ ଅଭିମତ ରଖିଥିଲେ। ପରିଶେଷରେ ଇଁରାଜୀ ଅଧ୍ୟାପକ ନିରୋଦ କୁମାର ଖରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


