
ଗୁଣୁପୁର , ୨୨/୦୯/୨୨ ( ଜିଲ୍ଲା ଖବର ) : ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ନବାଗତ ବି. ଟେକ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ଓଡିଶା ସରକାରଙ୍କ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ତପନ କୁମାର ଶତପଥି ଯୋଗ ଦେଇ ସମାଜରେ ଜଣେ ପ୍ରକୃତ ମଣିଷ ହେବା ସଙ୍ଗେ ସଙ୍ଗେ ସମାଜକଲ୍ୟାଣକାରୀ କାର୍ଯ୍ୟ କରିବା ସହ ଅନ୍ତର୍ନିହିତ ଗୁଣର ବିକାଶ ନିମନ୍ତେ ଉପଦେଶ ଦେଇଥିଲେ। ବିଶ୍ୱବିଦ୍ୟାଳୟର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା ଯୋଗ ଦେଇ ବିଶ୍ୱ ବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ।

ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମର ଆବଶ୍ୟକତା ରହିଛି ଏବଂ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜେ ଉଚ୍ଚ ସ୍ବପ୍ନ ଦେଖିବା ଏବଂ ତାହାକୁ ସାକାର କରିବା ପାଇଁ ନିଜକୁ ପ୍ରସ୍ତୁତ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷାର ଗ୍ରହଣ ଓ ଏହି ଜ୍ଞାନ କୌଶଳକୁ ଗ୍ରାମାଞ୍ଚଳରେ ପ୍ରୟୋଗ କରିବାକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ମହାନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ଉପଯୁକ୍ତ ଡିଗ୍ରୀ ହାସଲ କରିବା ସହ ଉତ୍ତମ ଚରିତ୍ର ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ। କୁଳପତି ଡ଼ଃ ଗୌତମ ଘୋଷ ଯୋଗ ଦେଇ ବିଭିନ୍ନ ବିଷୟରେ ବିକାଶ ଓ ଲକ୍ଷ୍ୟ ସାଧନ ପାଇଁ ଉତ୍ସ।ହିତ କହିଥିଲେ।

ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧ ରାଓ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ଗତ ୨୫ବର୍ଷର ବିଭିନ୍ନ ସଫଳତା, ଆନୁସଙ୍ଗିକ ବ୍ୟବସ୍ଥା ସହ ଶୃଙ୍ଖଳା ବିଷୟରେ ଆଲୋକପାତ କରିଥିଲେ।ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଡିନ ଡ଼ଃ ଏ. ବି.ଶ୍ରୀନିବାସ ରାଓ ଯୋଗ ଦେଇ ଅନୁଷ୍ଠାନର ବିଭିନ୍ନ ସୁବିଧାର ସଦୁପଯୋଗ କରି ନିଜର ବିକାଶ ସହ ଅନୁଷ୍ଠାନର ଟେକ ରଖିବା ପାଇଁ କହିଥିଲେ ।ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ମୁଖ୍ୟ, ଡ଼ିନ ଓ କର୍ମକର୍ତ୍ତାଙ୍କୁ ଏହି ଅବସରରେ ପରିଚୟ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ବେସିକ ସାଇନ୍ସର ବିଭାଗୀୟ ମୁଖ୍ୟ ଡ଼ଃ ଦିଲ୍ଲୀପ କୁମାର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ଅଧ୍ୟାପିକ ବର୍ଷା ଦାସ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।



