ଧାମନଗରର ଧୁଷୁରି ପଂଚାୟତ ବାସନ୍ତୀ ପଡିଆରେ ଜନସଭାକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ

33

୨୨ ବର୍ଷ କ୍ଷମତାରେ ରହିଲା ପରେ ବି ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭୋଟରଙ୍କୁ ପ୍ରଲୋଭନ ଦେଖାଇବାକୁ ପଡୁଛି ? ଧର୍ମେନ୍ଦ୍ର ପ୍ରଧାନ

• ଧାମନଗର ମାଟି ହେଉଛି ରାଜା ମୁକୁନ୍ଦ ଦେବଙ୍କର ବୀରତ୍ୱ ଗାଥାର ସ୍ମୃତିକୁ ଧରି ରଖିଥିବା ମାଟି
• ଏ ମାଟି ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ, ମୂରଲିଧର ଜେନା ଓ ହୃଦାନନ୍ଦ ମଲ୍ଲିକଙ୍କ ଭଳି ନେତୃତ୍ୱ ଦେଇଛି
• ଯେଉଁମାନେ ବିଜେଡିକୁ ଭୋଟ ଦେଇନାହାନ୍ତି, ମୁଖ୍ୟମନ୍ତ୍ରୀ କଣ ତାଙ୍କ ପାଇଁ କିଛି କରିବେ ନାହିଁ ?
• ଗତକାଲି ମୁଖ୍ୟମନ୍ତ୍ରୀ ଦେଇଥିବା ବକ୍ତବ୍ୟ ମୋତେ ଜଣେ ଓଡିଆ ଭାବରେ ବହୁତ କଷ୍ଟ ଦେଇଛି
• ଧାମନଗରରେ ୧୮ ମାସରେ ୫ ବର୍ଷର ହୋଇନଥିବା କାମ କରିବେ ବୋଲି କହିବାର ଅର୍ଥ କଣ ?, ଆଗରୁ ତା’ ହେଲେ କଣ ଦାୟିତ୍ୱ ନେଇନଥିଲେ?
• ଭଦ୍ରକରେ ମେଡ଼ିକାଲ କଲେଜ ପାଇଁ ମୁଁ ୧୭ ଫେବୃୟାରୀରେ ୨୦୨୦ରେ କେନ୍ଦ୍ରକୁ ପ୍ରସ୍ତାବ ଦେବା ପାଇଁ ଚିଠି ଲେଖି ଅନୁରୋଧ କରିଥିବା ବେଳେ ରାଜ୍ୟ ସରକାର ଏହାର ଦାୟିତ୍ୱ ନେଲେ ନାହିଁ କାହିଁକି?
• ବୈତରଣୀ ନଦୀରେ ବନ୍ୟା କାରଣରୁ ଭଦ୍ରକବାସୀ ହଇରାଣ ହେଉଛନ୍ତି, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ସମାନ ଅଗ୍ରାଧିକାର ଦେଇ ଜଳ ଛଡାଯିବାର ବ୍ୟବସ୍ଥା ନକରିବା କାରଣ କଣ ?
• ଭଦ୍ରକରେ ମେଗା ଟେକ୍ସଟାଇଲ ପାର୍କ ସ୍ଥାପନା ପାଇଁ ସରକାର କେନ୍ଦ୍ରକୁ ଦରଖାସ୍ତ କରିଛନ୍ତି କି ନାହିଁ?
• ଧାମନଗରର ଲଢେଇ ପ୍ରତ୍ୟେକ ଗୁରୁଜନ, ମାଆ ଭଉଣୀ ଓ ଯୁବ ବନ୍ଧୁ ମାନଙ୍କର ଲଢେଇ
• ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର ସହ ପଦ୍ମ ଫୁଲରେ ଭୋଟ ଦେବାକୁ ନିବେଦନ

