
ଦିଗପହଣ୍ଡି, (ଜିଲ୍ଲା ଖବର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କୋଟିନଡା ଗ୍ରାମର ଆଡୁଆ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗ୍ରାମର ଅଙ୍ଗେତ ବେହେରା ନାମକ ଜଣେ ୮୦ବର୍ଷୀୟ ବୃଦ୍ଧ ଙ୍କ ଦୁଇ ବଖରା ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଖବର ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୨ ଟା ସମୟରେ ଅଙ୍ଗେତ ନିଜ ସ୍ତ୍ରୀ ପିଲାଙ୍କ ସହ ଘରେ ଶୋଇଥିବା ସମୟରେ ଘର ଚାଳରେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା । କିଛି ଲୋକ ଏହା ଦେଖି ଘଟଣାସ୍ଥଳକୁ ଯାଇ ଘର ଭିତରରୁ ପିଡିତା ପରିବାର ସଦସ୍ୟମାନଙ୍କୁ ବାହାରକୁ ଆଣିଥିଲେ । ଏହାପରେ ସ୍ଥାନୀୟ ଲୋକେ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଦିଗପହଣ୍ଡି ଅଗ୍ନିଶମ ଓଆଇସି ପ୍ରଫୁଲ୍ଲ ବେହେରାଙ୍କ ନେତୃତ୍ବରେ ଜିଆଇସି ବଳରାମ ବେହେରା ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବହୁ ଲୁଗାପଟା ଓ ବହୁ ମୂଲ୍ୟବାନ ଜିନିଷ ପୋଡି ପାଉଁଶ ହୋଇଯାଇଛି । ପରିବାରଙ୍କ କହିବାନୁସାରେ କେହି ଦୁର୍ବୃତ୍ତ ଜାଣିଶୁଣି ଏଭଳି ନିଆଁ ଲଗାଇଥିବା ପ୍ରକାଶ କରିଛନ୍ତି ।
ରିପୋର୍ଟର ପ୍ରଫୁଲ୍ଲ ସାବତ



