
ହିଞ୍ଜିଳିକାଟୁ,୧୯/୧୦(ଜିଲ୍ଲା ଖବର) : ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଅବ୍ୟବହୃତ ଛାତ୍ରୀନିବାସ ପାଲଟିଛି ନିଶାଖୋର ଓ ଅଣଛାତ୍ରଙ୍କ ଆଡ୍ଡାସ୍ଥଳୀ। ବାରମ୍ବାର ଅଭିଯୋଗ ପରେ କର୍ତ୍ତୃପକ୍ଷ କିଛି ମାସ ତଳେ ଅନାଧିକାର ପ୍ରବେଶକୁ ରୋକିଥିଲେ। କିନ୍ତୁ ଏବେ ମଧ୍ୟ କିଛି ମଦ୍ୟପ ଯୁବକ ଓ ଅଣଛାତ୍ର ଲୁଚିଛପି ଯାଇ ସେଠାରେ ଆସର ଜମାଉଥିବାର ନଜୀର ରହିଛି। ତେବେ ୟୁଜିସି ଅନୁଦାନରେ ନିର୍ମିତ ଏହି ଛାତ୍ରୀନିବାସ କାର୍ଯ୍ୟକ୍ଷମ ନହେବା ଫଳରେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀ ମାନଙ୍କୁ ଅଧିକ ଟଙ୍କା ଦେଇ ବାହାରେ ରହିବାକୁ ପଡୁଛି। ଏହି କଲେଜରେ ପାଠ ପଢ଼ିବା ପାଇଁ ଗଞ୍ଜାମ ଜିଲା ସମେତ ପଡ଼ୋଶୀ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରୁ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବା ପାଇଁ ଆସୁଥିବା ବେଳେ କଲେଜ ତରଫରୁ ଏମାନଙ୍କ ସୁରକ୍ଷିତ ରହଣି ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ୟୁଜିସି ଅନୁଦାନ ଦ୍ୱାରା ୨୦୧୦ମସିହାରେ ନିର୍ମିତ ନିର୍ମିତ ଛାତ୍ରୀନିବାସ ଏବଂ ୨୦୦୪ ମସିହାରେ ନିର୍ମିତ ଆଦିବାସୀ ଓ ହରିଜନ ଛାତ୍ରାବାସ ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ଏବେ ଭୁତକୋଠି ପାଲଟିଛି। ପାନଛେପ, ଗୁଟୁଖା ଖୋଳ ଓ ଭଙ୍ଗା ମଦବୋତଲ ବର୍ତ୍ତମାନ ଏହି କୋଠ ଗୁଡ଼ିକର ଶୋଭା ମଣ୍ଡନ କରୁଛି। ତେବେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ଖୁବଶୀଘ୍ର ଜ୍ଞାନପଟ୍ଟନାୟକ ଛାତ୍ରୀନିବାସ କାର୍ଯ୍ୟକ୍ଷମ ହେବ ବୋଲି କଲେଜ ଅଧ୍ୟକ୍ଷା ଡ଼. ସ୍ୱସ୍ତିକା ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ତେବେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀ ମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ହଷ୍ଟେଲ କାର୍ଯ୍ୟକ୍ଷମ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।



