
ପୁରୀ , ୧୦/୧୦/୨୨ ( ଜିଲ୍ଲା ଖବର ) : ପୁରୀ ଜିଲ୍ଲା ସ୍ତରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜୟନ୍ତୀ ରବିବାର ପାଳିତ ହୋଇଥିଲା। ପୂର୍ବାହ୍ନରେ ସିଂହଦ୍ୱାର ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ନେହେରୁ ଯୁବ କେନ୍ଦ୍ର ର ସଂଯୋଜକ ଶ୍ରୀ ଜୟ ଶଙ୍କର ଜୋଶୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ ବେହେରା, ବରିଷ୍ଠ ନାଗରିକ ବୃନ୍ଦ, ବିଭିନ୍ନ ସ୍ୱଛାସେବୀ ସଂଗଠନ ର କର୍ମକମର୍ତ୍ତା ପ୍ରମୁଖ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାକ୍ଷୀ ଗୋପାଳ ବସଷ୍ଟାଣ୍ଡ ନିକଟ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି,ବକୁଳବନରେ ଥିବା ପ୍ରତିମୂର୍ତ୍ତି, ସ୍ମୃତି ସ୍ତମ୍ଭ, ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ଓ କାଦୁଆ ଆଶ୍ରମ ଠାରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।

ପରେ ପରେ ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମ ପୀଠ ଷଠିଘର ଓ ମନ୍ଦିର ନିକଟ ପ୍ରତିମୂର୍ତ୍ତି ରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ଏହି ଉପଲକ୍ଷେ ସୁଆଣ୍ଡୋ ଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର ଗୋପବନ୍ଧୁ ଆମ ଜାତି, ଭାଷା ଓ ସ୍ୱାଭିମାନର ପ୍ରତୀକ ବୋଲି କହିବା ସହ ତାଙ୍କ ପରୋପକାର ଓ ସେବା ସବୁଦିନ ପାଇଁ ଆମକୁ ପ୍ରେରଣା ଦେଉଥିବ ବୋଲି କହିଥିଲେ। ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଶ୍ରୀ ଧୀରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସତ୍ୟବାଦୀ ତହସିଲଦାର ଶ୍ରୀ ଜୟନ୍ତ ଜୟସିଂହ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଗୋପବନ୍ଧୁ ସ୍ମୃତି ପରିଷଦର ସଦସ୍ୟ ଶ୍ରୀ ଦେବେନ୍ଦ୍ର ନାଥ ଦାସ,ଅନ୍ୟାନ୍ୟ ସଦସ୍ୟ, ଶିକ୍ଷାବିତ, ବୁଦ୍ଧିଜୀବୀ, ଲୋକ ପ୍ରତିନିଧି, ଛାତ୍ର ଛାତ୍ରୀ ଓ ଜନସାଧାରଣ ଯୋଗ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।