ଧାମନଗର/ଭୁବନେଶ୍ୱର, ନଭେମ୍ବର ୦୧ – ରାଜ୍ୟରେ ଦୀର୍ଘ ୨୨ ବର୍ଷ କ୍ଷମତାରେ ରହିଲା ପରେ ବି ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଜନତାଙ୍କୁ ପ୍ରଲୋଭନ ଦେଖାଇବା ପାଇଁ ପଡୁଛି ବୋଲି ମଙ୍ଗଳବାର ଧାମନଗର ଉପନିର୍ବାଚନ ପାଇଁ ଧୁଷୁରି ପଂଚାୟତ ବାସନ୍ତୀ ପଡ଼ିଆ ଠାରେ ଆୟୋଜିତ ଜନସଭାରେ ପ୍ରଶ୍ନ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଧାମନଗର ମାଟି ହେଉଛି ରାଜା ମୁକୁନ୍ଦ ଦେବଙ୍କର ବୀରତ୍ୱ ଗାଥାର ସ୍ମୃତିକୁ ଧରି ରଖିଥିବା ମାଟି । ରକ୍ତତୀର୍ଥ ଇରମ ଏବଂ ଧାମନଗର ଶହୀଦ ନଗରର ଲୁଣିଆ ହେଉଛି ଦୁଇ ପବିତ୍ର କ୍ଷେତ୍ର । ଏ ମାଟି ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ, ମୂରଲିଧର ଜେନା ଓ ହୃଦାନନ୍ଦ ମଲ୍ଲିକଙ୍କ ଭଳି ନେତୃତ୍ୱ ଦେଇଛି । ମାତ୍ର ଜଣେ ଓଡ଼ିଆ ଭାବେ ଗତକାଲି ମୁଖ୍ୟମନ୍ତ୍ରୀ ଦେଇଥିବା ବକ୍ତବ୍ୟ ମୋତେ ବହୁତ କଷ୍ଟ ଦେଇଛି । ସେ ଏବେ ଧାମନଗରବାସୀଙ୍କ ଦାୟିତ୍ୱ ନେବା କଥା କହୁଛନ୍ତି । ୧୮ ମାସରେ ୫ ବର୍ଷର କାମ କରିବେ ବୋଲି କହୁଛନ୍ତି । ଏହାର ଅର୍ଥ କଣ ? ଯେଉଁମାନେ ବିଜେଡିକୁ ଭୋଟ ଦେଇନାହାନ୍ତି, ମୁଖ୍ୟମନ୍ତ୍ରୀ କଣ ତାଙ୍କ ପାଇଁ କିଛି କରିବେ ନାହିଁ?

ଭଦ୍ରକ ଓ ଧାମନଗରରେ ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ମେଡିକାଲ କଲେଜ, ଯୁବକଙ୍କ ପାଇଁ ରୋଜଗାର, ମୋଦି ସରକାର ଦେଉଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର, ଜଳସେଚନ, ସ୍ଥାନୀୟ ଅର୍ଥନୀତିକୁ ମଜଭୂତ କରିବା ପାଇଁ ମେଗା ଟେକ୍ସଟାଇଲ ପାର୍କର ଦାୟିତ୍ୱ ନେଲେ ନାହିଁ । ଏବେ ପୁଣି କେଉଁ ଦାୟିତ୍ୱ ନେବାର କଥା କହୁଛନ୍ତି ? ଭଦ୍ରକରେ ମେଡ଼ିକାଲ କଲେଜ ଖୋଲିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ୧୭ ଫେବୃୟାରୀରେ ୨୦୨୦ରେ ମୋଦି ସରକାରଙ୍କୁ ପ୍ରସ୍ତାବ ଦେବାକୁ ପତ୍ର ଲେଖିଥିଲି । ମେଡିକାଲ କଲେଜ ପାଇଁ ମୋଟ ଖର୍ଚ୍ଚର ୬୦ ଭାଗ ପଇସା ମୋଦି ସରକାର ଦେବେ ବୋଲି କହିଥିଲି । ସରକାର ଏହି ମେଡିକାଲର ଦାୟିତ୍ୱ ନେଲେ କି? ବୈତରଣୀ, ଗେଙ୍ଗୁଟି, କୋଚିଲା ନଦୀ ଏ ଅଂଚଳ ଦେଇ ପ୍ରବାହିତ ହେଉଛି । ବୈତରଣୀ ନଦୀରେ ବନ୍ୟା କାରଣରୁ ଭଦ୍ରକବାସୀ ହଇରାଣ ହେଉଛନ୍ତି । ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ସମାନ ଅଗ୍ରାଧିକାର ଦେଇ ଜଳ ଛଡାଯିବାର ବ୍ୟବସ୍ଥା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରିବା ଦରକାର, ଯାହା ଏ ସରକାର କରିନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୟନ ଶିଳ୍ପ କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ମେଗା ଟେକ୍ସଟାଇଲ ପାର୍କ ବନାଇବାର କଳ୍ପନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା କିମ୍ବା ବୟନ ଶିଳ୍ପ କ୍ଷେତ୍ରର ଅପାର ସମ୍ଭାବନା ରଖୁଥିବା ଭଦ୍ରକ ଜିଲ୍ଲାରେ ମେଗା ଟେକ୍ସଟାଇଲ ପାର୍କ ସ୍ଥାପନା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବା ପାଇଁ ଚିଠି ଲେଖିବା ପରେ ବି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏହାର ଉତର ଏପର୍ଯ୍ୟନ୍ତ ମିଳିଲା ନାହିଁ । ଏହି ମେଗା ଟେକ୍ସଟାଇଲ ପାର୍କ ପାଇଁ କେନ୍ଦ୍ରକୁ ଦରଖାସ୍ତ କରିଛନ୍ତି ନା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।